OnaKhabar

ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର

ମୁନିଗୁଡ଼ା/ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ଆଜି ରାଜ୍ୟରେ ପ୍ରମୁଖ ସହରମାନଙ୍କର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡିଥିବାର ସୂଚନା ମିଳିଛି | ତେବେ ଏହି ଦୁଇ ଦୁର୍ଘଟଣା ଟ୍ରକ ଦ୍ୱାରା ହୋଇଥିବାର ସୂଚନା ମିଳିଛି | ଗୋଟେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ରେଳ ଫାଟକ ନିକଟରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱର ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି | ସୂଚନାମୁତାବକ, ଟ୍ରକ୍ ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବିଷମ କଟକ ଥାନା ଅନ୍ତର୍ଗତ ମର୍ଥଗୁଡ଼ାର ବୈଷ୍ଣବ ନାଣକା । ଟ୍ରକ୍‌ଟି ରେଳ ଫାଟକ ପାର ହେଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପଛକୁ ଗଡ଼ି ଆସିଥିଲା । ସେହି ସମୟରେ ଟ୍ରକ୍ ପଛରେ ବାଇକ ଧରି ବୈଷ୍ଣବ ଠିଆ ହୋଇଥିଲେ । ଟ୍ରକ୍‌ଟି ଗଡ଼ି ଯାଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ତେବେ ଏହି କାଣ୍ଡ ଭିଆଇ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି |
ସେହିପରି, ବନ୍ଧୁ ଘରକୁ ନିମନ୍ତ୍ରଣ କରିବା ପାଇଁ ବାଇକରେ ଯାଉଥିବା ବେଳେ ରାସ୍ତାରେ ଟ୍ରାକ୍ଟର ପିଟିଦେବାରୁ ଖୁଡ଼ିଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁତୁରା ଗୁରୁତର ଆହତ ହୋଇଛନ୍ତି । ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ପଦ୍ମପୁର ଗାଁରରେ ଘଟିଛି | ନଦୀଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଖୁଦି ଓ ପୁତୁରା ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଖୁଡିଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁତୁରାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାର ସୂଚନା ମିଳିଛି |

https://www.onakhabar.com/car-accident-one-dead-and-one-injuired/