OnaKhabar

ବି.ଏଡ୍. ଶିକ୍ଷକଙ୍କ ଚରମ ଚେତାବନୀ : ଅବହେଳା ପରିଣତି ଭୟାବହ ହେବ

61
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୫୩ ହଜାରରୁ ଊଦ୍ଧ୍ୱର୍ ବି.ଏଡ୍ ଶିକ୍ଷକଙ୍କ ଦାବିକୁ ସରକାର ଗ୍ରହଣ କରି ସେମାନଙ୍କୁ ପ୍ରତ୍ୟେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟି.ଜି. ପଦବୀରେ ଅବସ୍ଥାପିତ କରି ସେହି ହାରରେ ଦରମା ପ୍ରଦାନ କରାନଗଲେ ଆଗାମୀ ଦିନରେ ବି.ଏଡ୍ ଶିକ୍ଷକମାନଙ୍କ ପ୍ରତି ହେଉଥିବା ଅବହେଳା ଆସନ୍ନ ନିର୍ବାଚନକୁ ଯାଉଥିବା ସରକାରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର କ୍ୟାଡ୍ର ଗଠନ ନ କରି ପ୍ରାଥମିକ ଶିକ୍ଷକମାନଙ୍କ ସହ ଏହି ଶିକ୍ଷକମାନଙ୍କୁ ଗ୍ରହଣ କରି ଦରମା କରାଯାଉଥିବାରୁ ଏପ୍ରକାର ଅସଂଗତି ସୃଷ୍ଟି ହୋଇଛି । ବର୍ତ୍ତମାନ ସରକାର ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡର ପୁନର୍ଗଠନ କରୁଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ବିଜ୍ଞାପନ ଓ ଓ.ଟି.ଇ.ଟି. ପରୀକ୍ଷା ଆଧାରରେ ବି.ଏଡ୍ ଯୋଗ୍ୟତା ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ଟି.ଜି. ହାରରେ ଦରମା ନ ଦେଇ ମାଟ୍ରିକ୍ ସି.ଟି. ହାର୍ରେ ଦରମା ପ୍ରଦାନ କରାଗଲେ ଗୁଣାତ୍ମକ ଶିକ୍ଷା ମିଳିବା ପରିବର୍ତ୍ତେ ଉଚ୍ଚପ୍ରାଥମିକ ଶିକ୍ଷା ଭୁଷୁଡ଼ି ପଡ଼ିବା ସହ ଅବକ୍ଷୟମୁଖୀ ହେବ । ଆଗାମୀ ବଂଶଧରମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି ଗଢୁଥିବା ଶିକ୍ଷକମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ ନ କରି ଗୁଣାତ୍ମକ ଶିକ୍ଷା ଆଶା କରିବାର ପରିଣତି ଅତ୍ୟନ୍ତ ଭୟଙ୍କର ରୂପ ନେବ । ବର୍ତ୍ତମାନ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ବି.ଏଡ୍ ଶିକ୍ଷକମାନେ ନିଯୁକ୍ତି ପାଇଥିଲା ବେଳେ ସେମାନଙ୍କୁ ବିଷୟ ଭିତ୍ତିକ ଶିକ୍ଷକ ଭାବରେ ନିଯୁକ୍ତି ନ ଦେଇ ସେହି ଶିକ୍ଷକମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ ନକରି ଗ୍ରାଜୁଏଟ୍ ଟିଚର ନାମରେ ଏକ ନୂତନ ପଦବୀ ଆରମ୍ଭ କରିବା ସହ ଏକ ହୀନ ପରମ୍ପରା ସୃଷ୍ଟି କରି ବିବାଦକୁ ଆପଣେଇବାକୁ ବ୍ୟବସ୍ଥା କରୁଛନ୍ତି । ଆଦୌ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇନଥିବା ଓ ଓ.ଟି.ଇ.ଟି. ପରୀକ୍ଷା ଦେଇନଥିବା ଶିକ୍ଷକମାନଙ୍କୁ ଗ୍ରାଜୁଏଟ୍ ଶିକ୍ଷକ ଭାବରେ ସରକାର ପୁରସ୍କୃତ କରିବାକୁ ମସୁଧା ଚଳାଇ ଥିଲାବେଳେ ଯୋଗ୍ୟ ତଥା ଓ.ଟି.ଇ.ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷକମାନଙ୍କୁ କେଉଁ ଆଧାରରେ ବଂଚିତ କରାଯାଉଛି, ତା’ର ଉତ୍ତର ସରକାର ରାଜ୍ୟବାସୀଙ୍କୁ ଦେବାକୁ ହେବ । ଏଥିପାଇଁ ଭବିଷ୍ୟତରେ ଉପୁଜିବାକୁ ଥିବା ଶିକ୍ଷା ସମସ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ । ଯେତେ ତାଲିମ୍ ତଥା ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ସରକାର ହାତକୁ ନେଲେ ମଧ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ଉପଯୁକ୍ତ ଦରମା ନ ଦେଇ କାର୍ଯ୍ୟ ଆଶା କରିବା କେବେ ବି ସମ୍ଭବ ହେବନାହିଁ ଏବଂ ଏଥିନିମନ୍ତେ ଆଗାମୀ ବଂଶଧର, ବୁଦ୍ଧିଜିବୀ ତଥା ଶିକ୍ଷାବିତ୍ ମାନେ ମଧ୍ୟ ସରକାରଙ୍କୁ କ୍ଷମା କରିବେ ନାହିଁ । ତେଣୁ ସରକାର ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ନେଇ ଯୋଗ୍ୟ ଶିକ୍ଷକମାନଙ୍କୁ ଉପଯୁକ୍ତ ଦରମା ଓ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ରାଜ୍ୟ ସଂଘ ତରଫରୁ ଅନୁରୋଧ କରାଯାଇଛି । ଏତଦ୍ବ୍ୟତୀତ ବି.ଏଡ୍ ଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଦରମା କେନ୍ଦ୍ର ଅନୁମୋଦନ ହାରରେ ପ୍ରଦାନ କରାଯିବା ପାଇଁ ଶିକ୍ଷକମାନେ ଜାନୁଆରୀ ମାସ ୨୮ ତାରିଖଠାରୁ ସ୍ଥାନୀୟ ଲୋୟର ପି.ଏମ୍.ଜି.ଠାରେ ଦୀର୍ଘ ୩୦ ଦିନ ଧରି ଧାରଣା ଦେଇ ଭିକ୍ଷା ବୃତ୍ତିକୁ ଆପଣେଇ ଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ ପୂରଣ କରିବାକୁ ମଧ୍ୟ ରାଜ୍ୟ ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଯଦି ସରକାର ଏ କଥାକୁ ବିଚାର ନ କରନ୍ତି, ତେବେ ଆଗାମୀ ଦିନରେ ତା’ର ପରିଣତି ଭୟାବହ ହେବ ବୋଲି ରାଜ୍ୟ ସଂଘ ସଭାପତି ଅଜୟ କୁମାର ଧଳ, ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ଆବାହକ ରୂପେଶ କୁମାର ସାହୁ, ପଦ୍ମଲୋଚନ ଘଡ଼େଇ, ଅର୍ଚ୍ଚନା ଜେନା, ସବିତା ପାଣିଗ୍ରାହୀ, ସୁମିତ୍ରା ମହାରଣା, ଲଲାଟେନ୍ଦୁ ମହଲ ପ୍ରମୁଖ ସରକାରଙ୍କୁ ଚରମ ଚେତାବନୀ ଦେଇଛନ୍ତି ।