OnaKhabar

ବିଜୟଙ୍କୁ ଭେଟିଲେ ବିଜେପି ନେତା, ଖବୁ ଶୀଘ୍ର ଫେରିବେ

0 42

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ଦେଖାଯାଉଛି । କିଏ କେତେବେଳେ କେଉଁ ଦଳକୁ ଯାଉଛନ୍ତି ଓ କେଉଁ ଦଳ ପ୍ରତି ମୁହଁ ମୋଡୁଛନ୍ତି ତାହା ଜାଣିବା କଷ୍ଟକର ହେଲାଣି । ନୀତି ଓ ନୈତିକତା କଥାକୁ ନେତାମାନେ ପଛରେ ପକାଇ ପ୍ରତିଶୋଧ ନେବା ଓ ଟିକେଟ ପାଇ ନିର୍ବାଚନ ଲଢ଼ିବା ଆଶାରେ ସବୁ କିଛିକୁ ଭୁଲିଯାଉଛନ୍ତି । ଏ ମଧ୍ୟରେ ରାଜ୍ୟର ସବୁ ଦଳ ଓ ଲୋକଙ୍କ ଆଖି ରହିଛି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଉପରେ । ଏତେ ନେତା ଏପଟସେପଟ ହେଉଛନ୍ତି । ଦୈନିକ ସବୁ ଦଳରେ ମିଶ୍ରଣ ପର୍ବ ଚାଲିଛି । କିନ୍ତୁ ଏହି ଦୁଇ ନେତାଙ୍କ ଖବର ହଠାତ ଗଣମାଧ୍ୟମରୁ ଏକ ପ୍ରକାର ଉଭାନ ହୋଇଗଲା ପରି ଲାଗୁଛି । ଯାହା ଶେଷ ଖବର ମିଳୁଛି ସେଥିରେ ବିଜେପି ନେତାମାନେ ରବିବାର ବିଜୟଙ୍କ ପାଖରେ ଯାଇ ପହଂଚିଛନ୍ତି । କୁହାଯାଉଛି ଏକ ତାରକା ହୋଟେଲରେ ବିଜୟଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉପସଭାପତି ବୈଜୟନ୍ତ ପଣ୍ଡା ଆଲୋଚନା କରିଛନ୍ତି । ଉଭୟ ପକ୍ଷଙ୍କ ଭିତରେ ଭୁଲ ବୁଝାମଣା ଦୂର ହୋଇଥିବା କଥା ମଧ୍ୟ ଆଲୋଚନା ହେଉଛି । ଦିନେ ଦୁଇ ଦିନ ଭିତରେ ବିଜୟ ପୁଣି ବିଜେପିକୁ ପୂର୍ବପରି ଆସିବେ ବୋଲି ମଧ୍ୟ ସୂଚନା ମିଳୁଛି । ବିଜୟଙ୍କ ମାନଭଂଜନ କରିବାରେ ଧର୍ମେନ୍ଦ୍ର ଓ ବୈଜୟନ୍ତ ସଫଳ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଦିଲ୍ଲୀପଙ୍କ କଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେ ବିଜେଡିକୁ ଯିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ମିଶ୍ରଣ ହୋଇନାହିଁ । ସେ ସମ୍ପୂର୍ଣ୍ଣ ଭାବେ ନୀରବ ରହୁଥିବା ଦେଖାଯାଉଛି । କିନ୍ତୁ ଉଭୟ ନିଜ ନିଜର ମତ ଗଣମାଧ୍ୟମରେ ଏଯାଏଁ ସ୍ପଷ୍ଟ କରୁନାହାଁନ୍ତି ।
ବିଜୟ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଲା ପରେ ବିଜେଡିକୁ ଯିବେ ବୋଲି ପ୍ରଥମରୁ ଆଲୋଚନା ହେଉଥିଲା । କୁହାଯାଏ ଉଭୟ ଏଭଳି କିଛି ଆଲୋଚନା ବିଜେଡି ସହ କରିବା ପରେ ଏହି ନିଷ୍ପତ୍ତି ନେଇଥିଲେ । ହେଲେ ବିଜେଡିରେ ଯିବା ବିଳମ୍ବ ହେବାରୁ ମଝିରେ କଂଗ୍ରେସ ଉଭୟଙ୍କୁ ନେବାପାଇଁ ଜୋରଦାର ଉଦ୍ୟମ ଚଳାଇଲା । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟ ନେତାମାନେ ଆଲୋଚନା କଲେ । ବିଜୟ ସେମାନଙ୍କୁ ମନା କଲେ ନାହିଁ କିମ୍ବା ଯିବା ପାଇ ପ୍ରତିଶ୍ରୁତି ମଧ୍ୟ ଦେଇ ନ ଥିଲେ । ହେଲେ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଭାବରେ ଆଶା ଛାଡ଼ି ଦେଇଛି ବୋଲି କୁହାଯାଉଛି । ବିଳମ୍ବ ଦେଖି ଚୂଡ଼ାନ୍ତ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟା ଆସିଲା ପରେ ଦିଲ୍ଲୀପ ନବୀନ ନିବାସ ଯାଇଥିଲେ । କିନ୍ତୁ ସଫଳ ହୋଇ ନ ଥିବା କଥା କୁହାଯାଉଛି । ଯେଉଁଥିରେ ଦିଲ୍ଲୀପ ବିରକ୍ତ ହୋଇ ବିଜେଡିଠୁ ଦୂରେଇ ଯାଇଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ବିଜୟଙ୍କ ମିଶ୍ରଣକୁ ନେଇ ସମସ୍ୟା ଦୂର ହୋଇପାରିଲା ନାହିଁ । ବିଜୟ ମିଶିବା ନେଇ ଯେଉଁ ସର୍ତ ରଖିଲେ ଏବଂ ବିଜୟଙ୍କୁ ନେବାପାଇଁ ନବୀନ ଯେଉଁ ପ୍ରସ୍ତାବ ରଖିଲେ ଉଭୟ ପକ୍ଷଙ୍କ କଥା ଏକ ହେଲାନାହିଁ । ବିଜୟଙ୍କ ପ୍ରସ୍ତାବରେ ନବୀନ ରାଜି ହେଲେ ନାହିଁ କିମ୍ବା ନବୀନଙ୍କ ପ୍ରସ୍ତାବରେ ବିଜୟ ରାଜି ହେଲେନାହିଁ । ଏଣୁ ବିଜେଡିକୁ ଯିବା ବାଟ ପ୍ରାୟ ବନ୍ଦ ହୋଇଗଲା ବୋଲି ମଧ୍ୟ କୁହାଯାଉଛି ।
ବିଜୟ କାଳେ ବିଜେଡିକୁ ଫେରିଯିବେ ସେଥିନେଇ ବିଜେପି ନେତାମାନେ ମନ ପରିବର୍ତ୍ତନ କରି ଘର ପୁଅକୁ ଘରକୁ ଫେରାଇ ଆଣିବା ପାଇଁ ଚାହିଁଲେ । ବିଶେଷ କରି ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଲାପରେ ବିଜୟଙ୍କ ଘରବାହୁଡ଼ା ପାଇଁ ଉଦ୍ୟମକୁ ଜୋରଦାର କଲେ । ବିଜେପିର ଶୀର୍ଷ ନେତୃବୃନ୍ଦ ବିଜୟଙ୍କୁ ନେବାପାଇଁ ରାଜ୍ୟ ନେତୃତ୍ୱ ଉପରେ ଚାପ ପକାଇଲେ । ବର୍ତ୍ତମାନ ପରିସ୍ଥିତିରେ ବିଜେଡି ସହ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ସେଥିରେ ବିଜୟଙ୍କ ଭଳି ନେତାଙ୍କୁ ଧରି ରଖିବା ପାଇଁ ସ୍ଥିର କରାଯାଇଛି । ବିଜୟଙ୍କ ଇସ୍ତଫା ଦଳ ଗ୍ରହଣ କରିନାହିଁ । ଉଭୟ ବିଜୟ ଓ ଦିଲ୍ଲୀପଙ୍କୁ ଦଳରେ ରଖିବା ପାଇଁ ବିଜେପି ଚାହୁଁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚାହୁଁଛନ୍ତି ବିଜୟ ବିଜେପିରେ ରୁହନ୍ତୁ । ଏଣୁ ସେ ନିଜେ ଏ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ସେଥିପାଇଁ ବୈଜୟନ୍ତଙ୍କ ସହ ଧର୍ମେନ୍ଦ୍ର ଯାଇ ବିଜୟଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାଇଛନ୍ତି । ଖୁବଶୀଘ୍ର ବିଜେପି କାର୍ଯ୍ୟାଳୟକୁ ଆସିବେ ବୋଲି ବିଜେପି ନେତାମୋନେ କହୁଛନ୍ତି । କିନ୍ତୁ ବିଜୟ କି ଦିଲ୍ଲୀପ ଏଯାଏଁ ମୁହଁ ଖୋଲୁନାହାଁନ୍ତି ।

https://www.onakhabar.com/bijoy-mohapatra-tells-this/

Leave A Reply

Your email address will not be published.