OnaKhabar

ସାରଦାଙ୍କୁ ରଶ୍ମୀ ଓ ସୁବ୍ରତଙ୍କୁ ପ୍ରଶାନ୍ତ ଦେବେ ଚେକ୍ !

57

ରାଉରକେଲା (ଅରବିନ୍ଦ): ୨୦୧୪ ନିର୍ବାଚନକୁ ସମୀକ୍ଷା କଲେ ୨୦୧୯ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ହୋଇଗଲାଣି କାରଣ ସେତବେଳେ ୫ ମାର୍ଚ୍ଚରେ ଆଚରଣବିଧି ଲାଗୁ ହୋଇଥିଲା । ତେଣୁ କୌଣସି ସମୟରେ ନିର୍ବାଚନ କମିଶନ ଆଚରଣବିଧି ଲାଗୁ କରିବା ସହ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ସେଥିପାଇଁ ବିଭିନ୍ନ ରାଜନୀତିକ ଦଳର ନେତାଙ୍କ ମଧ୍ୟରେ ଉଷ୍ମତା ଦେଖାଦେଇଥିବା ବେଳେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ସାଧାରଣରେ ଟୁପୁରୁ ଟାପୁରୁ ମଧ୍ୟ ଆରମ୍ଭ ହୋଇଗଲାଣି ।
ବିଧାୟକ ପଦରୁ ଓ ବିଜେପିରୁ ଦିଲିପ ରାୟ ଇସ୍ତଫାଦେବା ସହ ସେ ଚଳିତ ଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି ଫଳରେ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳିରେ ବିଜେପି ଅପେକ୍ଷାକୃତ ଦୁର୍ବଳ ହୋଇଯାଇଛି ଅନ୍ୟପକ୍ଷରେ କଂଗ୍ରେସ ତା ସ୍ଥିତିରେ ସେଭଳି ଉନ୍ନତି ଆଣିପାରୁ ନାହିଁ ତେଣୁ ବିଜେଡି ଚଳିତ ଥର ଉଭୟ ଆସନରେ ସୁବିଧା ଜନକ ସ୍ଥିତିରେ ରହିଛି କହିଲେ ଚଳେ । ତେଣୁ ଉଭୟ ଆସନରୁ କିଏ ହେବ ବିଜେଡିର ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି ।
ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ଆସନଟି ଅଣସଂରକ୍ଷୀତ ହୋଇଥିଲାବେଳେ ଏକମାତ୍ର ରଘୁନାଥପାଲ୍ଲୀ ଆସନଟି ୨୦୦୯ ମସିହାରୁ ଅନୁସୂଚିତ ଜାତି ବର୍ଗପାଇଁ ସଂରକ୍ଷୀତ ହୋଇଛି । ସେବେଠାରୁ ଉକ୍ତ ଆସନରେ ବିଜେଡିର ସୁବ୍ରତ ତରାଇ ବିଧାୟକ ରହିଛନ୍ତି । ସେହିପରି ରାଉରକେଲା ଆସନରେ ଯଦିଓ ବିଜେଡିର ପ୍ରଭାବ ରହିଛି ଏବଂ ୨୦୦୪ ଓ ୨୦୦୯ ମସିହାରେ ଏଠାରୁ ସାରଦା ନାୟକ ନିର୍ବାଚନ ଜିତିଥିଲେ କିନ୍ତୁ ୨୦୧୪ ମସିହାରେ ଦିଲିପ ରାୟ ବିଜେପିରୁ ପ୍ରାର୍ଥୀ ହୋଇ ପ୍ରଥମ ଥରପାଇର୍ ଦଳର ଖାତା ଏଠାରୁ ଖୋଲିଲେ ଓ ସାରଦା ପରାସ୍ତ ହେଲେ । କିନ୍ତୁ ଏବେ ଉଭୟ ଆସନରୁ କିଏ ହେବ ବିଜେଡିରୁ ପ୍ରାର୍ଥୀ, ସେହି ମୁହଁକୁ ପୁଣି ଦଳର ସୁପ୍ରିମୋ ପସନ୍ଦ କରିବେ ନାଁ ନୂଆ ମୁହଁ ଦେବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଗୋଟିଏ ପଟେ ଦିଲିପଙ୍କ ପରବର୍ତ୍ତି ରାଜନୀତିକ ନିଷ୍ପତ୍ତିକୁ ନେଇ କିଏ ହେବ ବିଜେଡିରୁ ପ୍ରାର୍ଥୀ ଚର୍ଚ୍ଚା ଚାଲିଥିଲା ବେଳେ ଆଉ କିଛିଙ୍କ ଯୁକ୍ତି ହେଲା ଉଭୟ ଆସନରେ ଏଥର ନୂଆ ମୁହଁ ଦିଆଯିବ । ରାଉରକେଲା ନିର୍ବାଚନ ମଣ୍ଡଳିରେ ସାଂଗଠନିକ ଦକ୍ଷତା ଦୃଷ୍ଟି କୋଣରୁ ଦେଖିଲେ ସାରଦା ନାୟକ ସର୍ବଗ୍ରେ ରହିଛନ୍ତି । ଆଉ କିଛିଙ୍କ ଯୁକ୍ତ୍ି ହେଲା ମଇ ୨୯, ୨୦୧୨ ଘଟଣାବଳିକୁ ନେଇ ସେ ବିବାଦୀୟ ହୋଇପଡିଥିବାରୁ ଗତଥର ତାଙ୍କ ପାଇଁ ଜିତିବା ସମ୍ଭବ ହେଲାନାହିଁ । କିନ୍ତୁ ଏହା ଭିତରେ ସେ ନିଜର ସ୍ଥିତି ସଜାଡି ସାରିଲେଣି ଏବଂ ଦଳର ସୁପ୍ରିମୋ ମଧ୍ୟ ପୁରୁଣା କଥାକୁ ଭୁଲି ସାରିଥିବାରୁ ୨୦୧୪ରେ ତାଙ୍କୁ ଟିକେଟ ଦେଲେ ଓ ନିର୍ବାଚନ ହାରି ମଧ୍ୟ ତାଙ୍କୁ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କଲେ । ଅନ୍ୟପକ୍ଷରେ ଗତଥର ହାରିଥିବାରୁ ତାଙ୍କୁ ପୁଣି ଟିକେଟ ଦେଇ ହାଇ କମାଣ୍ଡ ରିସ୍କ ନେବେ ନାହିଁ ବୋଲି ଚର୍ଚ୍ଚା ଚାଲିଥିଲାବେଳେ ଆଶାୟୀଙ୍କ ସଂଖ୍ୟା ବଢି ଚାଲିଥିବାରୁ ଚାପକୁ ଏଡାଇଯିବା ସହିତ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସମ୍ଭାବନାକୁ ଏଡାଇ ଯିବା ପାଇଁ ସୁପ୍ରିମୋ ରାଉରକେଲାରୁ ଜଣେ ମହିଳା ପ୍ରାର୍ଥୀଙ୍କୁ ପସନ୍ଦ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଏବେ ଏହି ଆଲୋଚନାକୁ ଖୋରାକ୍ ଯୋଗାଇଛି ଆଶାୟୀ ପ୍ରାର୍ଥୀଙ୍କ ସଂପର୍କରେ ସ୍ୱେଶିଆଲ ବ୍ରାଂଚ ପକ୍ଷରୁ ସୂଚନା ସଂଗ୍ରହ କରିବା ପ୍ରସଙ୍ଗରେ ଆଲୋଚନାକୁ ନେଇ ।
ଏବେ ଚର୍ଚ୍ଚା ଚାଲିଛି ଯେ ସ୍ୱେଶିଆଲ ବ୍ରାଂଚ ପକ୍ଷରୁ ମୁଖ୍ୟତଃ ୩ ଜଣ ଆଶାୟୀଙ୍କ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି । ଜଣେ ହେଲେ ସାରଦା ନାୟକ, ଆଉଜଣେ ହେଲେ ପୂର୍ବତନ ନଗରପାଳ ରଶ୍ମିବାଳା ମିଶ୍ର ଓ ଆଉ ଜଣେ ସହରର ଜଣେ ଜଣାଶୁଣା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ । ତେଣୁ ଆଶଙ୍କା କରାଯାଉଛି ଯଦିଓ ନଗରପାଳ ହିସାବରେ ରଶ୍ମି ସେଭଳି କିଛି ଆଖି ଦୃଶିଆ କାମ କରିନାହାନ୍ତି ତଥାପି ତାଙ୍କ ବିରୋଧରେ ସେଭଳି କିଛି ଅଭିଯୋଗ ନାହିଁ । ଏହା ଛଡା ଦଳର ସୁନ୍ଦରଗଡ଼ ପ୍ରଭାରୀ ପ୍ରଶାନ୍ତ ନନ୍ଦଙ୍କ ସହିତ ତାଙ୍କର ଉତ୍ତମ ବୁଝାମଣା ରହିଛି ଓ ଶ୍ରୀ ନନ୍ଦଙ୍କର ମଧ୍ୟ ତୃତୀୟ ମହଲା ସହିତ ଭଲ ଯୋଗସୂତ୍ର ରହିଛି । ଏତଦ୍ ବ୍ୟତିତ ଦଳ ପକ୍ଷରୁ ଯେଉଁ ଘୋଷଣା ହୋଇଛି ଯେ ପ୍ରତି ଜିଲ୍ଲାରୁ ଅତି କମ୍ରେ ଜଣେ ମହିଳା ପ୍ରାର୍ଥୀଙ୍କୁ ଦିଆଯିବ ସେହି ସମୀକରଣରେ ରଶ୍ମିଙ୍କ ମୁଣ୍ଡରେ ହାତି ସୁନାକଳସ ଢାଳିପାରେ । ତେଣୁ ଦିନେ ସାରଦାଙ୍କ ସହଯୋଗରେ କାଉନ୍ସିଲର ହୋଇ ନଗରପାଳ ହୋଇଥିବା ରଶ୍ମି ବି ଟିକେଟ ପାଇବା ଆଶାରେ ତାଙ୍କର କାର୍ଯ୍ୟକଳାପ ଜାରି ରଖିଛନ୍ତି ।
ସେହିପରି କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ ଏକ ଅଡିଓ ବୁଲୁଛି ଯେ ରଘୁନାଥପାଲ୍ଲୀରୁ ସୁବ୍ରତଙ୍କ ଟିକେଟ କଟୁଛି ବୋଲି । ଯଦିଓ ଦୁଇଥର ବିଧାୟକ ହେଲେଣି କିନ୍ତୁ ସୁବ୍ରତଙ୍କ ସାଂଗଠନିକ ଦକ୍ଷତାକୁ ନେଇ ଏବେବି ପ୍ରଶ୍ନ ଉଠୁଛି । କିନ୍ତୁ ସେ ଜଣେ ଭଲ ବ୍ୟକ୍ତି ବୋଲି ମଧ୍ୟ ଚର୍ଚ୍ଚା ରହିଛି । ହେଲେ ସଂଗଠନ ନଥିଲେ କେବଳ ଭଲ ବ୍ୟକ୍ତି ହେଲେ ଭୋଟ ଜିତିବା ସମ୍ଭବ ନୁହେଁ ତେଣୁ ତାଙ୍କର ଟିକେଟ କଟିବ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏବେ ଜଣାଶୁଣା ସାମାଜିକ କର୍ମୀ ପ୍ରଶାନ୍ତ ସେଠିଙ୍କ ନାମ ଚର୍ଚ୍ଚାରେ ଅସୁଛି । ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ ପ୍ରଶାନ୍ତ ଜଣେ ସାମାଜିକ କର୍ମୀ ହିସାବରେ ଜଣାଶୁଣା କିନ୍ତୁ ଶ୍ରମିକ ସଂଗଠନ କିମ୍ବା ଶ୍ରମିକ ରାଜନୀତିରେ ସେଭଳି ସକ୍ରୀୟ ନଥାଇ ତାଙ୍କୁ ବିଜୁ ଶ୍ରମିକ ସାମୁଖ୍ୟରେ ରାଜ୍ୟ ସ୍ତରୀୟ ପଦବି ଅବସ୍ଥାପିତ କରିବା ଦିନରୁ ଜଣା ପଡୁଥିଲା ଯେ ଦଳର ହାଇକମାଣ୍ଡ ରଘୁନାଥପାଲ୍ଲୀରେ ଆଉଜଣେ ସମାନ୍ତରାଳ ନେତୃତ୍ୱ ଠିଆ କରିବାର ଉଦ୍ଦେଶ୍ୟ ରଖି ଏଭଳି କରୁଛନ୍ତି । ଏହି ସୁଯୋଗକୁ ପ୍ରଶାନ୍ତ ହାତ ଛଡା ନକରି ଏବେ ଜଣେ ସାମାଜିକ କର୍ମୀ ସହିତ ନିଜକୁ ଜଣେ ଅଣସଂଗଠିତ ଶ୍ରମିକ ମାନଙ୍କ ନେତାଭାବରେ ମଧ୍ୟ ପ୍ରତିପାଦିତ କରିପାରିଛନ୍ତି । ଯାହାକି ପରୋକ୍ଷରେ ସେ ବିଜେଡିରୁ ରଘୁନାଥପାଲ୍ଲୀରୁ ପ୍ରାର୍ଥୀ ହେଉଛନ୍ତି ବୋଲି ଏକ ଆଲୋଚନାର ବାତାବରଣ ସୃଷ୍ଟି କରିଛି । ତେଣୁ ଏବେ ସହରରେ ଚର୍ଚ୍ଚା ଚାଲିଛି ଯେ ସାରଦାଙ୍କୁ ରଶ୍ମି ଓ ସୁବ୍ରତଙ୍କୁ ପ୍ରଶାନ୍ତ ଚେକ୍ ଦେବେ ।