OnaKhabar

ଗର୍ଭାବସ୍ଥାରେ ଏଡସ ଓ ସତର୍କତା

77

ଏଡସ ବା ଆକ୍ୱାୟାର୍ଡ ଇମୁ୍ୟନୋ ଡେଫିସିଏନ୍ସି ସିଣ୍ଡ୍ରୋମ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ କେବଳ ଆମ ଦେଶ ନୁହେଁ, ସାରା ପୃଥିବୀରେ ଏହି ରୋଗ ଭୟର ବାତାବରଣ ସୃଷ୍ଟି କରିଛି । ଏହି ରୋଗ ଏକ ଭୂତାଣୁ ଦ୍ୱାରା ହୋଇଥାଏ । ସେହି ଭୂତାଣୁ ହେଉଛି ହୁ୍ୟମାନ ଇମୁ୍ୟନୋ ଡେଫିସିଏନସି ଭାଇରସ ବା ଏଚ.ଆଇ.ଭି । ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୁଏନାହିଁ । ତେବେ ଏହାର ଚିକିତ୍ସା ପାଇଁ କେତେ ଗୁଡିଏ ଔଷଧ ବାହାରିଛି ଯାହାକୁ ଠିକ ଭାବରେ ବ୍ୟବହାର କରି ଜଣେ ରୋଗୀ ଅନେକ ଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ଯାପନ କରିପାରିବ । ତେବେ ଗର୍ଭାବସ୍ଥାରେ ଏଡସ ଆକ୍ରାନ୍ତମାନେ ଟିକେ ଅଧିକ ଯତ୍ନବାନ ହେବା ଆବଶ୍ୟକ । କାରଣ ଏହି ସମୟରେ ମାଆ ଠାରୁ ଶିଶୁକୁ ସଂକ୍ରମଣ ହେବାର ଭୟ ରହିଥାଏ|
ଗର୍ଭାବସ୍ଥାରେ ସଂକ୍ରମିତ ମାଆ ଠାରୁ ଶିଶୁକୁ ସଂକ୍ରମଣ ହେବାକୁ ଭର୍ଟିକାଲ ଟ୍ରାନ୍ସମିସନ କୁହାଯାଏ । ଏହା ଶତକଡା ୧୪ରୁ ୨୫ ପ୍ରତିଶତ ହୋଇଥାଏ । ଗର୍ଭାବସ୍ଥାର ୮ରୁ୧୪ ସପ୍ତାହ ମଧ୍ୟରେ ଗର୍ଭଫୁଲ ଦେଇ ଶିଶୁର ଦେହକୁ ସଂକ୍ରମଣ ହେଲାବେଳେ ଶତକଡା ୪୦ରୁ ୮୦ ପ୍ରତିଶତ ସଂକ୍ରମଣ ପ୍ରସବ ସମୟରେ ହୋଇଥାଏ । ଅପରିଣତ ପ୍ରସବ ଏବଂ ଗର୍ଭଥଳୀ ବେଶୀ ସମୟ ଧରି ଫାଟି ଯାଇଥିଲେ ଏହି ସଂକ୍ରମଣ ବେଶୀ ହୋଇଥାଏ । ଯେଉଁ ଗର୍ଭବତୀ ମାଆମାନେ ଆଦୌ ଚିକିତ୍ସିତ ହୋଇନଥାନ୍ତି ସେମାନଙ୍କର ରକ୍ତରେ ଭୂତାଣୁ ବେଶୀ ପରିମାଣରେ ଥାଏ । ତେଣୁ ସଂକ୍ରମଣ ବେଶୀ ହୁଏ । ଯେଉଁ ମାଆମାନେ ଚିକିତ୍ସା ପାଇଥାନ୍ତି, ସେମାନଙ୍କର ସିଡି-୪ ପ୍ଲସ କୋଷିକା ବେଶୀ ପରିମାଣରେ ଥିବାରୁ ସଂକ୍ରମଣର ହାର ଶତକଡା ୭୦ ଭାଗ କମିଯାଏ । ମାଆ କ୍ଷୀର ଖାଉଥିବା ଶିଶୁର ସଂକ୍ରମଣର ହାର ଶତକଡା ୧୪ ପ୍ରତିଶତ ।

ଏଡସର ଗର୍ଭ ଉପରେ ପ୍ରଭାବ

ଏଡସ ଗର୍ଭ ଓ ଗର୍ଭସ୍ଥ ଶିଶୁ ଉପରେ ବିଶେଷ ପ୍ରଭାବ ପକାଇ ନଥାଏ । ତଥାପି ଗର୍ଭପାତ ଅପରିଣତ ପ୍ରସବ, ଅଳ୍ପ ଓଜନର ଶିଶୁ ଓ ପ୍ରସବ ପରେ ଶିଶୁ ମୃତୁ୍ୟ ହେବାର ଭୟ ଅଧିକ ଥାଏ ।

ଲକ୍ଷଣ

ଏଡସ ସଂକ୍ରମିତ ଗର୍ଭବତୀର ଜ୍ୱର, ଥଣ୍ଡା, ମୁଣ୍ଡବ୍ୟଥା, ତଣ୍ଟି ଦରଜ, ଦେହରେ ଅଗିରାବାତ ଭଳି ଫଳିଯିବା ପରିଲକ୍ଷିତ ହୋଇଥାଏ । ପ୍ରାଥମିକ ଦେହ ଅସୁସ୍ଥ ହେବାର କିଛିଦିନ ପର୍ଯ୍ୟନ୍ତ ରୋଗୀ ସୁସ୍ଥ ରହିଲେ ମଧ୍ୟ ତାପରେ ସଂକ୍ରମଣର ଆଶଙ୍କା ରହିଥାଏ । ଏହାଦ୍ୱାରା ଫଙ୍ଗଲ ସଂକ୍ରମଣ, ଯକ୍ଷ୍ମା, କର୍କଟ ରୋଗ ଆଦି ହୋଇଥାଏ । ଏହାଛଡା ଜ୍ୱର, କାଶ, ଝାଡା ଲାଗି ରହି ଓଜନ କମିଯାଏ ।

ଗର୍ଭାବସ୍ଥାରେ ଚିକିତ୍ସା

୧. ପ୍ରତି ଗର୍ଭବତୀ ଏଚ.ଆଇ.ଭି ପରୀକ୍ଷା କରିବା ଜରୁରୀ ।
୨.ଯେଉଁମାନଙ୍କର ପଜିଟିଭ ହୁଏ, ସେମାନଙ୍କର ଆଉ କେତେ ଗୁଡିଏ ପରୀକ୍ଷା ଯଥା-ଭି.ଡି.ଆର୍.ଏଲ୍, ଗନେରିଆ, କ୍ଲାମିଡିଆ ଓ ହରପିସ୍ ତଥା ହେପାଟାଇଟିସ-ବି ଏବଂ ଯକ୍ଷ୍ମା ପାଇଁ ପରୀକ୍ଷା କରିବା ଜରୁରୀ । ଏହାଛଡା ସେମାନଙ୍କର ସ୍ୱାମୀମାନଙ୍କର ମଧ୍ୟ ରକ୍ତ ପରୀକ୍ଷା କରିବା ଜରୁରୀ ।
୩.ଗର୍ଭାବସ୍ଥାରେ ତିନୋଟି ପର୍ଯ୍ୟାୟ ଯଥା- ପ୍ରଥମ ପର୍ଯ୍ୟାୟ ପ୍ରଥମ ତିନିମାସରେ ଥରେ, ଦ୍ୱିତୀୟ ପର୍ଯ୍ୟାୟ ଦ୍ୱିତୀୟ ତିନି ମାସ ବା ଚାରିରୁ ସାତ ମସା ଭିତରେ ଥରେ ଏବଂ ଶେଷ ତିନିମାସରେ ୭ରୁ ୧୦ ମାସ ମଧ୍ୟରେ ରକ୍ତରେ ଟି ଲିମ୍ଫୋସାଇଟ କାଉଣ୍ଟ ପରୀକ୍ଷା କରିବା ଉଚିତ ।

ପ୍ରସବ ସମୟରେ ଯତ୍ନ

୧. ପ୍ରସବ ବ୍ୟଥା ଆରମ୍ଭ ହେବା ମାତ୍ରେ ଶିରାରେ ଗ୍ଲୁକୋଜ ସାଲାଇନ ସହ ଜିଡୋଭୁଡିନ ଦିଆଯାଏ ଏବଂ ସିଜରିଆନର ଚାରି ଘଣ୍ଟା ପୂର୍ବରୁ ଏହି ଔଷଧ ଦିଆଯାଏ ।
୨. ସାଧାରଣ ପ୍ରସବଠାରୁ ସିଜରିଆନ ଦ୍ୱାରା ଶିଶୁ ସଂକ୍ରମଣର ହାର ଶତକଡା ୫୦ ପ୍ରତିଶତ କମିଯାଏ । ତେବେ ସିଜରିଆନ ସମୟରେ ଖୁବଶୀଘ୍ର ନାଭିନାଡ କାଟି ଶିଶୁକୁ ମାଆଠାରୁ ଅଲଗା କରି ତାକୁ ସାଙ୍ଗେ ସାଙ୍ଗେ ଗାଧୋଇଦେବା ଉଚିତ ।
୩. ପ୍ରସବ ସମୟରେ ଶିଶୁର ମୁଣ୍ଡ ବା ଶରୀରର ଯେପରି କ୍ଷତି ନହୁଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ
ପ୍ରସବ ପରବର୍ତ୍ତୀ ସମୟ
ଏଡସ ସଂକ୍ରମିତ ମାଆ ନିଜ ଶିଶୁକୁ କ୍ଷୀର ଖୁଆଇ ପାରିବ । ତେବେ କେବଳ ମାଆ କ୍ଷୀର ହିଁ ଶିଶୁ ଖାଇବ । ଏହି ସମୟରେ ବାହାର କ୍ଷୀର ଆଦୌ ଖାଇବା ଉଚିତ ନୁହେଁ । ଏହାଦ୍ୱାରା ବେଶୀ ସଂକ୍ରମଣ ହୋଇଥାଏ । ମାଆ ମଧ୍ୟ କ୍ଷୀର ପିଆଇବାର ବିପଦ ବିଷୟରେ ଜାଣିରଖିବା ଉଚିତ । ଶିଶୁକୁ ଜିଡୋଭୁଡିନ ସିରପ ୨ ମିଲିଗ୍ରାମ ଓଜନ ଦିନକୁ ଚାରିଥର କରି ଦିଆଯାଏ । ଏହା ଜନ୍ମର ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଏ ।