OnaKhabar

ସେବେ ଫୁଲ ତୋଡ଼ା ନେଲେ ନି ଏବେ ହାତ ମିଳାଇ କଥା ହେଲେ

48

ଭୁବନେଶ୍ୱର (ଓଏନଏ): ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପିକୁ ଫେରି ଆସିଛନ୍ତି । ଗୁରୁବାର ସେ ବିଧିବଦ୍ଧ ଭାବେ ଦଳୀୟ କାର୍ଯ୍ୟାଳକୁ ଆସିଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଶୁକ୍ରବାର ତାଙ୍କୁ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସଭାରେ ଦେଖିବାକୁ ମିଳିଥିଲା । ଦଳରେ ଏବେ ତାଙ୍କର ପୂର୍ବ ଗୁରୁତ୍ୱ ପୁଣି ଫେରି ଆସିଥିବା କ୍ରମେ ଦେଖାଯାଉଛି । ସବୁ ନେତା ବିଜୟଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଏପରି କି ଦିନେ ଯେଉଁ ପ୍ରଧାନମନ୍ତ୍ରୀ ବିଜୟଙ୍କ ହାତରୁ ଫୁଲତୋଡ଼ା ନ ନେଇ ଏଡ଼ାଇ ଯାଇଥିଲେ ଆଜି ଜୟପୁର ସଭାରେ ସେହି ମୋଦି ବିଜୟଙ୍କ ସହ ହାତ ମିଳାଇ କିଛି ବାର୍ତ୍ତାଳାପ କରୁଥିବା ଦେଖାଯାଉଥିଲା । ମୋଦି ବିଜୟଙ୍କୁ ଦେଖି ବେଶ ଖୁସି ହୋଇଥିଲେ ଓ କିଛି କହିଥିଲେ । ଏଥିରୁ ଜଣାପଡୁଛି ପଛକଥା ଭୁଲି ବିଜୟଙ୍କୁ ଦଳର ସର୍ବୋଚ୍ଚ ନେତାମାନେ ଆପଣାଇ ନେଲେଣି ।
ଗତ ନଭେମ୍ବର ୩୦ ତାରିଖରେ ବିଜୟ ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ବିଭିନ୍ନ କାରଣ ଦର୍ଶାଇ ବହୁ ଅଭିଯୋଗ ବାଢ଼ିଥିଲେ । ହେଲେ ଇସ୍ତଫାର ଢ଼େର ଦିନ ପୂର୍ବରୁ ଦଳ ସହ ତାଙ୍କର ସମ୍ପର୍କ ଏକ ପ୍ରକାର ତିକ୍ତ ହୋଇ ସାରିଥିଲା । ବିଜୟ ଦଳ କାର୍ଯ୍ୟାଳୟକୁ ଆଉ ଯାଉ ନ ଥିଲେ କି ଦଳୀୟ ନେତାମାନଙ୍କ ସହ ଯୋଗାଯୋଗ ରଖୁ ନ ଥିଲେ । ଅନ୍ୟ ପଟରେ ଦଳର ସବୁ କାର୍ଯ୍ୟକ୍ରମକୁ ବିରୋଧ କରୁଥିଲେ । ଏଭଳି ମତ ରଖୁଥିଲେ ଯେଉଁଥିରେ ବିଜେପି ପାଇଁ ଅଡୁଆ ହେଉଥିଲା ଓ ବିଜେଡି ପାଇଁ ସୁବିଧାଜନକ ହେଉଥିଲା । ସେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଦଳ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ ଅନ୍ୟ ନେତାମାନଙ୍କୁ ସମାଲୋଚନା କରୁଥିଲେ । ଏମାନଙ୍କ କାର୍ଯ୍ୟଧାରାକୁ ସେ ସିଧାସଳଖ ଚ୍ୟାଲେଞ୍ଜ କରୁଥିଲେ । ଦଳରୁ କ୍ରମେ ସେ ଦୂରେଇ ଯିବା ନେଇ ସୂଚନା ମଧ୍ୟ ଦେଉଥିଲେ । ଏ କ୍ଷେତ୍ରରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ୨୦୧୫ ଏପ୍ରିଲରେ ଓଡ଼ିଶାରେ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଦଳର ବହୁ ବରିଷ୍ଠ ନେତା ଆସିଥିଲେ । ସେ ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ ଆସୁଥିବା ମୋଦିଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବାକୁ ବିଜେପିର ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ । ବିଜୟ ମହାପାତ୍ର ମଧ୍ୟ ଏକ ଫୁଲ ତୋଡ଼ା ଧରି ସ୍ୱାଗତ କରିବାକୁ ଛିଡ଼ା ହୋଇଥିଲେ । ଦେଖାଯାଇଥିଲା ମୋଦି ସମସ୍ତଙ୍କ ସହ କଥା ହୋଇ ମିଳାଇ ଆସିଲା ବେଳେ ବିଜୟଙ୍କ ପାଖରେ ପହଂଚିଥିଲେ । ବିଜୟ ମୋଦିଙ୍କ ଆଡ଼କୁ ଧରିଥିବା ଫୁଲତୋଡ଼ା ବଢ଼ାଇଲା ବେଳେ ସେ ତାହା ନ ଧରି ସିଧା ଆଗକୁ ଯାଇ ବିଜୟଙ୍କ ପାଖରେ ଛିଡ଼ା ହୋଇଥିବା ଦିଲ୍ଲୀପ ରାୟଙ୍କ ସହ ହାତ ମିଳାଇଥିଲେ । ବିଜୟଙ୍କ ହାତରୁ ଫୁଲ ତୋଡ଼ା ନେବା ତ ଦୂରର କଥା ତାଙ୍କ ସହ ହାତ ମଧ୍ୟ ମିଳାଇଲେ ନାହିଁ । ମୋଦିଙ୍କୁ ଦେବାକୁ ଆଣିଥିବା ଫୁଲ ତୋଡ଼ା ବିଜୟଙ୍କ ହାତରେ ହିଁ ରହିଗଲା । ଏ ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।
ଏହି ଘଟଣା ବିଜୟଙ୍କୁ ସେତେବେଳେ ଢ଼େର ଅପମାନିତ କରିଥିଲା । ଏହା ପରେ ବିଜୟ ଅଧିକ ବିଜେପି ବିରୋଧୀ ହୋଇ ପଡ଼ିଥିଲେ । ମୋଦି ଓ ଶାହ ଓଡ଼ିଶାକୁ ଦଳୀୟ କାର୍ଯ୍ୟକ୍ରମରେ ଯେତେଥର ଆସିଲେ ବିଜୟ ଆଉ ଗଲେ ନାହିଁ । ଦଳରେ ଥିଲେ ମଧ୍ୟ ବିଜୟ କାର୍ଯ୍ୟକ୍ରମରେ ଯୋଗଦେଲେ ନାହିଁ । ମହାନଦୀଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବିଜୟ ଦଳୀୟ ନେତାମାନଙ୍କୁ ଟାର୍ଗେଟ କରିବାରେ ଲାଗିଲେ । ବିଜେପି ନେତାଙ୍କ ସହ ତାଙ୍କର ତିକ୍ତତା ବଢ଼ିବାରେ ଲାଗିଲା । ସେ ବିଜେପି ନେତାଙ୍କୁ ମାଡ଼ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁହାଇଲା ଭଳି ବକ୍ତବ୍ୟମାନ ରଖିଲେ । ଶେଷରେ ସେ ନଭେମ୍ବର ୩୦ରେ ଦଳ ଛାଡ଼ିଲେ । କିନ୍ତୁ ସେ ବିଜେଡିରେ ମିଶିବେ ବୋଲି କୁହାଯାଉଥିଲେ ମଧ୍ୟ ତାହା ହୋଇ ନଥିଲା । ମିଶିବା ନେଇ ବିଜୟ କେବେ ମୁହଁ ଖୋଲି କହି ନ ଥିଲେ । ଏଥର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସବୁ ଯେପରି ଓଲଟପାଲଟ ହୋଇଗଲା । ବିଜୟ ଦେଇଥିବା ଇସ୍ତଫା ପତ୍ରକୁ ବିଜେପି ଗ୍ରହଣ ନ କରି ତାଙ୍କୁ ଫେରାଇ ନେବାକୁ ଚାହିଁଲା । ଦଳର ପ୍ରଭାରୀ ଓ ଅନ୍ୟ ନେତାମାନେ ତାଙ୍କ ଘରକୁ ଯାଇ ତାଙ୍କୁ ପାଛୋଟି ଆଣିଲେ । ଗୁୁରୁବାର ତାଙ୍କୁ ଦଳକୁ ପାଛୋଟି ଆଣିଲେ ଆଉ ସେ ଶୁକ୍ରବାର ଜୟପୁର ଯାଇ ମୋଦିଙ୍କ କାର୍ଯ୍ୟକ୍ରମରେ ଭାଗନେଲେ । ମୋଦି ସେଠାରେ ଅନ୍ୟ ନେତାମାନଙ୍କ ସହ ହାତ ମିଳାଇ ଚାଲି ଯାଉଥିଲା ବେଳେ ବିଜୟଙ୍କ ସହ ହାତମିଳାଇଲା ବେଳେ ହସିଥିଲେ ଓ କିଛି କଥା ମଧ୍ୟ ତାଙ୍କ ସହ ହୋଇଥିଲେ । ଯେଉଁ ମୋଦି ଦିନେ ବିଜୟଙ୍କ ହାତରୁ ଫୁଲତୋଡ଼ା ଗ୍ରହଣ କରି ନ ଥିଲେ ସେ ଆଜି ବିଜୟଙ୍କୁ ବେଶ ସାଦର ଗ୍ରହଣ କରିଥିବା ଦେଖାଯାଇଥିଲା ।