OnaKhabar

ଅଦ୍ଭୁତ ମୃତ୍ୟୁ, ଧକ୍କା କଲା କିଏ ମୃତ୍ୟୁ ହେଲା କାହାର…

73

ବଲାଙ୍ଗିର: ସୃଷ୍ଟିର ନିୟମ ସତରେ ଅଦ୍ଭୁତ | କେତେବେଳେ ମୃତ୍ୟୁ ଓ କେତେବେଳେ ଜନ୍ମ ହୁଏ ତାହା ଭଗବାନଙ୍କ ଉପରେ ଥାଏ | ତେବେ ଏପରି କହିବା ଅର୍ଥାତ ଆଜି ସେହିପରି ଏକ ଘଟଣା ସାମନାକୁ ଆସିଛି | ପ୍ରଥମେ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେଲା, ହେଲେ ଜୀବନ ହରାଇଲେ ରାସ୍ତାକଡ଼ରେ ନିଜ ଟ୍ରକ୍‌ର ଚକା ସଜାଡୁଥିବା ଆଉ ଜଣେ ଡ୍ରାଇଭର । ଏହିପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ସରତାଜ୍‌ ସିଂହ । ସୂଚନାନୁଯାୟୀ, ସେ ପଞ୍ଜାବରୁ ଏକ କୋଇଲା ବୋଝେଇ ଟ୍ରକ୍ ଧରି ଝାରସୁଗୁଡ଼ା ଅଭିମୁଖେ ଯାଉଥିଲେ । ରାତିପ୍ରାୟ ୩ଟା ବେଳେ ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ ତାଙ୍କ ଚକା ଲିକ୍ ହୋଇଯାଇଥିଲା । ଫଳରେ ସରତାଜ୍‌ ସେଠାରେ ଓହ୍ଲାଇ ଉକ୍ତ ଚକାକୁ ଖୋଲି ଆଉ ଏକ ଚକା ଲାଗାଉଥିଲେ । ଏହି ସମୟରେ ସେହି ରାସ୍ତାରେ ଉଭୟ ଦିଗରୁ ଆସୁଥିବା ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଟ୍ରକ୍‌ ଦୁଇଟି ମଧ୍ୟରେ ଧକ୍କା ହେବା ପରେ ସେଥିରୁ ଗୋଟିଏ ସରତାଜ୍‌ଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଦୁର୍ଘଟଣା ପରେ ଅନ୍ୟ ଗୋଟିଏ ମାଲ୍‌ ବୋଝେଇ ଟ୍ରକ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଏହି ଟ୍ରକ୍‌ରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ନାଁ ସୁନୀଲ କୁମାର ପାତ୍ର । ତାଙ୍କ ଘର କାକଟପୁରରେ ବୋଲି ଜଣାପଡ଼ିଛି । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।