OnaKhabar

୩ ମନ୍ତ୍ରୀଙ୍କ ବିରୋଧରେ ଦାମ ଆଣିଲେ ସଂଗୀନ ଅଭିଯୋଗ

55

ଭୁବନେଶ୍ୱର: ରାଜନୀତିରେ ନିଜକୁ ବେଲାରସନ ଭାବେ କହୁଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କର ଗୋଟିଏ ନୀତି ଯେପରି ହେଉ ବିଜେଡିକୁ ଆସନ୍ତା ନିର୍ବାଚନରେ କ୍ଷମତାକୁ ଆସିବାକୁ ଦେବେନାହିଁ । ଏହା ତାଙ୍କ ପକ୍ଷରେ କେତେଦୂର ସମ୍ଭବ ହେବ ତାହା ଭବିଷ୍ୟତ କହିବ । କିନ୍ତୁ ସେ ବିଜେଡିକୁ ବଦନାମ କରିବା ପାଇଁ କୌଣସି ଉଦ୍ୟମ ଛାଡୁନାହାଁନ୍ତି । ଏବେ ସେ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଲାବେଳେ ଗୁରୁତର ଅଭିଯୋଗ ୩ ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି । ସମ୍ପୃକ୍ତ ମନ୍ତ୍ରୀଙ୍କ ପରିବାର ‘କାଳିଆ’ ଯୋଜନାର ହିତାଧିକାରୀ ବୋଲି ଖୋଲାଖୋଲି ଭାବେ କହିଛନ୍ତି ।
ଡାକ୍ତର ରାଉତ ଯେତେବେଳେ ଯେଉଁ କାର୍ଯ୍ୟକ୍ରମରେ ହେଉ କି ଯେଉଁ ସୁଯୋଗ ତାଙ୍କୁ ମିଳୁଛି ସେଥିରେ ସେ କେବଳ ବିଜେଡି ବିରୋଧରେ ହିଁ ସ୍ୱର ଉଠାଉଥିବା ଦେଖାଯାଉଛି । ସେ ଖୋଲାଖୋଲି ମଧ୍ୟ କହୁଛନ୍ତି ତାଙ୍କର ଗୋଟିଏ ଲକ୍ଷ୍ୟ ବିଜେଡିକୁ କ୍ଷମତାରୁ ହଟାଇବା । ସରକାର ଏବେ ଯେଉଁ “କାଳିଆ” ଯୋଜନା କରି ବ୍ୟାପକ ପ୍ରଚାର ପ୍ରସାର ଚଳାଇଛନ୍ତି ତାକୁ ମଧ୍ୟ ଡାକ୍ତର ରାଉତ କଡ଼ା ସମାଲୋଚନା କରିଛନ୍ତି । ଏହି ଯୋଜନା ରାଜ୍ୟର ଗରିବ ଓ ମଧ୍ୟବିତ ଚାଷୀ ପରିବାରଙ୍କୁ ସହାୟକ ହେବ ବୋଲି ସରକାର କହିଚାଲିଛନ୍ତି । ବିଜେଡି ନେତାମାନେ ବି ଏହି ଯୋଜନାକୁ ନେଇ ବେଶ ଆନନ୍ଦିତ ଅଛନ୍ତି । ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ କିଛି ଅର୍ଥ ଏହି ଯୋଜନା ମାଧ୍ୟମରେ ଚାଷ ନାଁରେ ଯାଇ ପାରିବ ଏହି ଆଶା ବିଜେଡି ନେତାମାନେ ରଖିଛନ୍ତି । ସରକାର ମଧ୍ୟ ଏହି ଯୋଜନାର ପ୍ରଚାର ପ୍ରସାର ଲାଗି କୌଣସି ସୁଯୋଗ ହାତଛଡ଼ା କରିନାହାଁନ୍ତି । ହେଲେ ଡାକ୍ତର ରାଉତ ଏହି ଯୋଜନାକୁ ନେଇ ଭିନ୍ନ ମତ ରଖିଛନ୍ତି । ଏହି ଯୋଜନାରେ ଗରିବ ଲୋକଙ୍କ ଅପେକ୍ଷା ମନ୍ତ୍ରୀଙ୍କ ପରିବାର ଲାଭବାନ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେ ସିଧାସଳଖ ଭାବେ ମନ୍ତ୍ରୀମାନଙ୍କ ନାଁ ନେଇ ଅଭିଯୋଗ ଆଣିଛନ୍ତି । ଏଥିସହ ସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ ମଧ୍ୟ ଆକ୍ଷେପ କରିଛନ୍ତି ।
ରାଜ୍ୟର ବହୁ ପ୍ରସାରିତ ଏକ ଘରୋଇ ଟିଭି ଚ୍ୟାନେଲକୁ ନିକଟରେ ସାକ୍ଷାତକାର ଦେବା ଅବସରରେ ଡାକ୍ତର ରାଉତ କହିଥିଲେ ଯେ, ମୋର ଲକ୍ଷ୍ୟ ବିଜେଡିର ପତନ । ସରକାରୀ ଯୋଜନାକୁ ତାତ୍ସଲ୍ୟ କରି କହିଥିଲେ ଯେ, ଗର୍ଭାବସ୍ଥାରେ ଥିବା ଶିଶୁଠୁ ଆରମ୍ଭ କରି ଶ୍ମଶାନ ଯିବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଯୋଜନା କରିଛନ୍ତି ବୋଲି ଲୋକେ କହୁଛନ୍ତି । ଜଣେ ଗର୍ଭବତୀ ପିଲା ଜନ୍ମ କରିବାକୁ ମାସେ କି ଦୁଇମାସେ ଅଛି ତାଙ୍କୁ ଦୁଷ୍କର୍ମ କରାଯାଉଛି । ଗର୍ଭରୁ ଜନ୍ମ ହୋଇ ୪ ବର୍ଷର ପିଲାକୁ ମଧ୍ୟ ଦୁଷ୍କର୍ମ କରାଯାଉଛି । ୯ ବର୍ଷର ନାବାଳିକା ବି ଗଣଧର୍ଷଣର ଶିକାର ହେଉଛି । ବେବିନାକୁ ଗଣଧର୍ଷଣ କରି ହତ୍ୟା କରାଗଲା । ଆସାମୀ ନିର୍ଦ୍ଦୋଷରେ ଖଲାସ ହୋଇଛି । ଏସବୁ ସରକାରୀ ଯୋଜନା ନୁହେଁ ତ ଆଉ କଣ । ଜନ୍ମ ହେଲା ପରେ ଶିଶୁକୁ ଖାଇବାକୁ ଦେଉଛନ୍ତି । ହେଲେ ନଗଡ଼ାରେ ଶିଶୁ ନଖାଇ ମରୁଛନ୍ତି । ଏ ଯୋଜନା କଣ ହୋଇନି କି ବୋଲି ଡାକ୍ତର ରାଉତ କଟାକ୍ଷ କରି କହିଥିଲେ ।
କାଳିଆ ଯୋଜନାକୁ ସମାଲୋଚନା କରିବାକୁ ଯାଇ ସେ କହିଥିଲେ କାଳିଆ ଯୋଜନା ହୋଇଛି, ହେଲେ ଏଥିରେ ଟଙ୍କା କିଏ ପାଉଛନ୍ତି? ବିକ୍ରମ ଆରୁଖର ଭାଇ, ନିରଂଜନ ପୁଜାରୀର ବାପା ଓ ଶୁଶାନ୍ତ ସିଂହର ଭାଇ ଏଇମାନଙ୍କ ପାଖକୁ ଟଙ୍କା ଯାଉଛି ନା । ଶୁକୁଟି ବେୱା, ଚେମେଇ ଜେନା ଏମାନେ କଣ ସବୁ ଟଙ୍କା ପାଇଛନ୍ତି । ଯୋଜନା କରାଯାଇଛି ବାଟମାରଣା କରିବା ପାଇଁ । କାଳିଆ ଯୋଜନା ସରକାରଙ୍କ ପାଇଁ କାଳ ହେବ କି ନାହିଁ ମୁଁ କହିପାରିବି ନାହିଁ । କିନ୍ତୁ ଏହି ଯୋଜନା ରାଜ୍ୟବାସୀଙ୍କ ପାଇଁ କାଳ ହେବ । ଚାଷୀଙ୍କର କିଛି ଲାଭ ହେବନି । କାଳିଆ ଯୋଜନା ପାଇଁ ଏବେ ୪୦୦୦ କୋଟି ଟଙ୍କା ନେଇଛନ୍ତି କିନ୍ତୁ ସେ ଟଙ୍କା ଚାଷୀ ପାଇବେ ନାହିଁ । ଚାଷୀ କିଏ ତାର ତାଲିକା ଏଯାଏଁ ସରକାରଙ୍କ ପାଖରେ ନାହିଁ । ଯେଉଁମାନଙ୍କ ନାଁ ଚାଷୀ ଭାବେ ତାଲିକାରେ ଅଛି ସେମାନେ କେହି ଚାଷ କରୁନାହାଁନ୍ତି । ଟଙ୍କା ଗଲେ ସେମାନଙ୍କ ପାଖକୁ ଯିବ ବୋଲି ଡାକ୍ତର ରାଉତ ମତ ରଖି ଏହି ଯୋଜନାର ବିଫଳତା କଥା ଦର୍ଶାଇଛନ୍ତି ।