OnaKhabar

ନବୀନଙ୍କ ମୁଣ୍ଡରେ ଚିଟଫଣ୍ଡ ଓ ଖଣି ଦୁର୍ନୀତିର କଳଙ୍କ ଲଗାଇଲେ ମୋଦି

0 14

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାଗସ୍ତରେ ଆଜି ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଆସି ସିଧାସଳଖ ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରିଥିଲେ । ନବୀନ ସରକାରଙ୍କ ମୁଣ୍ଡରେ ଚିଟଫଣ୍ଡ ଓ ଖଣି ଦୁର୍ନୀତିର କଳଙ୍କ ଲଗାଇବା ସହ ଗରିବ ବିରୋଧୀ ଅଭିଯୋଗ ମଧ୍ୟ ଆଣିଛନ୍ତି । ମୋଦି ପୂର୍ବରୁ ଓଡିଶାକୁ ଅନେକ ସମୟରେ ଆସିଛନ୍ତି । ନିର୍ବାଚନ ଘୋଷଣାର କିଛି ମାସ ପୂର୍ବରୁ ମୋଦି ତିନିଥର ଓଡିଶା ଆସିଥିଲେ । ଖୋର୍ଦ୍ଧା, ବଲାଙ୍ଗୀର ଓ ବାରିପଦାରେ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ ସଭାରେ ଉଦବୋଧନ ଦେଇଥିଲେ । କିନ୍ତୁ ନବୀନ ସରକାରଙ୍କ ବିରୋଧରେ ସିଧାସଳଖ କୌଣସି କଟୁ ମନ୍ତବ୍ୟ ଦେଇନଥିଲେ । ତାକୁ ନେଇ ସେତେବେଳେ ରାଜନୀତିକ ମହଲରେ ବହୁ ଚର୍ଚ୍ଚା ହୋଇଥିଲା । ଏବେ ନିର୍ବାଚନ ପ୍ରଚାରକୁ ଆସୁଥିବା ବେଳେ ନବୀନଙ୍କ ଉପରେ ମୋଦି ବର୍ଷିବେ କି ନାହିଁ ତାହାକୁ ନେଇ ଆଶା ଆଶଙ୍କା ଲାଗି ରହିଥିଲା । ଏଥର ମୋଦି ଆଉ ନବୀନଙ୍କୁ ଛାଡି ନାହାନ୍ତି ।

ମୋଦି କହିଛନ୍ତି, ୨୦୧୯ ନିର୍ବାଚନ ସାଂସଦ ଏବଂ ବିଧାୟକ ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଂଜିନ ଲଗାଉଥିବା ନିର୍ବାଚନ ହେଉଛି । ଏହା ୫ ବର୍ଷରେ ମଜବୁତ ଓଡିଶା ଗଠନରେ ସହାୟକ ହେବା ଓଡିଶା ଯୁବକ,କୃଷକ, ମହିଳା ଆଗକୁ ବଢିଲେ ରାଜ୍ୟରେ ମଜବୁତ ସରକାର ହେବ । ଓଡିଶା ଏବଂ ଭାରତକୁ ମଜବୁତ କରୁଥିବା ସରକାର ଦରକାର । ୧୦ ପାଦ ଚାଲିବା ପାଇଁ ୧୦ ମିନିଟ ଲାଗୁଥିବା ସରକାର ଦରକାର ନାହିଁ । ବିଜେଡି ବିକାଶ ପାଇଁ ସମୟ ନେଇଛି । ଲୋକଙ୍କ ଭରସା ଭାଙ୍ଗିଛି । ଏଥିପାଇଁ ଏ ସରକାରକୁ ଦଣ୍ଡ ମିଳିବା ଉଚିତ । ଏବେ ସମୟ ଆସିଛି ଏହି ସୁଯୋଗ ହାତଛଡା କରିବା ଉଚିତ ନୁହେଁ । ଏ ସରକାର ହଟିବା ଦରକାର । ମୋଦି କହିଛନ୍ତି, ଯେଉଁ ସରକାର ନକ୍ସଲ ହିଂସା ନିୟନ୍ତ୍ରଣ କରିପାରୁ ନାହିଁ ତାକୁ ଦଣ୍ଡ ମିଳିବା ଆବଶ୍ୟକ ।
ନବୀନଙ୍କ ଉପରକୁ ସିଧା ବାଣ ମାରି ମୋଦି କହିଛନ୍ତି, ଚିଟଫଣ୍ଡ ଘୋଟାଲା କରିଥିବା ଓ ଗରିବଙ୍କୁ ଲୁଟିଥିବା ସରକାର ଓଡିଶାକୁ ମଜବୁତ କରିପାରିବ ନାହିଁ କିମ୍ବା ରାଜ୍ୟର ବିକାଶ କରିପାରିବ ନାହିଁ । ଖଣି ମାଫିଆଙ୍କୁ ମୁହଁ ଦେଇଥିବା ଲୋକ ରାଜ୍ୟକୁ କେବେବି ମଜବୁତ କରିପାରିବେ ନାହିଁ । ଯେଉଁ ରାଜ୍ୟରେ ମହିଳା ଅସୁରକ୍ଷିତ ଓ ନ୍ୟାୟ ଦେବାରେ ବିଫଳ ସେ ସରକାର ଓଡିଶାକୁ ସୁରକ୍ଷିତ କରିପାରିବ ନାହିଁ । ଏ ସରକାରକୁ ଜବାବ ମିଳିବା ଦରକାର । ଭୋଟରେ ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି ହିଁ ରାଜ୍ୟର ବିକାଶ କରିପାରିବ । ଏହି ବିକାଶ ଆପଣଙ୍କ ଚୌକିଦାର ହିଁ କରିପାରିବ । ଥରେ ସୁଯୋଗ ଦେଇ ଦେଖନ୍ତୁ । ଯେତେବେଳେ ଆମେ ଏବଂ ଆପଣ ମିଶି ସଜାଗ ରହିବୁ ସମସ୍ତ ଭ୍ରଷ୍ଟାଚାରୀ ଡରିବେ । ଏହି କାମରେ ମୋଦୀ ଆପଣଙ୍କ ସହ ରହିଛନ୍ତି ବୋଲି ସେ କହିଥିଲେ ।

ମୋଦି ଆହୁରି କହିଥିଲେ ଯେ, ଓଡଶା ପ୍ରାକୃତିକ ସମ୍ପଦରେ ଭରପୁର । ଏହି ସମ୍ପଦ ଗୁଜୁରାଟରେ ଥିଲେ ଗୁଜୁରାଟ ଆହୁରି ବିକାଶ ହୋଇଥାନ୍ତା । ଏଠାରେ ଘନ ଜଙ୍ଗଲ, ହ୍ରଦ, ସମୁଦ୍ର ସମସ୍ତ ସୁଯୋଗ ଅଛି । ଯୁବକଙ୍କୁ ରୋଜଗାର ପାଇଁ ଅନେକ ସୁଯୋଗ ରହିଛି । କିନ୍ତୁ ଏଠାକାର ଲୋକ ଗରିବ । ଏହା କଂଗ୍ରେସ ଏବଂ ବିଜେଡି ସରକାର କାରଣରୁ ହୋଇଛି । ଗତ ୬୦ ବର୍ଷ ହେଲା କଂଗ୍ରେସ ଓଡିଶାକୁ ଗରିବ କରି ରଖିଛି । ଗରିବ ଏବଂ ଆଦିବାସୀଙ୍କ ନାମରେ ଯୋଜନା ହେଉଛି କିନ୍ତୁ ସୁଫଳ ମିଳୁନାହିଁ । ନବୀନଙ୍କ ଗ୍ରାମରେ ସୁବିଧା ନାହିଁ । ଏହା ଓଡିଶାବାସୀ ଭଲ ଭାବେ ଜାଣନ୍ତି । ଓଡିଶା ବିକାଶରେ ପଛରେ ପଡିଛି । କୋରାପୁଟରେ ଏପରି ଘଟଣା ଦେଶ ଦେଖିଛି କି ମୃତ୍ୟୁ ପରେ ମଧ୍ୟ ଲୋକ ଅପମାନିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।
ପ୍ରଧାନମନ୍ତ୍ରୀ ପୁଣି ଆୟୁଷ୍ମାନ ଯୋଜନା କଥା ଉଠାଇ କହିଥିଲେ ଏହାକୁ ରାଜ୍ୟ ସରକାର ଲାଗୁ କଲେ ନାହିଁ । ୧୭ ଲକ୍ଷ ଗରିବ ରୋଗୀ ଏହାର ଲାଭ ପାଇଛନ୍ତି । ନବୀନ ଏଥିରେ ସାମିଲ ହେଉନାହାନ୍ତି । କୃଷକଙ୍କ ସହ ମଧ୍ୟ ରାଜ୍ୟ ସରକାର ଧୋକା କରିଛନ୍ତି । ପିଏମକିଷାନ ନିଧୀ ପାଇଁ ତାଲିକା ଦେଉନାହାନ୍ତି । ଦେଶର କୃଷକଙ୍କୁ ଲାଭ ମିଳୁଛି କିନ୍ତୁ ରାଜ୍ୟ ସରକାର ରାଜନୀତି କରି ଏହାକୁ ରୋକୁଛନ୍ତି । କେବଳ ଏତିକି ନୁହେଁ କାଳିଆ ଯୋଜନାରେ ମିଛ ହିତାଧିକାରୀଙ୍କୁ ସୁଯୋଗ ମିଳୁଛି । ଆଦିବାସୀ ଅଂଚଳର ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ମିନେରାଲ ଫଣ୍ଡକୁ ଏଠାରେ ବିକାଶ ପାଇଁ ଲଗାହୋଇଥାନ୍ତି । ରାଜ୍ୟକୁ ୬୫୦୦ କୋଟି ମିଳିଥିଲା । କିନ୍ତୁ ଏଠାକାର ସରକାର ଗରିବ ଆଦିବାସୀଙ୍କ ପାଇଁ କେବଳ ୧୦୦୦ କୋଟି ଖର୍ଚ୍ଚ କରିଛନ୍ତି । ଏହି ସରକାର ରାଜ୍ୟରୁ ଯିବା ଦରକାରା । ହାରିବ ଦରକାର । ଓଡିଶାରେ ପରିବର୍ତନ ହେବା ଦରକାର । ଏନଡିଏ ସରକାରରେ ବିହାର, ୟୁପିରେ ଅନେକ ବିକାଶମୂଳକ କାର୍ଯ୍ୟ ହେଉଛି, ବିଜେପି ସରକାର ଥିଲେ ଏଠାରେ ମଧ୍ୟ ହୋଇଥାନ୍ତା । ଚଳିତ ଥର ଏହା ସମ୍ଭବ ହେବ । ଏଠାକାର ସରକାର ଜନତାଙ୍କୁ ପକେଟରେ ରଖିଥିବା ଭାବୁଛନ୍ତି । ସେମାନଙ୍କୁ ଝଟକା ଦେବା ଦରକାରା ବୋଲି ମୋଦି ଆହ୍ୱାନ ଦେଇ କହିଥିଲେ ବିଜେପିର ଡବଲ ଇଞ୍ଜିନ ଓଡିଶାର ବିକାଶକୁ ଆଗକୁ ନେବାରେ ସଫଳ ହେବ ।

https://www.onakhabar.com/reached-pm-modi-at-jaypore/

Leave A Reply

Your email address will not be published.