OnaKhabar

ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଗାମୀ ୨୦୧୯ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଯାଉ:ବିଜେପି

0 0

 ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ପ୍ରତାପ ଜେନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନିର୍ବାଚନ ଅଧିକାରୀ
 ମନ୍ତ୍ରୀଙ୍କ ଏହି ଭୋଟ ପାଇଁ ଲାଂଚ ମାମଲା ସାର୍ବଜନୀନ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାସହ କିଛି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି
 ଏହି ଲାଂଚ ଯାଚିବା ବେଳେ ମନ୍ତ୍ରୀ ସବୁ ଗଣମାଧ୍ୟମକୁ କ୍ୟାମେରା ଓ ମୋବାଇଲ୍ ବନ୍ଦ କରିବା ପାଇଁ ବାରମ୍ବାର ତାଗିଦ୍ କରିବା ଆଇନ ବିରୋଧୀ
ଭୁୁବନେଶ୍ୱର : ଗତକାଲି ମନ୍ତ୍ରୀ ପ୍ରତାପ ଜେନା ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଜିତାଉଥିବା ପଂଚାୟତକୁ ୩୫ ଲକ୍ଷ ଟଙ୍କା ଓ ସର୍ବାଧିକ ଭୋଟ ଦେଇ ଜିତାଉଥିବା ଥିବା ବୁଥକୁ ୧୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ଏବେ ସମସ୍ତ ଗଣମାଧ୍ୟମରେ ପ୍ରସାରଣ ହେଉଛି । ନିର୍ବାଚନର ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ଶାସକ ଦଳର ମନ୍ତ୍ରୀ ଏଭଳି ଖୁଲୁମଖୁଲା ଲାଂଚ ଯାଚିବା ଧର୍ତବ୍ୟ ଅପରାଧ । ନିର୍ବାଚନର ଆଦର୍ଶ ଆଚରଣବିଧି ଉଲ୍ଲଘଂନ କରିଥିବାରୁ ବିଜୁ ଜନତା ଦଳର ନେତା ତଥା ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଆଗାମୀ ୨୦୧୯ ନିର୍ବାଚନ ଲଢିବାକୁ ଅସିଦ୍ଧ ଘୋଷଣା କରାଯିବା ସହ ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ପ୍ରତାପ ଜେନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନିର୍ବାଚନ ଅଧିକାରୀ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସାଲେପୁରରେ ବିଜେଡିକୁ ଭୋଟଦେଲେ ପଂଚାୟତ ପିଛା ୩୫ ଲକ୍ଷ ଓ ବୁଥ ପିଛା ୧୫ ଲକ୍ଷ ଟଙ୍କା ଦେବା କହି ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ପ୍ରସଙ୍ଗ

ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିବା ବେଳେ ଭୋଟରଙ୍କୁ ଟଙ୍କା ଯାଚି ଭୋଟ ମାଗିବା ଏକ ଧର୍ତବ୍ୟ ଅପରାଧ । ଏହି ଅପରାଧ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତି ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗିବାର ନିୟମ ଅଛି । ଏହି ନିୟମ ଆଧାରରେ ବିଜେଡି ନେତା ପ୍ରତାପ ଜେନାଙ୍କ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ଅଧିକାର ପରିସରଭୁକ୍ତ ।
ଏହି ଲାଂଚ ଯାଚିବା ବେଳେ ମନ୍ତ୍ରୀ ସବୁ ଗଣମାଧ୍ୟମକୁ କ୍ୟାମେରା ଓ ମୋବାଇଲ୍ ବନ୍ଦ କରିବା ପାଇଁ ବାରମ୍ବାର ତାଗିଦ୍ କରିଥିଲେ । ଏହା ଗଣମାଧ୍ୟମ ଓ ସାଧାରଣ ଜନତାଙ୍କର ମୌଳିକ ଅଧିକାର ବିରୋଧୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମନ୍ତ୍ରୀଙ୍କ ଏହି ଭୋଟ ପାଇଁ ଲାଂଚ ମାମଲା ସାର୍ବଜନୀନ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାସହ କିଛି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଏହାର କପି ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବା ସହ ଏହାର ବୈଜ୍ଞାନିକ ଯାଂଚ କରାଯାଇ ଆଗାମୀ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଶ୍ରୀ ଜେନାଙ୍କୁ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦଳ ଦାବି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ବିଜେଡି ଆସନ୍ନ ପରାଜୟରେ ଭୟଭୀତ ହୋଇ ଭୋଟରଙ୍କୁ ଲାଂଚ ଯାଚିବାର ଅପଚେଷ୍ଟା ରାଜ୍ୟର ସାଧାରଣ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.