OnaKhabar

ନବ ପାଇଁ କିଶୋର କାମ କରିବେ ତ?, ରୀତା ଓ ଅନୁପ ବି ଆଶଙ୍କାରେ

0 19

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତାଲିକାକୁ ନେଇ ଦଳ ଭିତରେ ଏବେ ଚାଲିଛି ଟଣା ଓଟରା । ଦଳ କାହାକୁ କାଟିବ ଓ କାହାକୁ ରଖିବ ସେ ତାକୁ ନେଇ ଚର୍ଚ୍ଚା ହେବା ପରେ ଆଶା ଆଶଙ୍କାରେ ରହିଛନ୍ତି ଦଳୀୟ ବିଧାୟକମାନେ । ଏଣୁ ପୁଣି ଥରେ ଟିକେଟ ପାଇବା ଲାଗି ବିଧାୟକମାନେ ବିଭିନ୍ନ ମାଧ୍ୟମରେ ଲବି ଚଳାଇଛନ୍ତି । ଦଳ ମୁଖିଆ ଓ କାର୍ପଟଦାରମାନଙ୍କ ଉପରେ କିପରି ପ୍ରଭାବ ବିସ୍ତାର କରି ହେବ ଓ ଚାପ ପ୍ରୟୋଗ କରିହେବ ସେଥିନେଇ ମଧ୍ୟ ଉଦ୍ୟମ ଜାରି ରଖିଥିବା କୁହାଯାଉଛି । ବରଗଡ଼ ଜିଲ୍ଲାରେ ଏଥର ବିଶେଷ କିଛି ପରିବର୍ତ୍ତର୍ନ ହେବ ନାହିଁ । ବିଜେପୁର ଉପରେ କିଛି ଆଶା ଆଶଙ୍କା ରହୁଛି । କିନ୍ତୁ ଝାରସୁଗୁଡ଼ା ଜିଲ୍ଲାରେ ୨ଟି ଯାକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କଥା ଉଠିଛି ।
ବରଗଡ଼ ଜିଲ୍ଲାରେ ୫ଟି ବିଧାନସଭା ଆସନ ରହିଛି । ଏଥିରେ ପଦ୍ମପୁର ଆସନଟି ବିଜେପି କବଜାରେ ରହିଛି । ଏଠାରେ ଦଳ ତାର ନୂଆ ପ୍ରାର୍ଥୀ ଦେବ । ବିଜେପୁର ଆସନ କଂଗ୍ରେସ ହାତରେ ଥିଲା । ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ପ୍ରଭାବିତ କରି ବିଜେଡି ତାଙ୍କ ପତ୍ନୀଙ୍କୁ ଦଳରେ ମିଶାଇ ଉପନିର୍ବାଚନରେ ପ୍ରାର୍ଥୀ କରି ସଫଳ ହୋଇଛି । ୨୦୧୮ରେ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶି ବିଧାୟିକା ହୋଇଛନ୍ତି । ସ୍ୱଳ୍ପ ସମୟ ଭିତରେ ସେ ବିଶେଷ କିଛି କାର୍ଯ୍ୟ କରିପାରିବା ସମ୍ଭବ ହୋଇନାହିଁ । ଏଣୁ ଏଠାରେ ତାଙ୍କୁ ଆଉଥରେ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦଳରେ ଲାଗି ରହିଛି । କାରଣ ଉପନିର୍ବାଚନ ବୋଲି ପୁରା ପ୍ରଶାସନିକ ଓ ରାଜନୈତିକ କଳ ଲଗାଇ ଦଳ ଜିତିବାରେ ସମର୍ଥ ହୋଇଛି । କିନ୍ତୁ ସାଧାରଣ ନିର୍ବାଚନରେ ଏଥିରେ କେତେଦୂର ସଫଳ ହୋଇପାରିବେ ତାହା ବଡ଼ ପ୍ରଶ୍ନ ହୋଇଥିବାରୁ ଏ ନେଇ ବିଚାରବିମର୍ଷ ଚାଲିଛି ବୋଲି ଜଣାପଡ଼ିଛି ।
ବରଗଡ଼ ଆସନର ବିଦାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ଆସନର ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଭଟଲି ଆସନର ବିଧାୟକ ତଥା ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ପରିବର୍ତ୍ତନ ହେବାର ନାହିଁ । ସ୍ନେହାଙ୍ଗିନୀଙ୍କ ସ୍ଥିତି ଠିକ ନ ଥିଲା । କିନ୍ତୁ ଦଳ ଯେଉଁ ମହିଳା କାର୍ଡ ଖେଳିଛି ସେଥିରେ ସ୍ନେହାଙ୍ଗିନୀଙ୍କ ଟିକେଟ ପାଇବା ଅନିଶ୍ଚିତତା ଦୂର ହୋଇଯାଇଛି ବୋଲି ଆଲୋଚନା ହେଉଛି ।
ଝାରସୁଗୁଡ଼ା ଜିଲ୍ଲାରେ ମାତ୍ର ୨ଟି ଆସନ ରହିଛି । ଏଥିରେ ଝାରସୁଗୁଡ଼ା ଆସନରୁ ଗତଥର ଦଳୀୟ ପ୍ରାର୍ଥୀ ହୋଇଥିବା କିଶୋର ମହାନ୍ତିଙ୍କୁ ପରିବର୍ତ୍ତନ କରି ନୂଆ ପ୍ରାର୍ଥୀ ଦେବାକୁ ବାଟ ସଫା କରାଯାଇଛି । ସେଠାରେ ଥିବା କଂଗ୍ରେସ ପୂର୍ବତନ ବିଧାୟକ ନବ ଦାସଙ୍କୁ ଆଣି ଦଳରେ ସାମିଲ କରାଯାଇ ସାରିଛି । ଏଣୁ ନବ ଏଠାରୁ ପ୍ରାର୍ଥୀ ହେବା ନିଶ୍ଚିନ୍ତ । କିନ୍ତୁ ଯାହା ବର୍ତ୍ତମାନ ଜିଲ୍ଲାରେ ଆଲୋଚନା ହେଉଛି ସେଥିରେ କିଶୋରଙ୍କୁ ସେଭଳି କିଛି ଥଇଥାନ ନ କଲେ ତାଙ୍କ ସମର୍ଥକମାନେ ନବଙ୍କୁ ସମର୍ଥନ କରିବା କଷ୍ଟକର ହେବ ବୋଲି କୁହାଯାଉଛି । ନବଙ୍କ ସମର୍ଥକମାନଙ୍କ ସହ କିଶୋରଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀକ୍ତତା ଦୀର୍ଘଦିନ ଧରି ଲାଗିରହିଥିଲା । ନବ ସାମିଲ ହେବା ପରେ କିଶୋର ବାଧ୍ୟବାଧକତାରେ ଦଳୀୟ ଚାପର ବଶବର୍ତ୍ତୀ ହୋଇ ତାଙ୍କ ସହ ହାତ ମିଳାଇଛନ୍ତି । କିନ୍ତୁ ତାଙ୍କର ଅନ୍ତରିକତା ନ ଥିବା କୁହାଯାଉଛି । ଏବେ ଝାରସୁଗୁଡ଼ାରେ କିଶୋରଙ୍କ ବଦଳରେ ନବଙ୍କ ଦବଦବା ସମଗ୍ର ଜିଲ୍ଲାରେ ଢ଼େର ବଢ଼ିଯାଇଛି । କିଶୋର ଚାହିଁବେ ଯେ, ନବ ଏଥର କିପରି ହାରନ୍ତୁ । ସେ ନିଜେ ଖୋଲାଖୋଲି ଭାବେ ବିରୋଧ କରିପାରିବେ ନାହିଁ, ହେଲେ କେତେଦୂର ନବଙ୍କ ଜିତାପଟ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବେ ତାହା ଉପରେ ପ୍ରଶ୍ନବାଚୀ ରହିଛି ବୋଲି ଆଲୋଚନା ହେଉଛି ।
ବ୍ରଜରାଜନଗର ବିଧାନସଭା ପାଇଁ ଗତଥର ପ୍ରାର୍ଥୀ ଥିବା ଅନୁପ ସାଏଙ୍କ ପ୍ରତି ଆଉ ଶୁଭଦୃଷ୍ଟି ନ ଥିବା କଥା କୁହାଯାଉଛି । ୨୦୧୪ରେ ସେ ସେଠାରୁ କଂଗ୍ରେସ ବିଧାୟକ ଥିଲେ । ବିଜେଡିକୁ ଆସି ପ୍ରାର୍ଥୀ ହୋଇ ହାରିଥିଲେ । ତାଙ୍କୁ ଥଇଥାନ କରିବା ପାଇଁ ଉଠାଜଳସେଚନ ନିଗମର ଅଧ୍ୟକ୍ଷ କରାଯାଇଥିଲା । ହେଲେ ତାଙ୍କୁ ଏବେ ସେଠାରୁ ହଟାଇ ଦିଆଯାଇଛି । ଅନୁପଙ୍କର ଆଉ ନିର୍ବାଚନମଣ୍ଡଳୀରେ ପୂର୍ବପରି ଲୋକପ୍ରିୟତା ନାହିଁ । ପୂର୍ବରୁ ଅନୁପ କଂଗ୍ରେସରେ ଥିଲା ବେଳେ ବରିଷ୍ଠ ସିପିଆଇ ନେତା ସ୍ୱର୍ଗତଃ ପ୍ରଶନ୍ନ ପଣ୍ଡାଙ୍କ ପରେ ସେ ଜିତି ଆସୁଥିଲେ । ଦଳ ବଦଳାଇବା ପରେ ତାଙ୍କ ପାଇଁ ବିପଦ ଆସିଲା ।

Leave A Reply

Your email address will not be published.