OnaKhabar

ବିଜେପି ବି ମୋ ସହ ଯୋଗାଯୋଗରେ ଅଛି : ବିଜୟ

0 20

ଭୁବନେଶ୍ୱର (ଓଏନଏ): ବରିଷ୍ଠ ନେତା ବିଜୟ ମହାପାତ୍ର କୁଆଡ଼େ ଯିବେ ତାକୁ ନେଇ ଦୀର୍ଘ ଦିନ ହେବା ଚାଲି ଆସିଛି ନାନା କଳ୍ପନା ଜଳ୍ପନା । ନିର୍ବାଚନ ତାରିଖ ଘୋଷଣା ହୋଇସାରିଲାଣି । ରାଜନୈତିକ ଦଳଗୁଡ଼ିକ ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ସାରିବା ଉପରେ । ଦିନେ ଦୁଇଦିନ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିକା ଦଳଗୁଡ଼ିକ ଘୋଷଣା କରିବାକୁ ଯାଉଛନ୍ତି । ଏ କ୍ଷେତ୍ରରେ ବିଜୟ ତାଙ୍କ ମତ ସ୍ପଷ୍ଟ କରିନାହାଁନ୍ତି । ହେଲେ ଏବେ ସେ ରଖିଥିବା ମତ ଗଣମାଧ୍ୟମକୁ ଆସିଛି । ସବୁ ଦଳରୁ ତାଙ୍କୁ ଡାକରା ଆସୁଥିବା କଥା କହିଛନ୍ତି । ଏପରି କି ସେ ସ୍ୱୀକାର କରିଛନ୍ତି ବିଜେପି ମଧ୍ୟ ତାଙ୍କୁ ଯୋଗାଯୋଗ କରୁଛି । ବିଜେଡି ଓ କଂଗ୍ରେସ ବି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । କିନ୍ତୁ ସେ ଏପର୍ଯ୍ୟନ୍ତ ମତ ସ୍ପଷ୍ଟ କରୁନାହାଁନ୍ତି ।
ଗତ ନଭେମ୍ବର ୩୦ରେ ବିଜୟ ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ ୧୫ ଦିନ ଭିତରେ ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ କହିବେ ବୋଲି ମତ ରଖିଥିଲେ । ଡିସେମ୍ବର, ଜାନୁୟାରୀ ଓ ଫେବ୍ରୁଆରୀ ଯାଇ ମାର୍ଚ୍ଚ ଅଧା ହେବାକୁ ଗଲାଣି ଏବଂ ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ହେଲେ ବିଜୟ ତାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ପ୍ରକାଶ କରୁନାହାଁନ୍ତି । ବିଜେପି ଛାଡ଼ିଲା ପରେ ସେ ବିଜେଡିକୁ ଯିବେ ବୋଲି ଜୋରଦାର ଚର୍ଚ୍ଚା ହେଲା । କାରଣ ବିଜେଡିର କିଛି ଆଗଧାଡ଼ିର ନେତା ବିଜୟଙ୍କ ସହ ସମ୍ପର୍କ ରଖିଲେ ଓ ଯୋଗାଯୋଗ ମଧ୍ୟ କରିଥିଲେ । ହେଲେ ବିଜୟଙ୍କ ମିଶିବା ନେଇ ବିଳମ୍ବ ହେବାରୁ କଂଗ୍ରେସ ବି ସମ୍ପର୍କ ରଖିଲା । ଦଳକୁ ଆଣିବା ପାଇଁ କିମ୍ବା ଦଳ ସମର୍ଥନରେ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ବିଜୟଙ୍କୁ ପ୍ରସ୍ତାବ ଦେଲା । କେନ୍ଦ୍ରାପଡ଼ାରେ ଅଧିକ ଆସନ ଜିତିବା ପାଇଁ ବିଜୟଙ୍କ ସହାୟତା ଲୋଡ଼ିଲା କଂଗ୍ରେସ । ଏଥିପାଇଁ ବିଜୟଙ୍କ ସହ ଆଲୋଚନା କରିବା ପାଇଁ କଂଗ୍ରେସ ଦଳର କିଛି ନେତାଙ୍କୁ ନିର୍ଦ୍ଦିଷ୍ଟଭାବେ ଦାୟିତ୍ୱ ମଧ୍ୟ ଦେଲା । ହେଲେ କିଛି ସୁଫଳ ହେଲାନାହିଁ । ତଥାପି କଂଗ୍ରେସ ବିଜୟଙ୍କ ଯୋଗାଯୋଗରେ ରହିଛି ।
କିନ୍ତୁ ବୈଜୟନ୍ତ ପଣ୍ଡା ବିଜେପିରେ ମିଶି କେନ୍ଦ୍ରାପଡ଼ାରୁ ଛିଡ଼ା ହେବା ସ୍ପଷ୍ଟ ହେବା ପରେ ଚର୍ଚ୍ଚା ହେଲା ବିଜେଡି ପୁଣି ବିଜୟଙ୍କୁ ନେବା ପାଇଁ ଉଦ୍ୟମ କରୁଛି । ବୈଜୟନ୍ତଙ୍କ ବିରୋଧରେ ବିଜେଡି ବିଜୟଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି । କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ଟକ୍କର ଦେବାକୁ ହେଲେ ବିଜୟ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି କୁହାଗଲା । ଏକଥା ଦେଖି ବିଜେପି ଆଉ ଚୁପ ହୋଇ ବସିଲାନାହିଁ । ବିଜୟ ଯଦି ବାସ୍ତାବରେ ବିଜେଡିକୁ ଯାଇ ପ୍ରାର୍ଥୀ ହୁଅନ୍ତି ତେବେ ବୈଜୟନ୍ତଙ୍କ ପାଇଁ ନିଶ୍ଚୟ ଅଡୁଆ ପରିସ୍ଥିତି ଆଣିବ । ଏଣୁ ବୈଜୟନ୍ତ ଚାହିଁଛନ୍ତି ବିଜୟଙ୍କୁ ପୁଣି ବିଜେପିକୁ ଫେରାଇ ଆଣିବାକୁ । ଏ ନେଇ ଦଳର ଶୀର୍ଷସ୍ତରରେ ନେତାମାନଙ୍କ ସହ ଆଲୋଚନା ଚାଲିଛି । ବିଜୟ ଯଦି ଫେରି ଆସିବେ ତେବେ ବୈଜୟନ୍ତଙ୍କ ଜିିିତିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯିବ ବୋଲି କୁହାଯାଉଛି ।
ଏହି ଆଲୋଚନା ଚାଲିଥିଲା ବେଳେ ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ମତ ଏହାକୁ ଅଧିକ ଖୋରାକ ଯୋଗାଇଲା । ବିଜୟ ବିଜେପିକୁ ପୁଣି ଫେରୁଥିବା କଥା ଚର୍ଚ୍ଚା ଜୋର ଧରିଲା । ଅରୁଣ ସିଂହ କହିଥିଲେ ବିଜୟ ଓ ଦିଲ୍ଲୀପ ଏବେ ବି ବିଜେପି ସହ ଅଛନ୍ତି । ସେମାନେ ବିଜେପିଠାରୁ ଦୂରେଇ ଯାଇନାହାଁନ୍ତି । ଏଭଳି ମତ ରଖି ଅରୁଣ ସିଂହ ସୂଚାଇ ଦେଲେ ଯେ, ବିଜେପି ସେମାନଙ୍କ ସହ ଯୋଗାଯୋଗରେ ଅଛି । କିଛି ବି ହୋଇପାରେ । ଘଟଣାକୁ ଅଧିକ ସ୍ପଷ୍ଟ କରିଛି ବିଜୟଙ୍କ ମତ । ଗଣମାଧ୍ୟମରେ ବିଜୟ ମତ ରଖିଛନ୍ତି ଯେ, ବିଜେପି-ବିଜେଡି ଓ କଂଗ୍ରେସ ତାଙ୍କ ସହ ସମ୍ପର୍କରେ ଅଛନ୍ତି । ଗତ ୨୦ ବର୍ଷ ଧରି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ଓ ତାଙ୍କ ସାଥୀରେ ଅଛନ୍ତି ସେମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବା ପରେ ସେ ତାଙ୍କ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଅରୁଣ ସିଂହଙ୍କ ମତ ପରେ ଗଣମାଧ୍ୟମକୁ ବିଜୟଙ୍କ ଏହି ବୟାନ ସ୍ପଷ୍ଟ ସୂଚାଇ ଦେଉଛି ଯେ, ବିଜୟଙ୍କ ସହ ବିଜେପି ଏବେ ଯୋଗାଯୋଗରେ ରହିଛି । କିଛି ଡିଲ ବିଜୟ ଓ ବିଜେପି ମଧ୍ୟରେ ହେବାକୁ ଯାଉଛି ବୋଲି କୁହାଯାଉଛି ।

https://www.onakhabar.com/bijya-and-dellip-may-join-in-congress/

Leave A Reply

Your email address will not be published.