OnaKhabar

ବିଜୟଙ୍କୁ ମନାଇବାକୁ ଆଜି ଭେଟିବେ ବିଜେପି ନେତା

0 19

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ର କୁଆଡ଼େ ଯିବେ ଓ କଣ କରିବେ ତାକୁ ନେଇ ରାଜ୍ୟ ରାଜନୀତିରେ ଢ଼େର ଦିନ ହେଲା ଚାଲିଛି ପର୍ଯ୍ୟାଲୋଚନା । ନଭେମ୍ବର ୩୦ରେ ସେ ବିଜେପିରୁ ଇସ୍ତଫା ଦେବା ପରେ ଏହି ଆଲୋଚନା ଜାରି ରହିଛି । ଏବେ ନିର୍ବାଚନ ପାଖେଇ ଆସିଥିବାରୁ ତାଙ୍କୁ ନେବା ପାଇଁ ପ୍ରମୁଖ ରାଜନୈତିକ ଦଳମାନଙ୍କରେ ଛକାପଞ୍ଝା ଲାଗିଛି । ବିଜେପି ପ୍ରଥମେ ବିଜୟଙ୍କ ପ୍ରତି ମୁହଁ ମୋଡ଼ିଥିଲେ ବି ଏବେ ପରିବର୍ତ୍ତିତ ପରିସ୍ଥିତିରେ ପୁଣି ତାଙ୍କୁ ଆପଣାଇବା ପାଇଁ ଚାହିଁଛି । ବିଜପି ପକ୍ଷରୁ ବିଜୟଙ୍କୁ ଧରି ରଖିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । କୁହାଯାଉଛି ବିଜେପିର ଆଜି ଏକ ପ୍ରତିନିଧି ଦଳ ବିଜୟଙ୍କ ପାଖକୁ ଯାଇ ତାଙ୍କ ସହ ଆଲୋଚନା କରି ବୁଝାଇବେ । ବିଜୟଙ୍କ ସର୍ତ୍ତକୁ ଗ୍ରହଣ କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେବେ । ଏକଥା ମଧ୍ୟ ଜଣାପଡ଼ିଛି ଯେ, ଦଳର ଶୀର୍ଷସ୍ତରର ନେତାମାନେ ଏ ନେଇ ରାଜ୍ୟ ନେତୃବୃନ୍ଦଙ୍କୁ ସିଧା ନିର୍ଦ୍ଦେଶନାମା ଦେଇଛନ୍ତି । ବିଜୟଙ୍କ ସହ ଆଲୋଚନା କରି ତାଙ୍କ କଥାରେ ସହମତି ହେବା ପାଇଁ କୁହାଯାଇଛି । ଯେପରି ହେଉ ତାଙ୍କୁ ବୁଝାଇ ଦଳରେ ରଖିବା ପାଇଁ ଉଦ୍ୟମ କରିଯିବ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଦଳର ଏକ ନେତୃମଣ୍ଡଳୀ ବିଜୟଙ୍କ ପାଖକୁ ଆଜି ଯାଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ବିଜୟଙ୍କୁ ନେବା ପାଇଁ ଚାହୁଁଥିବାରୁ ଏହା ପୂର୍ବରୁ ବିଜେପି ଛଡ଼ାଇ ନେବାକୁ ଚାହୁଁଛି । କୁହାଯାଉଛି ବିଜେଡିକୁ ବିଜୟ ଯିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ଚୂଡ଼ାନ୍ତ ହୋଇପାରି ନାହିଁ । ଦିଲ୍ଲୀପ ରାୟ ଯେଉଁ ମଧ୍ୟସ୍ଥ ଭୂମିକା ଗ୍ରହଣ କରି ବିଜେଡି ସହ ଆଲୋଚନା ଚଳାଇଥିଲେ ଓ ବିଜେଡି ସୁପ୍ରିମୋ ନବୀନଙ୍କ ଭଉଣୀ ଗୀତା ମେହେଟାଙ୍କ ସହ ଆଲୋଚନା କରିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସଫଳ ହୋଇନାହିଁ । ବିଜୟ ଯିବା ପୂର୍ବରୁ ଯେଉଁ ସବୁ ସର୍ତ୍ତ ରଖୁଛନ୍ତି ତାହା ସୁପ୍ରିମୋଙ୍କ ପାଖରେ ଗ୍ରହଣ କରିବା ସମ୍ଭବ ହେଉ ନ ଥିବା କୁହାଯାଉଛି । ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଓ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାର ଥିବାରୁ ବିଜୟଙ୍କ କାର୍ଯ୍ୟ ଶୀଘ୍ର ସାରିବା ପାଇଁଦଳର ଶୀର୍ଷ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡ଼ିଛି ।
ବିଶେଷ କରି ବିଜୟଙ୍କୁ ବିଜେପିକୁ ଫେରାଇ ଆଣିବା ପାଇଁ ଆରଏସଏସର କିଛି ପ୍ରମୁଖ ନେତା ଜୋରଦାର ଚାପ ପକାଉଛନ୍ତି । ବୈଜୟନ୍ତ ପଣ୍ଡା ଯୋଗଦେବା ପରେ ବିଜୟଙ୍କୁ ଫେରାଇ ଆଣିବା ନେଇ ବିଭିନ୍ନ ଯୋଜନା ଚଳାଇଛନ୍ତି । ସେ କୁଆଡ଼େ ଏହି ମିଶ୍ରଣ ପଛରେ ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି । ଆରଏସଏସ ନେତା ଓ ବିଜେପିର ଶୀର୍ଷ ନେତାମାନଙ୍କ ସହ ଆଲୋଚନା କରି ମଧ୍ୟସ୍ଥ ଭୂମିକା ଗ୍ରହଣ କରୁଛନ୍ତି । ବିଜୟ ଯଦି ପୁଣି ବିଜେପିକୁ ଫେରି ଆସିବେ ତେବେ କେନ୍ଦ୍ରପାଡା ଲୋକସଭା ଆସନରୁ ବୈଜୟନ୍ତଙ୍କ ବିଜୟ ସମ୍ଭାବନା ଅଧିକ ବଢ଼ିଯିବ । ଏଣୁ ବୈଜୟନ୍ତ ଚାହୁଁଛନ୍ତି ଯେପରି ହେଉ ବିଜୟଙ୍କୁ ବିଜେପିରେ ଧରି ରଖିବେ । ବିଜୟ ଯାହା ସର୍ତ୍ତ ବାଢ଼ିବେ ତାକୁ ଦଳ ଗ୍ରହଣ କରିବ ବୋଲି କୁହାଯାଉଛି । ଦଳୀୟ ପ୍ରତିନିଧି ଯାଇ ବିଜୟଙ୍କୁ ସବୁ ପ୍ରକାର ଭରଷା ଦେବେ । ଏପରି କି ବିିଜୟଙ୍କୁ ଦଳକୁ ପୁଣି ପାଛୋଟି ଆଣିବା ପାଇଁ ସବୁ ନେତା ତାଙ୍କ ପାଖରେ ପହଂଚିବେ ।
କୁହାଯାଉଛି ବିଜୟଙ୍କ ପାଇଁ ବିଜେପିରେ ରହିବା ବ୍ୟତୀତ ଆଉ କିଛି ଉପାୟ ନାହିଁ । ବିଜେଡିକୁ ସେ ଫେରବା ଆଉ ସମ୍ଭବପର ହେଉନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୁଆଡ଼େ ବିଜୟଙ୍କୁ ନେବାପାଇଁ ରାଜି ହୋଇସାରିଛନ୍ତି । କିନ୍ତୁ ବିଜୟଙ୍କ ସର୍ତ୍ତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା କୁହାଯାଉଛି । ବିଜୟ ଯେତେବେଳେ ଚାହିଁଲେ ଆସି ଦଳରେ ଯୋଗଦେଇପାରିବେ ବୋଲି କହୁଛନ୍ତି । ମାତ୍ର ବିଜୟ ବିଜେଡିକୁ ଯିବା ପୂର୍ବରୁ ବିନାସର୍ତ୍ତରେ ଯିବା ପାଇଁ ଚାହୁଁନାହାଁନ୍ତି । କାରଣ ପୁଣି ଯାଇ ହିନସ୍ତା ହେବା ସ୍ଥିତି ସୃଷ୍ଟି କରିବାକୁ ସେ ଇଚ୍ଛୁକ ନୁହଁନ୍ତି । ଏଣୁ ତାଙ୍କର ଆଉ ବିଜେଡିକୁ ଫେରିବା ସମ୍ଭବନୁହେଁ ବୋଲି କୁହାଯାଉଛି ।

Leave A Reply

Your email address will not be published.