OnaKhabar

ବାମପନ୍ଥୀ ଓ ଜେଏମଏମକୁ କଂଗ୍ରେସ ୩ ଲୋକସଭା ଓ ୭ ବିଧାନସଭା ଆସନ ଛାଡିବ!

96

ଭୁବନେଶ୍ୱର : ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଚାଲିଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଣ୍ଟ ନେଇ ଚାଲିଥିବା ଆଲୋଚନା ମଧ୍ୟ ଶେଷ ପର୍ଯ୍ୟାୟକୁ ଆସିଛି । ଆସନ୍ତା ୨ତାରିଖରେ ବାମପନ୍ଥୀ ଓ ଜେଏମଏମ ସହ ଆସନ ବୁଝାମଣା ଚୂଡାନ୍ତ ହେବ । ୬ତାରିଖରେ ଦଳର ନିର୍ବାଚନ କମିଟି ବୈଠକ ବସି ଚୂଡାନ୍ତ ମୋହର ମାରି ଏଆଇସିସିକୁ ପଠାଯିବ । ସିବିଆଇ,ସିପିଏମ ଓ ଜେଏମଏମକୁ ଗୋଟିଏ ଲେଖାଏ ଲୋକସଭା ଓ ପ୍ରାୟ ୭ରୁ ୮ଟି ବିଧାନସଭା ଆସନ ଛାଡିବା ପାଇଁ ଯାଉଥିବା ଜଣାପଡିଛି । ଆସନ୍ତା ୨ତାରିଖରେ ପିସିସି ସମ୍ଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧି ଦଳ ନେତା ନରଂସିହ ମିଶ୍ର, ମେଣ୍ଟ କମିଟିର ସଦସ୍ୟ ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ବାମପନ୍ଥୀ ଓ ଜେଏମଏମ ସହ ଆଲୋଚନା କରି ତାଲିକା ଚୂଡାନ୍ତ କରିବେ ।
ମେଣ୍ଟକମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ବାମପନ୍ଥୀଙ୍କ ଆଲୋଚନା ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଏଥିରେ ଖାଲି ମୋହର ମାରିବା ବାକି ଅଛି ବୋଲି କୁହାଯାଉଛି । ସିବିଆଇ ଆସ୍କା ଲୋକସମଭା ଓ ୧୨ଟି ବିଧାନସଭା ଆସନ ନେଇ ପ୍ରସ୍ତାବ ପ୍ରଥମେ ଦେଇଥିଲା । ସେହିପରି ସିପିଏମ ଭୁବନେଶ୍ୱର ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ଏବଂ ଜେଏମଏମ ମୟୁରଭଞ୍ଜ ଲୋକସଭା ଓ ୫ଟି ବିଧାନସଭା ପାଇଁ ପ୍ରସ୍ତାବ ଦେଇଥିବା କୁହାଯାଉଛି । ଏହି ପ୍ରସ୍ତାବକୁ ନେଇ ସେମାନଙ୍କ ସହ ଦଳୀୟ ସ୍ତରରେ ବ୍ୟପକ ବିଚାର ବିର୍ମଷ କରାଯାଇଛି । ପ୍ରକ୍ରୁତରେ ବାମପନ୍ଥୀ ଓ ଜେଏମଏମ ଯେଉଁ ବିଧାନସଭା ଆସନ ଗୁଡିକ ଦାବୀ କରାଯାଉଛି ସେଥିରେ ସେମାନଙ୍କ ସ୍ଥିତି କଣ ଓ କେତେଦୁର ବାସ୍ତବତା ରହିଛି ସେ ନେଇ ଅନୁଧ୍ୟାନ କରାଯାଇଛି । ତିନି ଦଳ ପକ୍ଷରୁ ଯେଉଁ ତିନୋଟି ଲୋକସଭା ଆସନ ଦାବୀ କରାଯାଇଛି ତାହଛାଡିବା ପାଇଁ କଂଗ୍ରେସର କୌଣସି ସମସ୍ୟା ନାହିଁ । ଆସ୍କା, ଭୁବନେଶ୍ୱର ଓ ମୟୁରଭଞ୍ଜ ଲୋକସଭା ଆସନ କଂଗ୍ରେସ ଛାଡିଦେବାକୁ ରାଜି ଅଛି । କିନ୍ତୁ ସମସ୍ୟା ରହିଛି ବିଧାନସଭା ଆସନକୁ ନେଇ ବୋଲି କୁହାଯାଉଛି ।
ସିପିଆଇ ବୌଦ, ବ୍ରଜରାଜ ନଗର,ବାଲିକୁଦା ବିଧାନସଭା ଆସନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବ୍ରଜରାଜ ନଗର ଆସନ କଂଗ୍ରେସ ଛାଡିବା ନେଇ ସମସ୍ୟା ରହିଛି । କଂଗ୍ରେସ ଏହି ଆସନ ଛାଡିବା ଉପରେ କିଛି ସ୍ଥିର କରିପାରୁ ନାହାନ୍ତି । ଏହା ଛଡା ଆଉ କିଛି ଆସନ ମଧ୍ୟ ସେମାନେ ଦାବୀ କରୁଥିଲେବି ଅଧିକ ପ୍ରାଧାନ୍ୟ ଦେଉନଥିବା କଥା କୁହାଯାଉଛି । ଏଥିରେ କଂଗ୍ରେସ ବୌଦ ଆସନ ଛାଡିବା ପାଇଁ ସମ୍ପୁର୍ଣ୍ଣ ରାଜି ଥିବା ବେଳେ ବାଲିକୁଦା ନେଇ ଟିକେ ଦ୍ୱନ୍ଦରେ ଅଛି ।
ସିପିଏମ ନିଳଗିରି, ରେମୁଣା,ବଣେଇ,ଚିତ୍ରକୋଣ୍ଡା,ମାଲକାନଗିରି ପାଇଁ ମୁଖ୍ୟତ ଅଧିକ ଦାବୀ ରହୁଛି । ବଣେଇରେ ସିପିଏମର ବିଧାୟକ ଥିବାରୁ କଂଗ୍ରେସ ଏହି ଆସନ ଛାଡିବା ପାଇଁ ସମସ୍ୟା ନାହିଁ । ନିଳଗିରିରେ ସିପିଏମ ଦାବୀ କରୁଥିଲେ ମଧ୍ୟ ୨୦୧୪ ନିର୍ବାଚନରେ ସେଠାରେ ଦଳର ପ୍ରାର୍ଥୀଙ୍କୁ ଅମାନତ ହରାଇବାକୁ ପଡିଥିଲା । ଏଣୁ କଂଗ୍ରେସ ଏ ଆସନ ଛାଡିବା ନେଇ ଦ୍ୱନ୍ଦରେ ଅଛି । ରେମୁଣା ଆସନ ଛାଡିବାକୁ ଦଳ ପ୍ରାୟ ରାଜି ଅଛି ବୋଲି ଜଣାପଡିଛି । ଚିତ୍ରକୋଣ୍ଡା ଓ ମାଲକାନଗିରି ମଧ୍ୟରୁ ଗୋଟିଏ ଆସନ ଛାଡିପାରେ ।
ଜେଏମଏମ ମୟୁଭଞ୍ଜ ଲୋକସଭା ସହ ବଡସାହି, ଉଦଳା ଓ ସୁନ୍ଦରଗଡର ଗୋଟିଏ ଆସନ ଚାହୁଛି । ଲୋକସଭା ଆସନ ପରେ ଆଉ ଗୋଟିଏ କି ଦୁଇଟି ବିଧାନସଭା ଆସନ ଦଳ ଛାଡିପାରେ ବୋଲି କୁହାଯାଉଛି ।
ଯାହା ଆଲୋଚନା ହେଉଛି ସେଥିରେ ସିପିଆଇକୁ ୪, ସିପିଏମକୁ ୨ ଓ ଜେଏମଏମକୁ ୧ରୁ ୨ ଆସନ କଂଗ୍ରେସ ଛାଡିପରେ ବୋଲି ଯାହା କଂଗ୍ରେସ ନେତାମାନଙ୍କ ମଧ୍ୟରେ ଆଲୋଚନା ହେଉଛି । କାରଣ ଅଧିକ ବିଧାନସଭା ଆସନ ଛାଡିଲେ କଂଗ୍ରେସର ନିଜ ଦଳ ଭିତରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଏଣୁ ଉଭୟଙ୍କ ମଧ୍ୟରେ ଚୂଡାନ୍ତ ଆଲୋଚନା ହେଲା ପରେ ଚିତ୍ର ସ୍ପଷ୍ଟ ହେବ ।

https://www.onakhabar.com/congress-list-verifying-annouced-on-march-10/