OnaKhabar

ନବୀନ ବାବୁ ପୋଡା ଟାନ୍ସଫର୍ମର, ଉପାଡି ଫୋପାଡି ଦେବା ଦରକାର: ଅମିତ ଶାହ

0 13

ଉମରକୋଟ/ଭୁବନେଶ୍ୱର : ୧୯ ବର୍ଷ ପରେ ବି ଓଡିଶାକୁ ଓଡିଆ କହିବା ମୁଖ୍ୟମନ୍ତ୍ରୀ ମିଳିଲାନି । ମୁଖ୍ୟମନ୍ତ୍ରୀ ଓଡିଆରେ ଭାଷଣ ଦେଇପାରିବେ ନାହିଁ । ଏଣୁ ଓଡିଆ ଭାଷା ବୁଝୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛନ୍ତୁ । ଓଡିଶାରେ ଏଥର ପରିବର୍ତନ ସୁନିଶ୍ଚିତ । ପୂରା ଦେଶର ଜନତା ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବନେଇବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ଉମରକୋଟରେ ବିଜେପିର ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେଇ
କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶ୍ରୀ ଶାହା କହିଛନ୍ତି ଯେ, ଆଜି ୫୦ ଲକ୍ଷ ପରିବାର ଓଡିଶାରେ କଚ୍ଚା ଘରେ ରହୁଛନ୍ତି । ବିଜେପି ଶାସିତ ରାଜ୍ୟରେ ପ୍ରତି ଗରୀବଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି । ରାଜ୍ୟରେ ଥିବା କିଛି ଗାଁକୁ ଛାଡିଦେଲେ ବାକି ସମସ୍ତ ଗାଁକୁ ପିଇବା ପାଣି ପହଂଚି ନାହିଁ । ୧୯ ବର୍ଷ ପରେ ବି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ପିଇବା ପାଣି ଯୋଗାଇ ପାରିଲେ ନାହିଁ । ୧୨ ହଜାର ଗ୍ରାମରେ ଆଜି ବି ପକ୍କା ସଡକ ନାହିଁ । ୮ ଲକ୍ଷ ୪୦ ହଜାର ଶିଶୁ କୁପୋଷଣର ଶିକାର ହୋଇଛନ୍ତି । ରାଜ୍ୟରେ ଗୋଟିଏ ବିଶ୍ୱବିଦ୍ୟାଳୟ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇନାହିଁ । ୭ ପ୍ରତିଶତ ବିଦ୍ୟାଳୟରେ ଶିକ୍ଷକ ନାହଁନ୍ତି । ୬୬% ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦ ଜଣ ଛାତ୍ର ପାଇଁ ଜଣେରୁ କମ୍ ଶିକ୍ଷକ ଅଛନ୍ତି । ମୋଦୀ ସରକାର ଶାସିତ ଅଂଚଳରେ ୨୪ ଘଂଟା ବିଜୁଳି ରହୁଛି । ନବୀନ ବାବୁ ୨୪ ଘଂଟା ବିଜୁଳି ଯୋଗାଇ ପାରିବେନି । ଯିଏ ହସ୍ପିଟାଲରେ ଡାକ୍ତର ଯୋଗାଇ ପାରୁନାହାଁନ୍ତି ସେ ବିଜୁଳୀ କଣ ପହଂଚାଇବେ ବୋଲି ଶ୍ରୀ ଶାହା କହିଛନ୍ତି ।
ଶ୍ରୀ ଶାହା କହିଛନ୍ତି ଯେ, ଓଡିଶାର ବିକାଶରେ ମୋଦୀ ୫ ଲକ୍ଷ ୫୬ ହଜାର କୋଟି ଅନୁଦାନ ଦେଇଛନ୍ତି । ମୋଦୀ ସରକାର ପଠାଇଥିବା ଅର୍ଥକୁ
ରାଜ୍ୟର ଅଫିସର କମିଶନ ଭାବେ ଖାଇଯାଇଛନ୍ତି । ରାଜ୍ୟରେ ୪ଟି ରେଲୱ ପ୍ରୋଜେକ୍ଟ ପାଇଁ ମୋଦୀ ସରକାର ଓଡିଶାକୁ ୪୩ ହଜାର କୋଟି, ଜନଧନ ଯୋଜନା ପାଇଁ ୨ ହଜାର କୋଟି , ଖାଦାନ ନିଲାମୀ ପାଇଁ ୧୪ ହଜାର କୋଟି, ନୂଆ ସଂସ୍ଥା ପାଇଁ ୧୬ଶହ କୋଟି , ସାଗରମାଳା ପ୍ରୋଜେକ୍ଟ ପାଇଁ ୨୫ ହଜାର ୯ଶହ କୋଟି ଅନୁଦାନ ପ୍ରଦାନ କରିଛନ୍ତି । ମୋଦୀ ୫ ବର୍ଷରେ ଯାହା କରିଛନ୍ତି ମୁଁ ହିସାବ ଦେଇଛି । ନବୀନ ବାବୁ ୧୯ ବର୍ଷରେ କ’ଣ କରିଛ ତାହାର ହିସାବ ଦିଅନ୍ତୁ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି ।
ପୋଡା ଟ୍ରାନ୍ସଫର୍ମର ବଦଳାଇବା ଦରକାର । ମୋଦୀ ସରକାର ଅନେକ ପ୍ରୋଜେକ୍ଟ ଏବଂ ତଦାନୁଯାୟୀ ଅନୁଦାନ ଅର୍ଥ ଓଡିଶାକୁ ପଠାଉଛନ୍ତି ।
କିନ୍ତୁ ଓଡିଶା ଟ୍ରାନ୍ସଫର ପୋଡିଯାଇଛି । ସେଥିଲାଗି ରାଜ୍ୟରେ ବିକାଶ ହୋଇପାରୁନାହିଁ । ପୋଡିଯାଇଥିବା ଟ୍ରାନ୍ସଫର୍ମରକୁ ଉପାଡି ଫୋପାଡି ଦେବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାରର ଡବଲ ଇଜିଂନ ଦରକାର । ବଙ୍ଗଳାଦେଶର ଶରଣାର୍ଥୀକୁ ନାଗରିକତ୍ୱ ଦେବା ପାଇଁ ବିଜେପି ଚାହୁଁଥିବାବେଳେ ପଶ୍ଚିମବଙ୍ଗ ସରକାର ବାଧକ ସାଜିଛି । ମମତା ଦିଦି ଏବଂ ନବୀନ ବାବୁ ଯେତେ ଚାହିଁଲେ ବି ମୋଦୀ ସରକାର ପୁଣି ଥରେ କେନ୍ଦ୍ରରେ ଆସିବ । ବିଜେପି ସରକାର ଆସିଲେ ହିନ୍ଦୁ, ଶିଖ୍ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ବିଲ ପାସ କରି ଭାରତ ନାଗରିକର ମାନ୍ୟତା ଦେବ ବୋଲି ଶ୍ରୀ ଶାହା କହିଛନ୍ତି । ୭ କୋଟି ଗରୀବ ଲୋକଙ୍କୁ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଛି । ୮ କୋଟି ଗରୀବଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି । ୨ କୋଟି ଗରୀବ ଲୋକଙ୍କୁ ପକ୍କା ଘର ଏବଂ ୨ କୋଟି ୩୫ ଲକ୍ଷ ଘରେ ବିଜୁଳୀ ପହଂଚାଇବ କାମ ବିଜେପି ସରକାର କରିଛି । ୫୦ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି । ଏବେ ସବୁ କିଷାନଙ୍କୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି । ଦେଶକୁ ସୁରକ୍ଷିତ ରଖିବାର କାମ ମୋଦୀ କରିଛନ୍ତି । ପୁଲୱାମାରେ ୪୦ ଯବାନଙ୍କ ବଦଲା ମୋଦୀ ସରକାର ୧୨ ଦିନ ଭିତରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀ କ୍ୟାମ୍ପ ଧ୍ୱସଂ କରିବାର କାର୍ଯ୍ୟ କରିଛନ୍ତି । କିନ୍ତୁ ବିରୋଧୀ ରାହୁଲଙ୍କୁ ଏହା ପସନ୍ଦ ହେଉନି । ତାଙ୍କ ଗୁରୁ ସାମ ପିଟ୍ରୋଡା କଥା ଶତ୍ରୁ ସହ କଥାବାର୍ତା କରିବାକୁ ଚାହୁଁଛନ୍ତି ।
ଶତ୍ରୁ ପଟୁ ଗୁଳି ଆସିଲେ ଏପଟୁ ଗୋଳା ଯିବ । ମୋଦୀ ବ୍ୟତୀତ ଏହି ଦେଶକୁ କେହି ସୁରକ୍ଷା ଦେଇପାରିବେନି କି ଦେଶକୁ ଆଗକୁ ନେଇପାରିବେନି ବୋଲି ଶ୍ରୀ ଶାହା କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, ଗୌରୀଶଙ୍କର ମାଝୀ, ପଦ୍ମ୍ନନାଭ
ନାୟକଙ୍କ ସମେତ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ, ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.