OnaKhabar

ମଧ୍ୟାହ୍ନ ଭୋଜନ ବର୍ଜନ କରିବେ ଶିକ୍ଷକ : ଫେଡେରେସନ୍ ପକ୍ଷରୁ ଧମକ

0 29

ପିଲାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଦେବାକୁ ଦାବି

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା କମିଶନ୍ ଦ୍ୱାରା ଆକ୍ରୋଶମୂଳକ ଭାବେ ଖାଦ୍ୟ ପରୀକ୍ଷା ରିପୋର୍ଟରେ ଚଞ୍ଚକତା କରି ମଧ୍ୟାହ୍ନ ଭୋଜନକୁ ନିମ୍ନ ମାନର ଦର୍ଶାଇବା ଏବଂ ଏହି କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାର ଆଳରେ ବିଭିନ୍ନ ଜିଲ୍ଲାରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନିଲମ୍ବନ କରାଯାଉଥିବା ନେଇ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର ଏବଂ ସମ୍ପୃକ୍ତ ବିଭାଗ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ବନ୍ଦ କରିବା ସହ ଖାଦ୍ୟ ପରୀକ୍ଷାର ପ୍ରଣାଳୀକୁ ସାର୍ବଜନୀନ କରିବାକୁ ଦାବି କରାଯାଇଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ସରକାର ଏ ନେଇ ନିଜର ସିଦ୍ଧାନ୍ତ ସ୍ପଷ୍ଟ ନ କଲେ ସାରା ରାଜ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁବ୍ ଶୀଘ୍ର ମଧ୍ୟାହ୍ନଭୋଜନ ବର୍ଜନ କରିବା ସହ ଶିକ୍ଷାଦାନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ଫେଡେରେସନ୍ ପକ୍ଷରୁ ଧମକ ଦିଆଯାଇଛି ।
ପ୍ରକାଶ ଯେ, ଗତ ୨୦୧୭ ଓ ୨୦୧୮ ମସିହାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏକାଧିକ ବିଦ୍ୟାଳୟରେ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା କମିଶନ ପକ୍ଷରୁ ଖାଦ୍ୟର ମାନ ପରୀକ୍ଷା କରାଯାଇଥିଲା, ତେବେ ଏହି ଖାଦ୍ୟ ନମୁନା ଗୁଡ଼ିକୁ ନିୟମାନୁଯାୟୀ ଶୂନ ଡିଗ୍ରୀରେ ସଂରକ୍ଷିତ ନକରି ଦୀର୍ଘ ଘଣ୍ଟାପରେ ପରୀକ୍ଷା କରାଯାଇଥିଲା । ପରୀକ୍ଷା ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା । ମାଲକାନଗିରି ଭଳି ବହୁ ଦୂରରୁ ଖାଦ୍ୟ ଭୁବନେଶ୍ୱର ଅଣାଯାଇ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ନୁହେଁ, ରିପୋର୍ଟରେ ବିଭିନ୍ନ ସ୍ଥାନରେ ଖାଦ୍ୟ ଅସୁରକ୍ଷିତ, ସନ୍ତୋଷଜନକ ନୁହେଁ, ନିମ୍ନ ମାନର, ମିସ୍-ବ୍ରାଣ୍ଡ୍ ଆଦି ବୋଲି ଦର୍ଶାଯାଇଥିଲା । ଏପରିକି ଏହାକୁ ଆଧାର କରି ଖାଦ୍ୟ ସୁରକ୍ଷା କମିଶନ ଗତ ତା ୦୨.୦୧.୨୦୧୮ ଚିଠି ନଂ. ୬, ତା ୧୮.୦୧.୨୦୧୮, ଚିଠି ନଂ. ୧୧୧ ଓ ଚିଠି ନଂ. ୯୫୨ ତା ୨୧.୦୦୮.୨୦୧୮ ଦ୍ୱାରା ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବା ଏବଂ ଏହି ଚିଠି ଆଧାରରେ ଓ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ବିଭିନ୍ନ ଜିଲ୍ଲାର ଶିକ୍ଷାଧିକାରୀମାନଙ୍କୁ, ଶିକ୍ଷକମାନଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାଯାଇଛି । (ଚିଠି ନଂ. ୧୮୩, ତା ୨୨.୦୨.୨୦୧୯) । ଏହି ସବୁ ଘଟଣାକୁ ଶିକ୍ଷକ ଫେଡେରେସନ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏନେଇ ଆଜି ଶିକ୍ଷକ ସଂଘର ସଭାପତି ହୃଦାନନ୍ଦ ଦ୍ୱିବେଦୀ, ମହାସଚିବ ଅମୀୟ କୁମାର ଦାଶ, ସଂଯୋଜିକା ଚାରୁଲତା ମହାପାତ୍ର, ଉପସଭାପତି ବିଜୟ ମହାନ୍ତି, ପ୍ରଶାନ୍ତ କୁମାର ସର, ସଙ୍ଗୀତା ଦାଶ ଓ ରାମନାରାୟଣ ମିଶ୍ର ପ୍ରମୁଖ ମଧ୍ୟାହ୍ନ ଭୋଜନ ରାଜ୍ୟ ନୋଡାଲ ଅଧିକାରୀ, ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଭେଟି ଆଲୋଚନା କରିଥିଲେ । ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖାଦ୍ୟ ଖାଇ କୌଣସି ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ହୋଇନଥିଲା ବେଳେ ଦୀର୍ଘ ମାସ ତଳର ରିପୋର୍ଟକୁ ଆଳ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନିନ୍ଦନୀୟ ବିଷୟ ବୋଲି ଫେଡେରେସନ୍ ପକ୍ଷରୁ କୁହାଯାଇଛି । ଏପରିକି ମଧ୍ୟାହ୍ନଭୋଜନ ଭଳି ଏକ ଛାତ୍ରଛାତ୍ରୀପ୍ରିୟ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି ବୋଲି ଫେଡେରେସନ୍ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି । ଗୋଟିଏ ପକ୍ଷରେ ଆହାର ଯୋଜନାରେ ସରକାର ଭାତ ଡାଲମା ପାଇଁ ମିଲ୍ ପିଛା ୨୩ ଟଙ୍କାରୁ ୩୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଚାଉଳ ବ୍ୟତୀତ ମିଲ୍ ପିଛା ଟ. ୪.୮୦ ପଇସା ଦେଉଛି । ଏଭଳି ସ୍ଥିତିରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ସୁରକ୍ଷା ଭତ୍ତା ବାବଦରେ ସିଧାସଳଖ ଟଙ୍କା ଦେବାକୁ ଫେଡେରେସନ୍ ପକ୍ଷରୁ ଦାବି କରାଯାଇଛି । ସରକାର ଖୁବ୍ ଶିଘ୍ର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର ନ କଲେ ବାଧ୍ୟ ହୋଇ ଆଗାମୀ ଦିନରେ ଫେଡେରେସନ୍ ସମଗ୍ର ରାଜ୍ୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟରୁ ବିରତ ରହିବ ।

Leave A Reply

Your email address will not be published.