OnaKhabar

ଅରୁଣଙ୍କ ମତ ପରେ ବିଜୟ ଓ ଦିଲ୍ଲୀପ ବିଜେପି ଫେରିବା ଚର୍ଚ୍ଚା ଜୋର

95

ଭୁବନେଶ୍ୱର (ଓଏନଏ): ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଲା ପରେ ଏଯାଏଁ କୌଣସି ଦଳରେ ସାମିଲ ହୋଇନାହାଁନ୍ତି । କୁଆଡ଼େ ଯିବେ ସେ ନେଇ ମଧ୍ୟ ଉଭୟ ମତ ସ୍ପଷ୍ଟ କରିନାହାଁନ୍ତି । ବର୍ତ୍ତମାନ ଏକ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି ଯେଉଁଥିରେ ଉଭୟ ପୁଣି ବିଜେପିକୁ ଫେରିବେ ବୋଲି କୁହାଯାଉଛି । କାରଣ ଏଭଳି ଏକ ସୂଚନା ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ମତରୁ ଆଜି ମିଳିଛି । ଆସନ୍ତା ନିର୍ବାଚନରେ ବିଜେଡି ପୁରା ସଫା ହେବାକୁ ଯାଉଛି ବୋଲି ମତ ରଖିବା ଅବସରରେ ବିଜୟ ଓ ଦିଲ୍ଲୀପଙ୍କ ସମ୍ପର୍କରେ ଦେଇଥିବା ପ୍ରତିକ୍ରୀୟାକୁ ଭିତ୍ତିକରି ଏହି ଆଲୋଚନା ହେଉଛି ।
ବିଜେପିରୁ ଇସ୍ତଫା ଦେବା ପରେ ବିଜୟ, ଦିଲ୍ଲୀପଙ୍କୁ ନେଇ ରାଜନୀତିରେ ଅନେକ ଆଲୋଚନା ହୋଇଛି । କେତେବେଳେ ସେ ବିଜେଡିକୁ ଫେରିବେ ତ ଆଉ କେତେବେଳେ କଂଗ୍ରେସ ସହ ରହିବେ ପୁଣି କେତେବେଳେ ବିଜେଡିକୁ ଆସିବେ ଏହି ଛକାପଞ୍ଝା ରାଜନୀତିକ ଆଲୋଚନା ଲାଗି ରହିଛି । ଏବେ ଏଥିରେ ଏକ ନୂଆ ଦିଗ ଯୋଡ଼ି ହୋଇଛି । ବିଜୟ ଓ ଦିଲ୍ଲୀପ ଗତ ନଭେମ୍ବର ୩୦ ତାରିଖରେ ବିଜେପି ଛାଡ଼ି ଥିଲେ । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ଚିଠି ଲେଖି ବିଶୋଦଗାର କରିଥିଲେ । ଦଳ ଛାଡ଼ିବାର କାରଣ ବିଜେପି କିଭଳି ଲକ୍ଷ୍ୟ ଚ୍ୟୁତ ହୋଇଛି ତାହା ଦର୍ଶାଇଥିଲେ । ଏପରି କି ଦିଲ୍ଲୀପ ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ । ହେଲେ ସେବେଠାରୁ ଉଭୟ ଅନ୍ୟ କୌଣସି ଦଳକୁ ଯାଇନାହାଁନ୍ତି । ଆଜି ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ପ୍ରଭାରୀ ଅରୁଣ ସିଂହଙ୍କୁ ସାମ୍ବାଦିକମାନେ ବିଜୟ ଓ ଦିଲ୍ଲୀପଙ୍କ ଘର ଲେଉଟାଣୀ ନେଇ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ ଯେଉଁ ମତ ରଖିଲେ ତାହା ହେଉଛି ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ । ଉଭୟ ଯେତେବେଳେ ଇସ୍ତଫା ଦେଇଛନ୍ତି ସେତେବେଳେ ସେମାନେ ବିଜେପିରେ ଆଉ ନାହାଁନ୍ତି ବୋଲି ପ୍ରଭାରୀ କହିବା କଥା । କିନ୍ତୁ ଉକ୍ତ ପ୍ରଶ୍ନର ଉତ୍ତରରେ ସେ କହିଲେ “କେହି ଆମ ଦଳରୁ ଯାଇ ନାହାଁନ୍ତି । ସବୁ ଆମ ସହ ଅଛନ୍ତି ।” ଶ୍ରୀ ସିଂହଙ୍କ ଏହି ମତର ସୁଦୂର ପ୍ରସାରୀ ପ୍ରଭାବ ରହିଛି । ତାଙ୍କ ମତକୁ ତର୍ଜମା କଲେ ସେ କହିବାକୁ ଚାହୁଁଛନ୍ତି ବିଜୟ ଦିଲ୍ଲୀପ ବିଜେପିରୁ ଯାଇ ନାହାଁନ୍ତି, ଉଭୟ ଦଳରେ ଅଛନ୍ତି । ଅବଶ୍ୟ ଦୁଇଜଣ ଇସ୍ତଫା ପତ୍ର ପଠାଇବା ପରେ ବିଜେପି ବିଦ୍ଧିବଦ୍ଧ ଭାବେ ଘୋଷଣା କରିନାହାଁନ୍ତି ଯେ, ସେମାନେ ଦଳରୁ ଗଲେ ବୋଲି ।
ବର୍ତ୍ତମାନ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଚାହୁଁଥିବାରୁ ସବୁ ପ୍ରକାର କାର୍ଡ ଖେଳିବାକୁ ଚାହୁଁଛି । ବିଜୟ ଓ ଦିଲ୍ଲୀପଙ୍କର ଓଡ଼ିଶା ରାଜନୀତିରେ ବେଶ ପ୍ରଭାବ ରହିଛି । ବିଶେଷ କରି ବିଜୟଙ୍କର କେନ୍ଦ୍ରାପଡ଼ା ଜିଲ୍ଲା ଅଧିକ ଓ ଅନ୍ୟ କିଛି ଜିଲ୍ଲାରେ ଅଳ୍ପ ବହୁତ ପ୍ରଭାବ ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଦିଲ୍ଲୀପଙ୍କର ଢ଼େର ପ୍ରଭାବ ରହିଛି । ବର୍ତ୍ତମାନ ଉଭୟଙ୍କୁ ବିଜେପିକୁ ଫେରାଇ ଆଣିବା ପାଇଁ ଦୁଇ ଜଣ ନେତା ପୁରା ଦମରେ ଲାଗିଥିବା କଥା କୁହାଯାଉଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦେଖୁଛନ୍ତି ଦିଲ୍ଲୀପ ଯଦି ବିରୋଧ କରିବେ ତେବେ ସେ ସୁନ୍ଦରଗଡ଼ରୁ ପୁଣି ଲୋକସଭାକୁ ଜିତିବା କଷ୍ଟକର ହେବ । ଗତଥର ସେ ଦିଲ୍ଲୀପଙ୍କ ସହାୟତା ପାଇଁ ହିଁ ଜିତିଥିଲେ । ଏକଥାକୁ ସେ ଭଲଭାବେ ଅନୁଭବ କରି ସମାଧାନ ଲାଗି ଉଦ୍ୟମ ଚଳାଇଥିବା କୁହାଯାଉଛି । ସେହିପରି ବିଜୟଙ୍କୁ ଫେରାଇ ନେବା ପାଇଁ ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗଦେଲା ପରେ ଲାଗିପଡ଼ିଛନ୍ତି । ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜିତିବାକୁ ହେଲେ ବିଜୟଙ୍କ ସହଯୋଗ ଲୋଡ଼ା । ବିଜୟ ଯଦି ବିଜେପି ପ୍ରାର୍ଥୀ ଭାବେ ବୈଜୟନ୍ତଙ୍କୁ ବିରୋଧ କରିବେ ତେବେ ସେ ଜିତିବା କଷ୍ଟକର ହୋଇପଡ଼ିବ । ବୈଜୟନ୍ତଙ୍କୁ ମୁକାବିଲା କରିବା ପାଇଁ ବିଜେଡି ଯଦି ବିଜୟଙ୍କୁ ନେଇ ପ୍ରାର୍ଥୀ କରେ ତେବେ ବୈଜୟନ୍ତ ଜିତିବା ଆଶା ମଉଳିଯିବ । ସେଠାରେ ବୈଜୟନ୍ତଙ୍କୁ କେବଳ ବିଜୟ ହିଁ ଟକ୍କର ଦେଇ ପାରିବେ । ଏଣୁ ବୈଜୟନ୍ତ ଚାହୁଁଛନ୍ତି ବିଜୟ ଦଳକୁ ଫେରି ଆସନ୍ତୁ ।
ଫଳରେ ଉଭୟ ଜୁଏଲ ଓ ବୈଜୟନ୍ତ କୁଆଡ଼େ କେନ୍ଦ୍ରୀୟ ନେତାମାନଙ୍କୁ ଧରି ଏମାନଙ୍କୁ ଫେରାଇ ନେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚାହୁଁଛନ୍ତି ଉଭୟ ଫେରି ଆସନ୍ତୁ ବୋଲି କୁହାଯାଉଛି । ନବୀନ ପଟ୍ଟନାୟକ ସରକାରଙ୍କୁ ହରାଇବାକୁ ହେଲେ ସବୁ ପ୍ରକାର ଅସ୍ତ୍ର ସାଥୀରେ ରହିବା ଆବଶ୍ୟକ ବୋଲି ଧର୍ମେନ୍ଦ୍ରଙ୍କ ମତ । ଦଳ ଛାଡ଼ିବା ନେଇ ଯେଉଁ ଭୁଲ ବୁଝାମଣା ହୋଇଛି ତାହାକୁ ଦୂରେଇ କ୍ଷମତାକୁ ଆସିବା ପାଇଁ ସବୁ ପ୍ରକାର ପଦକ୍ଷେପ ବିଜେପିର ନେତାମାନେ ଅବଲମ୍ବନ କରିବାକୁ ଯାଉଥିବା କୁହାଯାଉଛି ।

https://www.onakhabar.com/bijya-and-dellip-may-join-in-congress/