OnaKhabar

ଟ୍ୱିଟ କରି ଅନୁଭବଙ୍କ ଗୁମର ଖୋଲିଲେ ଜୟ

66

ଭୁବନେଶ୍ୱର (ଓଏନଏ): ବିଜେଡି ବୈଜୟନ୍ତଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଯାଇ ବାରମ୍ବାର ଫେରାଦ ହେବାର ଲାଗିଛନ୍ତି । ବୈଜୟନ୍ତଙ୍କ ହେଲିକପ୍ଟରକୁ ନେଇ ବିଜେଡି ଆପତ୍ତି ଉଠାଇଛି । ଟ୍ୱିଟ ମାଷ୍ଟର ବୈଜୟନ୍ତ ଏବେ ତାଙ୍କ ଟ୍ୱିଟରେ ପ୍ରତିଆକ୍ରମଣ କରିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବିଶ ଓଗାଳିଛନ୍ତି । ଅନୁଭବଙ୍କ ଟିକେଟ ଘୋଷଣା ସମୟରେ ବୈଜୟନ୍ତଙ୍କୁ ନବୀନ କଟାକ୍ଷ କରିଥିଲେ । ଅନୁଭବ ଜଣେ ସ୍ୱଚ୍ଛ ଓ ନିର୍ମଳ ପ୍ରାର୍ଥୀ ଭାବେ ଦର୍ଶାଇବା ସହ ବୈଜୟନ୍ତ ଖଣି କମ୍ପାନୀରୁ ମାସିକ ଦୂରମା ନେଇ ଲୁଚାଇଥିବା କଥା କହିଥିଲେ । ସେତେବେଳେ ବୈଜୟନ୍ତ ଟ୍ୱିଟ କରି ଜବାବ ରଖିଥିଲେ । ଏବେ ପ୍ରାର୍ଥୀ ଅନୁଭବଙ୍କୁ ବିବାଦ ଭିତରକୁ ବୈଜୟନ୍ତ ଟାଣିଛନ୍ତି ।
ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ସମୟରେ ନବୀନ ସାଂସଦ ପ୍ରାର୍ଥୀ ତାଲିକା ପ୍ରକାଶ ବେଳେ ଜଣଜଣ କରି ସାଂସଦ ପ୍ରାର୍ଥୀଙ୍କ ସମ୍ପର୍କରେ ମତାମତ ରଖି ପ୍ରଶଂସା ରଖିଥିଲେ । ଏଥିରେ ଅନୁଭବଙ୍କ ନାମ ଯେତେବେଳେ ଘୋଷଣା କଲେ ସେତେବେଳେ କହିଲେ ଅନୁଭବ ରାଜ୍ୟସଭାରେ ଓଡ଼ିଶା ପାଇଁ ଲଢ଼େଇ କରିଛନ୍ତି । ମହାନଦୀ ଜଳବିବାଦ ପ୍ରସଙ୍ଗ ଓ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗରେ ଓଡ଼ିଶା ସ୍ୱାର୍ଥ୍ୟ ପାଇଁ କାର୍ଯ୍ୟ କରିଛନ୍ତି । ସେ ଅନ୍ୟମାନଙ୍କ ଭଳି ପ୍ରାର୍ôଥପତ୍ର ଦାଖଲ ସମୟରେ ଖଣି କମ୍ପାନୀରୁ ମାସିକ ଦରମା ନେଇ ଲୁଚାଇବେ ନାହିଁ । ଏଭଳି ମତ ରଖି ସିଧାସଳଖ ବୈଜୟନ୍ତଙ୍କୁ କଟାକ୍ଷ କରିଥିଲେ । କାରଣ ବୈଜୟନ୍ତ ଇମ୍ଫାରୁ ଅର୍ଥ ନେଉଥିବା ସମ୍ପକରେ ତାଙ୍କ ପ୍ରାର୍ଥୀ ପତ୍ରରେ ଉଲ୍ଲେଖ କରି ନ ଥିବା ନେଇ ତାଙ୍କ ବିରୋଧରେ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ମାମଲା କରାଯାଇଥିଲା । ଏହି ବିଷୟକୁ ଦର୍ଶାଇବାକୁ ଯାଇ ନବୀନ ଏଭଳି ବାଣ ମାରିଥିଲେ ।
ବୈଜୟନ୍ତ ବି ଚୁପ ହୋଇ ନ ରହି ସଙ୍ଗେ ସଙ୍ଗେ ପ୍ରତିକ୍ରୀୟା ଟ୍ୱିଟରେ ଦେଇଥିଲେ । ସେ କହିଥିଲେ କେବେ କଳ୍ପନା ବି କରି ନ ଥିଲି ନବୀନ ଏତେ ତଳକୁ ଖସିଯିବେ । ଲୋକମାନେ ମୋ ପରିବାରର ୬୦ ବର୍ଷର ପୁରୁଣା ଶିଳ୍ପ ସଂସ୍ଥା ସମ୍ପର୍କରେ ଅବଗତ ଥିବେ । ଯେଉଁ ସଂସ୍ଥା ସହ ଅନେକ ଦଶନ୍ଧି ଧରି ସ୍ୱର୍ଗତଃ ବିଜୁ ଅଙ୍କଲ ମଧ୍ୟ ବୋହୁତ ଘନିଷ୍ଠ ଆଉ ନିର୍ଭରଶୀଳ ଥିଲେ ବୋଲି କହିଥିଲେ । ବୈଜୟନ୍ତ ମଧ୍ୟ ଏହି ଅବସରରେ ନବୀନଙ୍କୁ ପାଲଟା ବାଣ ମାରିବାକୁ ପଛାଇ ନ ଥିଲେ । ନବୀନ କେନ୍ଦ୍ର ଖଣିମନ୍ତ୍ରୀ ଦାୟିତ୍ୱରେ ଥିଲା ବେଳେ କୋଇଲା ଆବଂଟନ ଦୁର୍ନୀତିରେ ଫସିଥିବା ନେଇ ଅଭିଯୋଗ ରହିଛି । ଏ କଥାକୁ ଦର୍ଶାଇ ବୈଜୟନ୍ତ ଉଲ୍ଲେଖ କରିଥିଲେ କୌଣସି କମ୍ପାନୀ ଗଠନ ହେବାର ବର୍ଷେ ପୂର୍ବରୁ ତାଙ୍କୁ ଖଣି ଲିଜ ଦେବାରେ ମୁଁ କେବେ ସମ୍ପୃକ୍ତ ହୋଇନାହିଁ । ଏହି ମତ ସମ୍ପୂର୍ଣ୍ଣଭାବେ ନବୀନଙ୍କ ଉଦ୍ଦେଶ୍ୟରେ ହିଁ ଥିଲା ।
ବୈଜୟନ୍ତ ଏବେ କେନ୍ଦ୍ରାପଡ଼ା ଓ ଅନ୍ୟାନ୍ୟ ଅଂଚଳକୁ ଯିବା ବେଳେ ହେଲିକପ୍ଟର ବ୍ୟବହାର କରୁଛନ୍ତି । ଏହି ହେଲିକପ୍ଟର ପାଇଁ ସେ ନିର୍ବାଚନ କମିଶନରଙ୍କଠାରୁ ଅନୁମତି ନେଇ ନଥିବା ଦର୍ଶାଇ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଏହି ଘଟଣା ପରେ ବୈଜୟନ୍ତ ଆଜି ଟ୍ୱିଟ କରି ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଅନୁଭବଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି । ବୈଜୟନ୍ତ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ବିଜେଡିକୁ ଛାଡୁନି ବୈଜୟନ୍ତ ପଣ୍ଡାଙ୍କ ଭୟ । ନବୀନ ନିଜର ତଥାକଥିତ ନରମ ସ୍ୱଭାବର ବିପରୀତ ଆଚରଣ କରି ବୈଜୟନ୍ତଙ୍କୁ କଟାକ୍ଷ କରିବା ସହ ବିଜେଡି ପ୍ରାର୍ଥୀ ଅନୁଭବ ଜଣେ ସ୍ୱଚ୍ଚ ପ୍ରାର୍ଥୀ ବୋଲି ଓକିଳାତି କିରବାକୁ ପଛାଇ ନ ଥିଲେ । ଯଦିଓ ଅତିତରେ ବେଆଇନ ଖଣି ପରିବହନ ଓ ଚେକ ବାଉନ୍ସ ମାମଲାରେ ଅନୁଭବ ଓ ତାଙ୍କ ଭାଈ ବିବାଦୀୟ ହୋଇଥିଲେ ବୋଲି ବୈଜୟନ୍ତ ଟ୍ୱିଟରେ ଦର୍ଶାଇଛନ୍ତି ।