OnaKhabar

ବୈଜୟନ୍ତ ଫେଲ, ନବୀନ ଧରିଲେ ହାତ

55

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ମିଶିବା ନେଇ ଏକ ଭିନ୍ନ ଆଲୋଚନା ରାଜ୍ୟ ରାଜନୀତିକ ମହଲରେ ହେଉଛି । ପୂର୍ବତନ ସାଂସଦ ତଥା ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ଶ୍ରୀ ନନ୍ଦଙ୍କ ସମ୍ପର୍କ କାହାକୁ ଅଛପା ନାହିଁ । ପୂର୍ବରୁ ବୈଜୟନ୍ତଙ୍କ ସହ ନବୀନ ନନ୍ଦ ଏକାଠି ରାଜନୈତିକ କାର୍ଯ୍ୟକ୍ରମ ଚଳାଇଥିଲେ । ବୈଜୟନ୍ତ ବିଜେଡିରୁ ଆସିବା ପରେ ଉଭୟ ମିଶି କାର୍ଯ୍ୟ କରୁଥିଲେ । ଏପରି କି ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରେ ଯେଉଁ ସବୁ ସଭା କରୁଥିଲେ ସେଥିରେ ନବୀନ ନନ୍ଦ ଯୋଗ ଦେଉଥିଲେ । ବୈଜୟନ୍ତଙ୍କ ପ୍ରତିନିଧିଭାବେ ସେ ଏକ ପ୍ରକାର କାର୍ଯ୍ୟ କରୁଥିଲେ । ବାରିପଦା ସମାବେଶରେ ନବୀନ ନନ୍ଦଙ୍କ କଥାରେ ପଡ଼ି ବୈଜୟନ୍ତ ସେ ସମାବେଶରେ ଅତିଥି ଥିଲେ ମଧ୍ୟ ଯାଇ ନ ଥିଲେ । ଏହି ଘଟଣାକୁ ନେଇ ସେତେବେଳେ ଶ୍ରୀ ନନ୍ଦଙ୍କ ସହ ବୈଜୟନ୍ତଙ୍କୁ ମଧ୍ୟ ଡାକ୍ତର ରାଉତ କଡ଼ା ସମାଲୋଚନା କରିଥିଲେ । ଏବେ ନବୀନ ନନ୍ଦଙ୍କ ହାତକୁ ଛାଡ଼ିଦେବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ବିଜେପିରେ ଯୋଗଦେବା ପରେ ବୈଜୟନ୍ତ ଏବେ ଏକ ପ୍ରମୁଖ ଦାୟିତ୍ୱରେ ମଧ୍ୟ ରହିଛନ୍ତି । ଦଳରେ ଚାଲିଥିବା ସବୁ ମିଶ୍ରଣ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଛି । ଏପରି କି ବହୁ ନେତାଙ୍କୁ ସେ ବିଜେପିକୁ ଆଣିବା ପାଇଁ ଉଦ୍ୟମ ମଧ୍ୟ କରି ସଫଳ ହୋଇଥିବା କୁହାଯାଉଛି । ଡାକ୍ତର ରାଉତଙ୍କୁ ବୈଜୟନ୍ତ ପ୍ରବର୍ତ୍ତାଇ ଆଣିଥିବା କଥା ବି ଆଲୋଚନା ହୁଏ । ଏକଥା ବି ଆଲୋଚନା ହେଉଛି ଯେ, ବିିଜୟଙ୍କୁ ବିଜେପିରେ ରଖିବା ପାଇଁ ଉଦ୍ୟମ ବୈଜୟନ୍ତ ଜାରିରଖିଛନ୍ତି । ଏତେ ଲୋକଙ୍କୁ ଆଣି ମିଶାଉଥିଲା ବେଳେ ତାଙ୍କ ସହ ଥିବା ନବୀନ ନନ୍ଦଙ୍କୁ କାହିଁକି ଆଣି ବିଜେପିରେ ସାମିଲ କଲେ ନାହିଁ ତାହା ହେଉଛି ବଡ଼ ପ୍ରଶ୍ନ । ସହଯୋଗୀଙ୍କୁ କଂଗ୍ରେସକୁ ଛାଡ଼ିଦେଇ ନିଜେ ଅଲଗା ହୋଇ ବିଜେପିରେ ମିଶିବା ଘଟଣା ପଛରେ କିଛି ରହସ୍ୟ ରହିଥିବା କୁହାଯାଉଛି । ବୈଜୟନ୍ତ ଶେଷ ମୁହୂର୍ତ୍ତରେ ସଫଳ ହୋଇ ନ ପାରିବାରୁ ଶ୍ରୀ ନନ୍ଦ କଂଗ୍ରେସକୁ ଆସିଥିବା କଥା ଆଲୋଚନା ହେଉଛି । କୁହାଯାଉଛି ବିଜେପିର ଏକ ଶକ୍ତିଶାଳୀ ଗୋଷ୍ଠୀ ଶ୍ରୀ ନନ୍ଦଙ୍କ ମିଶ୍ରଣକୁ ତୀବ୍ର ବିରୋଧ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ଶ୍ରୀ ନନ୍ଦଙ୍କୁ ଦଳୀୟ ପ୍ରାର୍ଥୀ କରିବା ସମ୍ଭବ ନ ହେବାରୁ ତାଙ୍କୁ ବାଦ ଦିଆଯାଇଥିବା କଥା ମଧ୍ୟ ଉଠୁଛି । ବିଜେପିର ବହୁ ଟାଣୁଆ ନେତା ଢ଼େଙ୍କାନାଳ ଜିଲ୍ଲା ପାଇଁ ଥିବାରୁ ସେମାନଙ୍କୁ ପ୍ରାର୍ଥୀ ନ କରି ଅନ୍ୟ କାହାକୁ କରାଗଲେ ଦଳରେ ଯେଉଁ ବିଦ୍ରୋହ ଦେଖାଦେବ ତାକୁ ସମ୍ଭାଳିବା କଷ୍ଟକର ହୋଇଥାନ୍ତା । ଏପରିକି ସ୍ଥାନୀୟ ବିଜେପି ନେତାଙ୍କ ସହ ଶ୍ରୀ ନନ୍ଦଙ୍କର ତୀକ୍ତତା ରହିଥିବା ଆଉ ଏକ କାରଣ ବୋଲି କୁହାଯାଉଛି । ହେଲେ ବୈଜୟନ୍ତ ବର୍ତ୍ତମାନ ଯେଉଁଭଳି ଭାବରେ ବିଜେପିରେ ପ୍ରଭାବ ବିସ୍ତାର କରିଛନ୍ତି ସେଥିରେ ସହଯୋଗୀଙ୍କୁ ସାଥୀରେ ନେଇ ନ ପାରିବା ତାଙ୍କ ପ୍ରତି ଅନ୍ୟମାନଙ୍କ ଭରଷା କମିଯିବ ବୋଲି ଆଲୋଚନା ହେଉଛି ।