OnaKhabar

ନବୀନଙ୍କୁ ଭେଟିଲେ ଆଶଙ୍କାରେ ଥିବା ୩ ସାଂସଦ

0 19

ଭୁବନେଶ୍ୱର: ବିଜେଡିରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ଏବେ ଜୋରଦାର ଚାଲିଛି । ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଣୁ ଆଶାୟୀମାନେ ନବୀନ ନିବାସରେ ଟିକେଟ ପାଇଁ ଧାଡ଼ି ଲଗାଇବାରେ ଲାଗିଛନ୍ତି । ଆସନ୍ତା ନିର୍ବାଚନରେ ଦଳ କିଛି ସଂସଦଙ୍କୁ ପ୍ରାର୍ଥୀ ନ କରିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ଏହାକୁ ନେଇ ଆଶଙ୍କାରେ ଥିବା ୩ ସାଂସଦ ଆଜି ନବୀନ ନିବାସରେ ପହଂଚି ସୁପ୍ରିମୋଙ୍କୁ ଭେଟି ସେମାନଙ୍କ ଆଗ୍ରହ ଜଣାଇଛନ୍ତି । ଏଥିରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଯାଜପୁର ସାଂସଦ ରୀତି ତରାଇ ଓ ବରଗଡ଼ ସାଂସଦ ପ୍ରଭାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ୨୧ଟି ଲୋକସଭା ଆସନ ମଧ୍ୟରୁ ପ୍ରାୟ ୧୭ଟି ଆସନରେ ପ୍ରାର୍ଥୀ ବଦଳାଇବ ବୋଲି କୁହାଯାଉଛି । ଏଥିରେ ଅଧିକାଂଶ ସାଂସଦ ବାଦ ପଡ଼ିବାକୁ ଯାଉଛନ୍ତି । କିନ୍ତୁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକସଭା ପାଇଁ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଘୋଷଣା କରିବା ପରେ ମହିଳା ପ୍ରାର୍ଥୀମାନେ ପୁଣି ଥରେ ଟିକେଟ ପାଇବା ନେଇ ଆଶାୟୀ ହୋଇପଡ଼ିଛନ୍ତି । ଆଉ କାଳ ବିଳମ୍ବ ନ କରି ନବୀନଙ୍କୁ ଆସି ଭେଟି ସେମାନଙ୍କ ଇଚ୍ଛା ପ୍ରକଟ କରିଛନ୍ତି । ବିଜେଡି ସୁପ୍ରିମୋଙ୍କ ଘୋଷଣା ଅନୁସାରେ ୨୧ଟି ଲୋକସଭା ଆସନରୁ ୭ଟି ଆସନ ପାଇଁ ମହିଳାଙ୍କୁ ପ୍ରାର୍ଥୀ ଦଳ କରିବ । ଏବେ ଦଳର ୩ ଜଣ ମହିଳା ସାଂସଦ ଅଛନ୍ତି । କନ୍ଧମାଳ, ଯାଜପୁର ଓ କେନ୍ଦୁଝରରେ ଦଳର ମହିଳା ସାଂସଦ ଅଛନ୍ତି । ଏହି ୩ ଜଣଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ ନ ମିଳିବା ନେଇ ବହୁ ଜୋରରେ ଚର୍ଚ୍ଚା ଧରିଥିଲା । କିନ୍ତୁ ଦଳର ସୁପ୍ରିମୋଙ୍କ ନୂଆ ଘୋଷଣା ସେମାନଙ୍କୁ ଆଶ୍ୱାସ୍ତ କରିଛି । ଆଜି ଆସି ଦୁଇ ମହିଳା ସାଂସଦ ନବୀନଙ୍କୁ ଭେଟିଛନ୍ତି ।
ନୀବନଙ୍କୁ ଭେଟି ଯାଜପୁର ସାଂସଦ ରୀତା ତରାଇ ଜଣାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଇଁ ଯେଉଁ ୩୩ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି ସେଥିନେଇ ସେ ତାଙ୍କୁ ସ୍ୱାଗତ କରିଛନ୍ତି । ସାଂସଦ ଭାବେ ସେ ଦଳ ପାଇଁ ୫ ବର୍ଷ କାମ କରିଛନ୍ତି । ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟଭାବେ ରହିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ପୁଣି ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ଏ କ୍ଷେତ୍ରରେ ଦଳର ସଭାପତି ତାଙ୍କର ନିଷ୍ପତ୍ତି ନେବେ ବୋଲି ଶ୍ରୀମତୀ ତରାଇ କହିଛନ୍ତି । ପରିବର୍ତ୍ତନ କରି ନୂଆ ମୁହଁ ଆଣିବେ କି ନାହିଁ ତାହା ଦଳର ସଭାପତି ନିଷ୍ପତ୍ତି ନେବେ । କିନ୍ତୁ ମୁଁ ଦଳରେ ଅଛି ଓ ରହିବି ବୋଲି ସେ କହିଛନ୍ତି ।
କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କହିଛନ୍ତି ସେ କନ୍ଧମାଳ ଲୋକସଭା ଆସନର ଲୋକଙ୍କ ପାଇଁ କାର୍ଯ୍ୟ କରିଛନ୍ତି । ଦଳରେ ଶୃଙ୍ଖଳିତ ସଦସ୍ୟଭାବେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି ସେଥିପାଇଁ ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ । ଏଥିରେ ଆମେ ଅଧିକ ଉତ୍ସାହ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ମିଳିଛି ବୋଲି ସେ କହିଛନ୍ତି । ପୂର୍ବରୁ ସେ ନୟାଗଡ଼ ବିଧାୟକ ଭାବେ ଲଢ଼ିବା ପାଇଁ ଚାହୁଁଥିଲେ । ଏ ଦିଗରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । କିନ୍ତୁ ସେ ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି ।
ସେହିପରି ବରଗଡ଼ ସାଂସଦ ପ୍ରଭାସ ସିଂହ ମଧ୍ୟ ଟିକେଟ ନ ପାଇବା ତାଲିକା ନେଇ ହେଉଥିବା ଚର୍ଚ୍ଚାରେ ରହିଛନ୍ତି । ଦଳ ଝାରସୁଗୁଡ଼ାର କଂଗ୍ରେସର ପୂର୍ବତନ ବିଧାୟକ ନବଦାସଙ୍କୁ ଆଣି ସାମିଲ କରିଛନ୍ତି । ଏଣୁ ଏଠାରେ ଏଥର ନବଙ୍କୁ ବିଜେଡି ପ୍ରାର୍ଥୀ କରିବ । ଫଳରେ ଏଠାରେ ଦଳୀୟ ପ୍ରାର୍ଥୀ ହେଉଥିବା କିଶୋର ମହାନ୍ତିଙ୍କୁ ଅନ୍ୟତ୍ର ଥଇଥାନ ଦଳ କରିବାକୁ ଚାହୁଁଛି । ସେଥିପାଇଁ ତାଙ୍କୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ଆଲୋଚନା ହେଉଛି । ଏଣୁ ପ୍ରଭାସ ଏ ସବୁର ସୂଚନା ପାଇ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଣି ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିବା କଥା ଜଣାଇଛନ୍ତି ।

https://www.onakhabar.com/naveen-didnt-request-tathagat-to-stay-in-bjd/

Leave A Reply

Your email address will not be published.