OnaKhabar

ନିର୍ବାଚନ ଲଢ଼ିବା ନେଇ ସୌମ୍ୟରଂଜନ ଜଣାଇଲେ ତାଙ୍କ ଇଚ୍ଛା, ନିଷ୍ପତ୍ତି ମୁଖିଆଙ୍କ ହାତରେ

62

ଭୁବନେଶ୍ୱର: ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଆସନ୍ତା ନିର୍ବାଚନ ଲଢ଼ିବା ନେଇ ତାଙ୍କ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଲେ ସେ ଆସନ୍ତା ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି । କୁହାଯାଉଛି ସୌମ୍ୟରଂଜନ ବିଧାନସଭାରୁ ଲଢ଼ି ନବୀନଙ୍କ ସରକାରରେ ମନ୍ତ୍ରୀ ହେବାକୁ ଆଗ୍ରହୀ ଅଛନ୍ତି । ଦୀର୍ଘ ବର୍ଷର ସ୍ୱପ୍ନକୁ ସେ ସାକାର କରିବା ପାଇଁ ଏବେ ଏକ ସୁଯୋଗ ତାଙ୍କ ପାଖରେ ଆସିଥିବାରୁ ଏହାକୁ ହାତଛଡ଼ା କରିବାକୁ ଚାହୁଁ ନ ଥିବା କୁହାଯାଉଛି । ସେ ପ୍ରତ୍ୟେକ୍ଷ ନିର୍ବାଚନରେ ନ ଆସି ଏବଂ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ନ ହୋଇ ରାଜ୍ୟସଭା ସାଂସଦ ହେବା ଘଟଣାକୁ ନେଇ ତାଙ୍କର ଖାସ ବିରୋଧୀ ଭାବେ ସାଂସଦ ତଥାଗତ ଶତପଥୀ ବିଜେଡି ଛାଡ଼ିବା ସମୟରେ ରଖିଥିବା ମତରେ ଏ ବିଷୟ ଦର୍ଶାଇ କଟାକ୍ଷ କରିଥିଲେ । ଏହି ଅପବାଦକୁ ପୋଛିବା ପାଇଁ ସୌମ୍ୟରଂଜନ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କୁହାଯାଉଛି । ବିଜେଡିରୁ ଛିଡ଼ା ହେଲେ ସେ ଜିତିବା ନିଶ୍ଚିନ୍ତ । ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିବାରୁ ବର୍ତ୍ତମାନ ସେ ଏ ସୁଯୋଗରେ ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ଆଗ୍ରହ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ।
ଆଜି ନବୀନ ନିବାସକୁ ସୌମ୍ୟରଂଜନ ଆସିଥିବା ଅବସରରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ସେ ରଖିଥିଲେ । ଆସନ୍ତା ନିର୍ବାଚନ ଲଢ଼ିବା ସମ୍ପର୍କରେ ସେ କହିଛନ୍ତି ଦଳର ମୁଖିଆ ଯେଉଁ ନିର୍ଦ୍ଦେଶ ଦେବେ ତାକୁ ନେଇ କାର୍ଯ୍ୟ କରିବି । ଦଳରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଭୂମିକାରେ ରହିବେ । କିଛି ଲୋକ ଲଢ଼ିବେ ଆଉ କିଛି ଲୋକ ପ୍ରଚାର କରିବେ । କିଛି ଲୋକ ପରଦା ପଛରେ ରହି ସଙ୍ଗଠନ ଓ ନିର୍ବାଚନକୁ ପରିଚାଳନା କରିବେ । ଖୁବଶୀଘ୍ର ଏ ସବୁ ବିଷୟ ପରିଷ୍କାର ହୋଇଯିବ । ମୋର ଆଗ୍ରହ କିଛି ନାହିଁ । ମୁଁ ବର୍ତ୍ତମାନ କେନ୍ଦ୍ରରେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରୁଛି । ମୋର ଆବଶ୍ୟକତା ଯଦି ରାଜ୍ୟରେ ପଡ଼ିବ, ତେବେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ସେଥିପାଇଁ ବିଭିନ୍ନ କ୍ଷେତ୍ରରେ ନିଜର ଭୂମିକା ନିର୍ବାହ କରିବାରେ କିଛି ଅସୁବିଧା ନାହିଁ ବୋଲି ସୌମ୍ୟରଂଜନ କହିଛନ୍ତି ।
ଖଣ୍ଡପଡ଼ା ବିଧାନସଭା ଆସନରେ ସୌମ୍ୟରଂଜନ ବିଜେଡିରେ ମିଶିବା ପୂର୍ବରୁ ଏକାଧିକବାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି । ବିଧାନସଭାକୁ ଯିବା ପାଇଁ ଅନେକ ଥର ତାଙ୍କର ଚେଷ୍ଟା ଫେଲ ମାରିଛି । ୨୦୧୪ ନିର୍ବାଚନରେ ସେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିନ୍ତ ଥିଲା । ହେଲେ ଶେଷ ମୁହୂର୍ତ୍ତରେ ମାତ୍ର ଅଳ୍ପ କେତେକ ଭୋଟରେ ପରାଜୟବରଣ କରିବାକୁ ପଡ଼ିଥିଲା । ଏହି ପରାଜୟର ଗ୍ଳାନି ସେ ମନରୁ ଭୁଲିପାରି ନାହାଁନ୍ତି । ଏଣୁ ଏବେ ଯେତେବେଳେ ସେ ବିଜେଡିରେ ସାମିଲ ହୋଇଛନ୍ତି ଓ ବଡ଼ ସୁଯୋଗ ତାଙ୍କ ହାତରେ ଅଛି ସେତେବେଳେ ଏହାକୁ ହାତଛଡ଼ା କରିବାକୁ ଚାହୁଁ ନ ଥିବା କୁହାଯାଉଛି । ଅନ୍ୟପଟରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଆଗଧାଡ଼ିର ନେତାମାନଙ୍କ ସହ ତାଙ୍କର ଘନିଷ୍ଠତା ଅନ୍ୟମାନଙ୍କ ତୁଳନାରେ ଅଧିକ ଅଛି । ସବୁ କ୍ଷେତ୍ରରେ ସୌମ୍ୟ ହିଁ ଦରକାର ପଡୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବାରେ ଲାଗିଛନ୍ତି । ତାଙ୍କୁ ଦଳ ଭିତରେ ବହୁ ପ୍ରାଧାନ୍ୟ ଦିଆଯାଉଛି । ଏଣୁ ସୌମ୍ୟରଂଜନ ଭାବିଛନ୍ତି ଏଥର ଯଦି ଖଣ୍ଡପଡ଼ା ଆସନରେ ବିଜେଡିର ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କର ଜିତିବାରେ କୌଣସି ଅସୁବିଧା ହେବନାହିଁ । ଅନ୍ୟପଟରେ ଆସନ୍ତା ନିର୍ବାଚନରେ ବିଜେଡି ପୁଣି ପଞ୍ଚମଥର ପାଇଁ କ୍ଷମତାକୁ ଆସୁଥିବାରୁ ସେ ନବୀନଙ୍କ ସରକାରରେ ମନ୍ତ୍ରୀଟିଏ ହୋଇପାରିବେ । ତାଙ୍କ ଭଳି ଜଣେ ନେତାଙ୍କୁ ନବୀନ ତାଙ୍କ ସରକାରରେ ବା ମନ୍ତ୍ରିମଣ୍ଡଳରେ ସାମିଲ ନ କରି ବାଦ ଦେବେନାହିଁ । କାରଣ ଏବେ ଯେଉଁଭଳି ଭାବରେ ନବୀନ ତାଙ୍କୁ ଗୁରୁତ୍ୱ ଦେଉଛନ୍ତି ସେଥିରେ ମନ୍ତ୍ରିମଣ୍ଡଳର ସହଯୋଗିଭାବେ ନେବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି ।