OnaKhabar

ଜାନକୀଙ୍କ ପୁଅ ପୃଥ୍ୱୀ ବଲ୍ଲଭ ବିଜେଡିରୁ ନୁହେଁ କଂଗ୍ରେସରୁ ବେଗୁନିଆ ପ୍ରାର୍ଥୀ ହେବେ

87

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ପ୍ରତ୍ୟେକ୍ଷ ରାଜନୀତି ମଇଦାନକୁ ଓହ୍ଲାଇବେ । ଏକଥା ପ୍ରକାର ସେ ସ୍ପଷ୍ଟ କରିସାରିଲେଣି । କିନ୍ତୁ ସେ ବିଜେଡିକୁ ଯିବେ ନାହିଁ । କଂଗ୍ରେସରୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ । ତାଙ୍କୁ ବିଜେଡିକୁ ନେବା ପାଇଁ ଭିଣୋଇ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଚାହୁଁଥିଲେ । ଏଥିନେଇ ଉଦ୍ୟମ ମଧ୍ୟ କରିଥିଲେ । ହେଲେ ପାରିବାରିକ ଚାପରେ ଏହି ଉଦ୍ୟମ ଫେଲ ମାରିଲା । ପୃଥ୍ୱୀ ବଲ୍ଲଭଙ୍କ ମା’ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ବିଜେଡିକୁ ଯିବା ମତକୁ ଘୋର ବିରୋଧ କଲେ । ଜାନକୀ ବଲ୍ଲଭ ଯେତେ ଘାତ ପ୍ରତିଘାତ ଆସିଥିଲେ ବି କେବେ ହେଲେ ଦଳ ଛାଡ଼ି ନ ଥିଲେ ଶେଷ ଯାଏଁ ସେ କଂଗ୍ରେସ ସହିତ ଜଡ଼ିତ ହୋଇ ରହିଥିଲେ । ଏଣୁ ତାଙ୍କ ପୁଅ ଯଦି ବିଜେଡିକୁ ଚାଲି ଯାଆନ୍ତି ତେବେ ଏହା ତାଙ୍କ ସ୍ୱର୍ଗତଃ ପିତାଙ୍କ ଆତ୍ମାକୁ ଆଘାତ ଲାଗିପାରେ ବୋଲି କଥା ଉଠିଲା । ଶ୍ରୀମତୀ ପଟ୍ଟନାୟକ ତୀବ୍ର ବିରୋଧ କରିବା ସହ ଯୁକ୍ତି ଦର୍ଶାଇଲେ ଯେ, ଯଦି ପୃଥ୍ୱୀ ବଲ୍ଲଭ ବିଜେଡିକୁ ଚାଲିଯାଆନ୍ତି ତେବେ କଂଗ୍ରେସରେ ଜାନକୀ ବଲ୍ଲଭଙ୍କୁ ଯେଉଁ ସମ୍ମାନ ଓ ମର୍ଯ୍ୟାଦା ଏବେ ବି ଦିଆଯାଉଛି ତାହା ସେମାନେ ଆଉ ଦେଇ ନ ପାରନ୍ତି । ଏପରି କି ଜାନକୀଙ୍କ ପାଇଁ ଯେଉଁ ଶ୍ରାଦ୍ଧ ଓ ଜୟନ୍ତୀ କଂଗ୍ରେସ ପାଳନ କରୁଛି ହୁଏତ ତାହା ମଧ୍ୟ ବନ୍ଦ ହୋଇଯାଇ ପାରେ । ଏଥିଲାଗି ପୃଥ୍ୱୀ ବଲ୍ଲଭଙ୍କ ବିଜେଡିରେ ଯୋଗଦାନ ପ୍ରସ୍ତାବ ଆଉ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
ହେଲେ କଂଗ୍ରେସ ତାଙ୍କୁ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଛି । ଏପରି କି ତାଙ୍କୁ ଜାନକୀଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ବେଗୁନିଆ-ବୋଲଗଡ଼ରୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ହୋଇଛି । ପୃଥ୍ୱୀ ବଲ୍ଲଭ ମଧ୍ୟ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବା ଆଶାରେ ନିର୍ବାଚନମଣ୍ଡଳୀରେ ବୁଲି ପିତାଙ୍କ ସମର୍ଥକମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି । ନିକଟରେ କଂଗ୍ରେସର ଯେଉଁ ସ୍କ୍ରିନିଂ କମିଟି ବସିଥିଲା ଓ ପରେ ଯେଉଁ ପିଇସି ବୈଠକ ହୋଇଥିଲା ସେଥିରେ ଯେଉଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇ ଏଆଇସିସିକୁ ଅନୁମୋଦନ ପାଇଁ ପଠାଯାଇଛି ସେଥିରେ ପୃଥ୍ୱୀ ବଲ୍ଲଭଙ୍କ ନାଁ ସ୍ଥାନ ପାଇଛି ବୋଲି କୁହାଯାଉଛି । ତାଙ୍କ ନାଁ ବେଗୁନିଆ-ବୋଲଗଡ଼ ବିଧାନସଭା ପାଇଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି । କିନ୍ତୁ ପ୍ରଶ୍ନ ଉଠୁଛି ଇତିମଧ୍ୟରେ ପିତାଙ୍କ ଭୋଟ ବ୍ୟାଙ୍କକୁ ଏତେ ବ୍ୟବଧାନ ପରେ ସେ କେତେଦୂର ଏକାଠି କରିବାରେ ସମର୍ଥ ହୋଇପାରିବେ । ଏଠାରୁ କଂଗ୍ରେସର ପୂର୍ବତନ ବିଧାୟକ କୈଳାସ ମହାପାତ୍ର ପ୍ରାର୍ଥୀ ହେବାକୁ ବହୁ ଆଗରୁ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ସୁଯୋଗ ମିଳୁ ନ ଥିଲା । ୨୦୦୯ ନିର୍ବର୍ାଚନରେ ସେ ପ୍ରାର୍ଥୀ ହୋଇ ୧୩ ହଜାର ଭୋଟ ପାଇଥିଲେ । ସେ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି । ଜାନକୀ ବଲ୍ଲଭଙ୍କ ଜିତିବା ପଛରେ ଶ୍ରୀ ମହାପାତ୍ରଙ୍କ ମୁଖ୍ୟ ହାତ ରହୁଥିଲା ବୋଲି କୁହାଯାଉଛି । ଏବେ ଶ୍ରୀ ମହାପାତ୍ର ତାଙ୍କ ପୁଅକୁ କଂଗ୍ରେସ ପ୍ରାର୍ଥୀ କରିବା ପାଇଁ ଚାହୁଁଛନ୍ତି । ଏ କ୍ଷେତ୍ରରେ କଂଗ୍ରେସ ଯଦି ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କୁ ପ୍ରାର୍ଥୀ କରେ ତେବେ ଶ୍ରୀ ମହାପାତ୍ର ସମର୍ଥନ ଦେଇ ନ ପାରନ୍ତି । ଏ କଥା ବି କୁହାଯାଉଛି ଶ୍ରୀ ମହାପାତ୍ରଙ୍କ ସମର୍ଥନ ନ ମିଳିଲେ ପୃଥ୍ୱୀ ବଲ୍ଲଭ ଜିତିବା କଷ୍ଟକର ହୋଇପଡ଼ିବ । ଏ କ୍ଷେତ୍ରରେ ପିସିସି ସଭାପତି ପୁରୁଣା କଂଗ୍ରେସ ନେତାଭାବେ ଶ୍ରୀ ମହାପାତ୍ରଙ୍କୁ କେତେଦୂର ପ୍ରଭାବିତ କରି ଦଳୀୟ ପ୍ରାର୍ଥୀ ସପକ୍ଷରେ ନେଇ ପାରିବେ ତାହା ହେଉଛି ବଡ଼ ପ୍ରଶ୍ନ ।
କିନ୍ତୁ ଶ୍ରୀ ମହାପାତ୍ରଙ୍କ ସମର୍ଥକମାନେ କହୁଛନ୍ତି ଥରେ ପୃଥ୍ୱୀ ବଲ୍ଲଭ ପ୍ରାର୍ଥୀ ହେଲେ ଶ୍ରୀ ମହପାତ୍ରଙ୍କ ପୁଅର ଆଶା ସବୁଦିନ ପାଇଁ ମଉଳି ଯିବ । ଏଣୁ ପୁଅର ରାଜନୈତିକ ଭବିଷ୍ୟତକୁ ଦେଖି ଶ୍ରୀ ମହାପାତ୍ର ସମର୍ଥନ ନ ଦେବା ନେଇ ଅଧିକ ଚର୍ଚ୍ଚା ହେଉଛି ।

https://www.onakhabar.com/somya-harrest-niranjan/