OnaKhabar

ସୁନ୍ଦରଗଡ଼: ବଦଳିବେ ସୁବ୍ରତ ଓ ମଙ୍ଗଳା!

59

ଭୁବନେଶ୍ୱର: ବିଜେଡି ଆସନ୍ତା ନିର୍ବାଚନ ପାଇଁ ଚଳାଇଥିବା ରଣକୌଶଳ ମଧ୍ୟରେ ପ୍ରାର୍ଥୀମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେଉଛି । ବିଭିନ୍ନ ଦିଗକୁ ଦୃଷ୍ଟିଦେଇ ପ୍ରାର୍ଥୀ ଚୟନ କରାଯାଉଛି । ଦଳ ଏ ନେଇ ତାର ନୀତି ନିର୍ଦ୍ଧାରଣ କରିଥିବା କଥା କୁହାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ଦଳର ସ୍ଥିତି ଭଲନାହିଁ । ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ମାତ୍ର ୨ଟି ଦଳର ଦଖଲରେ ରହିଥିଲା ବେଳେ ୫ଟି ବିରୋଧୀଙ୍କ ପାଖରେ ଥିଲା । ଏଣୁ ଏଥର ଜିଲ୍ଲାରୁ କିପରି ସବୁଯାକ ଆସନ ପାଇବ ବା ଗତଥରଠାରୁ ଅଧିକ ମିଳିବ ସେଥିପାଇଁ ଆଗୁଆ ରଣନୀତି ନିର୍ଦ୍ଧାରଣ କରିଛି । ଏଥିରେ କିଛିଟା ସଫଳତା ମିଳିଥିଲା ବେଳେ ଆଉ କିଛି ସଫଳତା ଆଶାରେ ଅନାଇ ବସିଛି । ରଘୁନାଥପାଲ୍ଲୀ ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ବଦଳାଇବା କଥା ଚର୍ଚ୍ଚା ହେଉଛି ।
ଜିଲ୍ଲାର ତଲସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଉରକେଲ ଓ ବଣାଇ ଆସନ ବିରୋଧୀଙ୍କ ହାତରେ ରହିଛି । ବିଜେଡି ହାତରେ ରଘୁନାଥପାଲ୍ଲି, ରାଜଗାଙ୍ଗପୁର । ତଲସରା ବିଧାନସଭା ଆସନ କଂଗ୍ରେସ ହାତରେ ରହିଛି । ଏଠାରେ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝି ଅଛନ୍ତି । ତାଙ୍କର ନିର୍ବାଚନମଣ୍ଡଳୀରେ ବେଶ ଭଲ ଦଖଲ ରହିଛି । ଏଣୁ ଆସନ୍ତା ନିର୍ବାଚନରେ ତାଙ୍କୁ କିପରି ଦଳକୁ ଆଣି ଏହି ଆସନ ହାସଲ କରିବେ ସେ ଲକ୍ଷ୍ୟରେ ବିଜେଡି ଅଛି । କିନ୍ତୁ ସେ ଆସିବା ପାଇଁ ଯେଉଁ ପ୍ରସ୍ତାବ ରଖୁଛନ୍ତି ତାହା ବିଜେଡି ପାଇଁ ଗ୍ରହଣ କରିବା ସମସ୍ୟା ହେଉଛି । ଦଳ ତାଙ୍କୁ ଲୋକସଭାରେ ପ୍ରାର୍ଥୀ କରିବାକୁ ଚାହୁଁଛି । ସେ ଆସିଲେ ବିଧାନସଭା ଓ ଲୋକସଭା ଆସନ ପାଇବା ସହଜ ହେବ ବୋଲି ଚିନ୍ତା କରାଯାଉଛି । କିନ୍ତୁ ଡାକ୍ତର ମାଝି ଲୋକସଭା ପ୍ରାର୍ଥୀ ହେଲେ ସେ ତାଙ୍କ ପତ୍ନୀଙ୍କୁ ତଲସରା ବିଧାନସଭା ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ଯାହା ଦଳ ପାଇଁ ଗ୍ରହଣ କରିବା କଷ୍ଟକର ହେଉଛି । ତଥାପି ତାଙ୍କୁ ମନାଇବା ପାଇଁ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ନବ ଦାସଙ୍କୁ ଦଳ ଦାୟିତ୍ୱ ଦେଇଛି ।
ସୁନ୍ଦରଗଡ଼ ଆସନ ବି କଂଗ୍ରେସ ହାତରେ ଥିଲା । ଏଥିରେ ପୂର୍ବତନ ବିଧାୟକ ଯୋଗେଶ ସିଂ ଇତିମଧ୍ୟରେ ଆସି ବିଜେଡିରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବ । ହେଲେ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ ଯୋଗେଶଙ୍କୁ ବିରୋଧ କରୁଛନ୍ତି, ଯାହା ତାଙ୍କ ପାଇଁ ବଡ଼ ସମସ୍ୟା ହେବ ବୋଲି କୁହାଯାଉଛି । ସେଠାରେ ବିଜେଡି ନେତ୍ରୀ କୁଶୁମ ଟେଟେଙ୍କୁ ଦଳ ଥଇଥାନ କରିଥିଲେ ବି ସେ କିନ୍ତୁ ବୁଝିବା ସ୍ଥିତିରେ ନାହାଁନ୍ତି କିମ୍ବା ତାଙ୍କ ସମର୍ଥକମାନେ ମଧ୍ୟ ବୁଝୁନାହାଁନ୍ତି । ଯୋଗେଶଙ୍କୁ ପ୍ରବଳ ବିରୋଧ ସେଠାରେ କରାଯାଉଛି । ଯୋଗେଶଙ୍କୁ କଂଗ୍ରେସରୁ ଆଣିବାର ଲକ୍ଷ୍ୟ ବିଜେଡି ପାଇଁ ବୁମେରାଂ ହୋଇପାରେ ବୋଲି କୁହାଯାଉଛି ।
ବୀରମିତ୍ରପୁର ବିଧାନସଭା ଆସନର ବିଜେଡି ହାତରେ ନ ଥିଲା । ଏଠାରେ ଦଳ ନୂଆ ପ୍ରାର୍ଥୀ ଦେବା ପାଇଁ ଯୋଜନା କରିଛି ।
ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ବିଜେଡି କବଜାରେ ଅଛି । ଏଠାରେ ବିଧାୟକ ସୁବ୍ରତ ତରାଇଙ୍କର ଲୋକପ୍ରିୟତା ହ୍ରାସ ପାଇଛି ବୋଲି କୁହାଯାଉଛି । କିଛି ଦଳୀୟ ନେତା ତାଙ୍କୁ ବିରୋଧ କରୁଛନ୍ତି । ସେଥିପାଇଁ ତାଙ୍କୁ ବଦଳାଇବା ଲାଗି ଯୋଜନା କରାଯାଇଥିବା ଆଲୋଚନା ହେଉଛି ।
ରାଉରକେଲା ବିଧାନସଭା ଆସନ ବି ବିଜେଡି ହାତରେ ନ ଥିଲା । କିନ୍ତୁ ସେଠାରେ ଗତଥର ଦଳର ପ୍ରାର୍ଥୀ ହୋଇଥିବା ସାରଦା ନାୟକଙ୍କୁ ପୁଣି ଏଥର ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି ।
ରାଜଗାଙ୍ଗପୁରର ଦଳୀୟ ବିଧାୟକ ମଙ୍ଗଳା କିଶାନଙ୍କୁ ଆଉ ଏଥର ଟିକେଟ ମିଳିବନାହିଁ । ବୟସ ତାଙ୍କ ପାଇଁ ମୁଖ୍ୟ ବାଧକ । କୁହାଯାଉଛି ତାଙ୍କର ସେ ଅଂଚଳରେ ଲୋକପ୍ରିୟତା ଥିବାରୁ ତାଙ୍କ ପୁଅକୁ ପ୍ରାର୍ଥୀ କରିବା ପାଇଁ ଯୋଜନା ରଖାଯାଇଥିବା କୁହାଯାଉଛି । ମଙ୍ଗଳାଙ୍କ ସମର୍ଥନ ବିନା ସେଠାରେ ଜିତିବା କଷ୍ଟକର ବୋଲି ଏକଥା ବି ଶୁଣାଯାଉଛି ।
ବଣାଇ ବିଧାନସଭା ଆସନ ସିପିଆଇ ହାତରେ ଅଛି । ଗତଥର ଏହି ଆସନ ବିଜେପି ହାତରେ ଥିଲା । ବିଜେପିର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ବିଜେଡି ଆସି ସାମିଲ ହୋଇସାରିଛନ୍ତି । ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିବାର ସମ୍ଭାବନା ଥିବା କୁହାଯାଉଛି ।