OnaKhabar

ଦାମଙ୍କ ବଡ଼ ବୟାନ: ନବୀନଙ୍କଠୁ ପ୍ରତିଶୋଧ ନେବି

67

ଭୁବନେଶ୍ୱର: ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ଦେଇ ପିତା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବା ପାଇଁ ଓ ବିଜେପିକୁ ଯିବା ବାଟ ବନ୍ଦ କରିବା ଲାଗି ବିଜେଡି ଚଳାଇଥିବା ଯୋଜନା ଫେଲ ମାରିଛି । ସମ୍ବିତଙ୍କୁ ନବୀନ ନିବାସ ଡାକି ବିଜେଡି ଗୋଟିଏ ପଟେ ଆଲୋଚନା ଚଳାଇଥିଲା ବେଳେ ଅନ୍ୟ ପଟରେ ଡାକ୍ତର ରାଉତ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟର କଥାରେ ପଡ଼ି ତାଙ୍କୁ ଦଳରୁ ଯେଉଁଭଳି ବହିଷ୍କାର କରିଛନ୍ତି ସେ ଅପମାନର ପ୍ରତିଶୋଧ ତାଙ୍କଠାରୁ ନେବେ ବୋଲି ଡାକ୍ତର ରାଉତ ବଜ୍ର ଘୋଷଣା କରିଛନ୍ତି ।
ନବୀନ ନିବାସରେ ଆଜି ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା । ପରେ ସେ ଗଣମାଧ୍ୟମକୁ ପାରାଦୀପ ଆସନ ପାଇଁ ଆହଗ୍ରୀ ଥିବା କଥା କହିଥିଲେ । ବାପାଙ୍କୁ ବୁଝାଇବା ଦୟିତ୍ୱ ତାଙ୍କର ନୁହେଁ ବୋଲି ମତ ରଖିଥିଲେ । ଏହି ଘଟଣା ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା । ଡାକ୍ତର ରାଉତଙ୍କ ମତ ନେବାପାଇଁ ଗଣମାଧ୍ୟମ ତାଙ୍କ ପାଖରେ ପହଂଚିଥିଲେ । ଡାକ୍ତର ରାଉତ କହିଛନ୍ତି ପୁଅ ସମ୍ବିତ ପାରାଦୀପ ପାଇଁ ଆଶାୟୀଥିବା କଥା ମୁଁ ଜାଣିନାହିଁ । ପୁଅ ପ୍ରାପ୍ତ ବୟସ୍କ ତାକୁ ବାନ୍ଧିକି ରଖିନି ସେ କୁଆଡ଼େ ଯାଇଛି ଜାଣିନି । ଅଣ ଓଡ଼ିଆ ଅଫିସରଙ୍କ କଥାରେ ମୋତେ ଗୋଇଠା ମାରି ନବୀନ ବିଦା କଲେ । ମୋର ଗୋଟିଏ ଲକ୍ଷ୍ୟ ହେଉଛି ନବୀନ ପଟ୍ଟନାୟକ ଯେମିତି ଆଉ ସରକାର ଗଢ଼ି ନ ପାରିବେ । ଏ ନେଇ ଶେଷ ନିଃଶ୍ୱାସ ଥିବା ଯାଏ ମୁଁ ମୋର ଲଢ଼େଇ ଜାରି ରଖିବି ବୋଲି କହିଛନ୍ତି ।
ବିଜେଡିକୁ ପୁଣି ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ସେ କଡ଼ା ପ୍ରତିକ୍ରୀୟା ରଖିଛନ୍ତି । ସେ କହିଛନ୍ତି ମୁଁ ପକାଇଥିବା ଛେପ ଢ଼ୋକେନି । ମୋର ଲକ୍ଷ୍ୟ ନବୀନଙ୍କଠାରୁ ପ୍ରତିଶୋଧନ ନେବା । ୨୦୧୯ରେ ନବୀନଙ୍କୁ ଶାସନକୁ ବିଦା କରିବା ପାଇଁ ମୁଁ ଲଢ଼େଇ କରିବି । ମୋର ଲଢ଼େଇ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ହେବ ବୋଲି ସେ କହିଛନ୍ତି ।
ବିଜେପିରେ ମିଶିବା ଚର୍ଚ୍ଚା ଉପରେ କହିଛନ୍ତି ଏ ବିଷୟରେ ବର୍ତ୍ତମାନ ମୁଁ କିଛି ଚିନ୍ତା କରିନି । ବିଜେପି ସହ ଆଲୋଚନା ଜାରି ରହିଛି ବୋଲି ଡାକ୍ତର ରାଉତ କହିଛନ୍ତି ।

https://www.onakhabar.com/dr-rout-has-given-most-important-remark/