OnaKhabar

ନବୀନଙ୍କ ନୀତିକୁ ପାଟ୍ଟଶାଣୀଙ୍କ ବିରୋଧ

80

ଭୁବନେଶ୍ୱର (ଓଏନଏ): ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳୀୟ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଏପରି କି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରୁଛନ୍ତି । ଏଭଳି ଏକ ସୂଚନା ସେ ତାଙ୍କ ପତିକ୍ରୀୟାରେ ଦେଇଛନ୍ତି । ନବୀନଙ୍କ ଭଳି ପାଟ୍ଟଶାଣୀଙ୍କର ଗୋଟିଏ ବାକ୍ୟର ସୁଦୁର ପ୍ରସାରୀ ପ୍ରଭାବ ରହିଛି ବୋଲି କୁହାଯାଉଛି । ପାଟ୍ଟଶାଣୀ ଯେଉଁ ମତ ରଖିଛନ୍ତି ତାହା ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ତ୍ତମାନର ଟିକେଟ ବଣ୍ଟନ ପର ିସ୍ଥିତିରେ ବେଶ ବିବାଦୀୟ ବୋଲି କୁହାଯାଉଛି ।
ନୂଆ ମୁହଁ ଦେବାପାଇଁ ନବୀନ ଯେଉଁ ପଦକ୍ଷେପମାନ ଅଧିକାଂଶ ନିର୍ବାଚନମଣ୍ଡଳୀରେ ନେଉଛନ୍ତି ତାହାକୁ ଶ୍ରୀ ପାଟ୍ଟଶାଣୀ ବିରୋଧ କରିଛନ୍ତି । ନୂଆ ବ୍ୟକ୍ତି ନିର୍ବାଚନମଣ୍ଡଳୀ ଚିହ୍ନିବାରେ ସମୟ ପଳେଇବ ବୋଲି ସେ ମତ ରଖିଛନ୍ତି । ପୁରୁଣାକୁ ଆପଣାଇବା ପାଇଁ ସେ ଏକ ପ୍ରକାର ନବୀନଙ୍କ ଉପରେ ଚାପ ରଖିବା ପାଇଁ ଉଦ୍ୟମ କରିଛନ୍ତି ।
ଏଥର ଭୁବନେଶ୍ୱର ଲୋକସଭା ଆସନରୁ ପାଟ୍ଟଶାଣୀଙ୍କ ବଦଳରେ ବିଜେଡି ବମ୍ବେର ପୂର୍ବତନ ପୁଲିସ କମିଶନର ଅରୁପ ପଟ୍ଟନାୟକ ଦଳରେ ଯୋଗଦେବା ପରେ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି । କୁହାଯାଉଛି ଏକ ପ୍ରକାର ନିଷ୍ପତ୍ତି ମଧ୍ୟ ସରିଯାଇଛି । ତାଙ୍କ ନା’ ଘୋଷଣା ହୋଇ ନ ଥିଲେ ମଧ୍ୟ ସେ ଏକ ପ୍ରକାର ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି । କିନ୍ତୁ ଯେହେତୁ ବିଦ୍ଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ ସେଥିପାଇଁ ପାଟ୍ଟଶାଣୀ ଶେଷ ଆଶା ଛାଡ଼ିନାହାଁନ୍ତି । ତାଙ୍କ ଭଳି ଜଣେ ବରିଷ୍ଠ ସାଂସଦଙ୍କୁ ଏବେ ଘନଘନ ନବୀନ ନିବାସ ଯିବା ଦେଖିବାକୁ ମିଳୁଛି । ଏଥର ପାଟ୍ଟଶାଣୀ ଏକା ନ ଯାଇ ତାଙ୍କ ବଡ଼ ପୁଅକୁ ସାଥୀରେ ଧରି ଯିବା ଦେଖାଯାଇଛି । ସୋମବାର ସେ ପୁଅକୁ ଧରି ନବୀନ ନିବାସ ଯାଇଥିଲେ । ତାଙ୍କର ଭୁବନେଶ୍ୱର ଲୋକସଭା ଆସନରେ ଏଥର ଦଳ ତାଙ୍କୁ ପ୍ରାର୍ଥୀ ନ କରି ନୂଆ ମୁହଁ ଦେବାପାଇଁ ଯୋଜନା କରିଥିବାରୁ ଏହା ଉପରେ ପ୍ରତିକ୍ରୀୟା ରଖି ପାଟ୍ଟଶାଣୀ କହିଥିଲେ “ଯଦି ଭୁବନେଶ୍ୱର ଆସନ ପାଇଁ ନବୀନ ନୂଆ ମୁହଁକୁ ସୁଯୋଗ ଦିଅନ୍ତିି ତେବେ ସେ ୭ଟି ନିର୍ବାଚନମଣ୍ଡଳୀକୁ ବୁଲିବା ଭିତରେ ସମୟ ସରିଯାଇଥିବ ।” ପାଟ୍ଟଶାଣୀଙ୍କର ଏହି ଧାଡ଼ିଏ ମନ୍ତବ୍ୟର ଅନେକ କିଛି ସୂଚନା ମିଳୁଛି । ସେ ଏକ ପ୍ରକାର ନବୀନଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରୁଥିବା ସ୍ପଷ୍ଟ ହେଉଛି । ନୂଆ ପ୍ରାର୍ଥୀ ବୁଲିକି ଲୋକଙ୍କ ପାଖରେ ପହଂଚିଲା ବେଳକୁ କାମ ସରିଯାଇଥିବ । ଏଣୁ ତାଙ୍କୁ ଦଳ ପୁଣି ପ୍ରାର୍ଥୀ କରିବା ଲାଗି ସେ ଏକ ପ୍ରକାର ମତ ରଖିଛନ୍ତି । ଅଥଚ ସେ କହିବାକୁ ଚାହୁଁଛନ୍ତି ନୂଆ ଲୋକ ଦେଲେ ସେ ଜିତିପାରିବେ ନାହିଁ । ଏହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଏଥର ଅଧିକାଂଶ ଲୋକସଭା ଆସନରେ ନବୀନ ଯେଉଁ ନୂଆ ମୁହଁ ଦେଇଛନ୍ତି ସେ ନିଷ୍ପତ୍ତି ତାଙ୍କର ଭୁଲ ହେବ । ଦଳ ଘାଟାରେ ପଡ଼ିବ । ନୂଆ ଲୋକ ନିର୍ବାଚନବମଣ୍ଡଳୀରେ ପରିଚିତ ହୋଇ ଲୋକଙ୍କ ମନ ଜିଣିବା ଲାଗି ସମୟ ଲାଗିବ । ନୂଆ ଲୋକଙ୍କୁ ଲୋକେ ହଠାତ ଗ୍ରହଣ କରିବା ବି କଷ୍ଟକର ହେବ । ପ୍ରସନ୍ନଙ୍କର ଏହି ପଦିଏ ମତକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଚାଲିଛି ।
କୁହାଯାଉଛି ପାଟ୍ଟଶାଣୀ ମଧ୍ୟ ଆଶଙ୍କା କରୁଛନ୍ତି ଏଥର ତାଙ୍କୁ ଟିକେଟ ଦିଆଯାଇ ନ ପାରେ । ଦଳ ଭିତରେ କିନ୍ତୁ ଆଲୋଚନା ହେଉଛି ତାଙ୍କୁ ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନରେ ଯେଉଁଠି ତାଙ୍କ ଜ୍ୱାଇଁ ଏବେ ଦଳର ବିଧାୟକ ଅଛନ୍ତି ସେଠି ତାଙ୍କୁ ସୁଯୋଗ ଦିଆଯାଇପାରେ । କିନ୍ତୁ ପଟ୍ଟଶାଣୀ ଚିଲିକା ବିଧାନସଭା ଆସନରେ ଲଢ଼ିବା ପାଇଁ ଚାହୁଁଛନ୍ତି । ଜ୍ୱାଇଁଙ୍କ ଆସନ ଛଡ଼ାଇବାକୁ ସେ ଚାହୁଁନାହାଁନ୍ତି । ଏକଥାବି କୁହାଯାଉଛି ଯଦି ତାଙ୍କୁ ପ୍ରାର୍ଥୀ କରା ନଯାଏ ତେବେ ତାଙ୍କ ପୁଅକୁ ଦଳ ଟିକେଟ ଦେଉ । ସେହି ଲକ୍ଷ୍ୟ ରଖି ପୁଅକୁ ସାଙ୍ଗରେ ନେଇ ନବୀନ ନିବାସ ଯିବା ଆରମ୍ଭ କରିଥିବା କୁହାଯାଉଛି । ଦଳର ଅନ୍ୟ ନେତମାନଙ୍କ ପୁଅ ଓ ସମ୍ପର୍କୀୟକୁ ପ୍ରାର୍ଥୀ କରାଯାଇଥିଲା ବେଳେ ଶ୍ରୀ ପାଟ୍ଟଶାଣୀ ମଧ୍ୟ ସେହି ଲକ୍ଷ୍ୟ ଅଛନ୍ତି ବୋଲି କୁହାଯାଉଛି ।

https://www.onakhabar.com/tathagat-speaks-about-paribartan/