OnaKhabar

ଶିକ୍ଷକଙ୍କ ପାଇଁ ଚେତାବନି, ନିର୍ବାଚନ କାର୍ଯ୍ୟକୁ ନ ଆସିଲେ ପୁଲିସ ଲଗାଇ ଘରୁ ଉଠାଇ ନିଆଯିବ

0 22

ଭୁବନେଶ୍ୱର: ଶିକ୍ଷକ ଓ ଅଧ୍ୟାପକମାନଙ୍କ ପାଇଁ ସତର୍କ ଘଂଟି । ସେମାନେ ଆଉ ନିର୍ବାଚନ କାର୍ଯ୍ୟରେ ଠକିପାରିବେ ନାହିଁ । ପ୍ରଶାସନ ସେମାନଙ୍କୁ ପୁଲିସ ଲଗାଇ ଘରୁ ଉଠାଇ ଆଣିବ । ଏଣୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଥିବା ବା ତାଲିକାରେ ସ୍ଥାନ ପାଇଥିବା ଶିକ୍ଷକ ଓ ଅଧ୍ୟାପକମାନେ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ବାଧ୍ୟ । ଆଗରୁ ବିଭିନ୍ନ ବାହାନା କରି ଅନେକ ରହିଯାଉଥିଲେ । ଆଉ ଏଣିକି ଏକଥା ଚଳିବ ନାହିଁ । ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ତାଲିକାରେ ନାଁ ଅଛିମାନେ ଯାଇ ହାଜର ହେବାକୁ ପଡ଼ିବ । ନହେଲେ ତାଙ୍କ ନାଁରେ ୱାରେଣ୍ଟ ଜାରି ହେବ । ୱାରେଣ୍ଟ ଧରି ପୁଲିସ ତାଙ୍କ ଘରେ ପହଂଚି ଉଠାଇ ଆଣିବ । ଏଭଳି ଘଟଣା ଏବେ ଘଟିଛି । ଛତ୍ରପୁରର ଜଣେ ଅଧ୍ୟାପକ ନିର୍ବାଚନ କାର୍ଯ୍ୟର ତାଲିମ ପାଇଁ ନ ଆସିବା ଫଳରେ ତାଙ୍କୁ ତାଙ୍କ ଘରୁ ପୁଲିସ ଲଗାଇ ଉଠାଇ ଅଣାଯାଇଛି । କେବଳ ଏତିକି ନୁହଁ ଆହୁରି ଅପମାନିତ ହେଲା ଭଳି କାର୍ଯ୍ୟ ମଧ୍ୟ କରାଯାଇଛି । ତାଙ୍କୁ ସିଧା ଆଣି ଜିଲ୍ଲାପାଳଙ୍କ ପାଖରେ ହାଜର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ଶିକ୍ଷକମଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ମିଳିଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଜୁନିୟର ମହିଳା କଲେଜର ଇଂରାଜୀ ଅଧ୍ୟାପକ ସାଗର ଲେଙ୍କାଙ୍କୁ ହଟ୍ଟହଟା ହେବାକୁ ପଡ଼ିଛି । ନିର୍ବାଚନ କାର୍ଯ୍ୟ ପାଇଁ ପ୍ରିଜାଇଡିଂ ଅଫିସର ଭାବେ ତାଙ୍କ ନାଁ ସ୍ଥାନ ପାଇଥିଲା । ଏଣୁ ପ୍ରିଜାଇଡିଂ ଅଫିସର ତାଲିମ ନେବା ପାଇଁ ନିର୍ବାଚନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ପହଂଚି ନ ଥିଲେ । ଏଥିନେଇ ତାଙ୍କ ବିରୋଧରେ ୱାରେଂଟ ଜାରି କରାଯାଇଥିଲା । ଏହି ୱାରେଣ୍ଟ ଧରି ପୁଲିସ ତାଙ୍କ ଘରେ ପହଂଚି ତାଙ୍କୁ ଉଠାଇ ଆଣି ଗଂଜାମ ଜିଲ୍ଲାପାଳଙ୍କ ନିକଟରେ ହାଜର କରିଥିଲା । ତାଙ୍କୁ ଗତ ୧୨ ତାରିଖରେ ବେଲଗୁଣ୍ଠା କଲେଜର ଅଧ୍ୟକ୍ଷ ଏନ ରାଜେନ୍ଦ୍ରଙ୍କ ମାଧ୍ୟମରେ ଜିଲ୍ଲା ନିର୍ବାଚନ ଅଧିକାରୀ ୧୮ ତାରିଖରେ ଆସି ତାଲିମ କେନ୍ଦ୍ରରେ ପହଂଚିବାକୁ ଚିଠି ଦିଆଯାଇଥିଲା । ଏହି ଚିଠି ତାଙ୍କୁ ଏନ ରାଜେନ୍ଦ୍ର ଦେଇଥିଲେ । କିନ୍ତୁ ଅଧ୍ୟାପକ ଶ୍ରୀ ଲେଙ୍କା ଉକ୍ତ ଚିଠିକୁ ଗ୍ରହଣ କରି ନ ଥିଲେ । ଅନ୍ୟ ପଟରେ ୩ ଦିନ ଛୁଟି ଆବେଦନ କରିଥିଲେ । ଫଳରେ ବେଲଗୁଣ୍ଠା କଲେଜ ଅଧ୍ୟକ୍ଷ ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ନିର୍ବାଚନ ଦାୟିତ୍ୱକୁ ଅବମାନନା କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଆଦେଶକୁ ଗ୍ରହଣ ନ କରି ଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଅମୃତା କୁଲାଙ୍ଗେ ତତକ୍ଷଣାତ ଅଧ୍ୟାପକ ଶ୍ରୀ ଲେଙ୍କାଙ୍କ ବିରୋଧରେ ପୁଲିସ ୱାରେ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭଂଜନଗର ପୁଲିସ ଅଧ୍ୟପଙ୍କ ବାସଭବନକୁ ଯାଇ ସିଧା ତାଙ୍କୁ ଉଠାଇ ଆଣି ଜିଲ୍ଲାପାଳଙ୍କ ନିକଟରେ ହାଜର କରାଇଥିଲେ । କାର୍ଯ୍ୟାନୁଷ୍ଠାନ ଭୟରେ ନିଜର ଭୁଲ ସ୍ୱୀକାର କରିବା ସହ ୧୮ ତାରିଖ ନିର୍ବାଚନ ତାଲିମ କେନ୍ଦ୍ରରେ ଯୋଗ ଦେବେ ବୋଲି ଲିଖିତ ଭାବେ ଦେଇଥିଲେ । ଏଥିସହ ନିଜର ଭୁଲ ପାଇଁ ଲିଖିତ କ୍ଷମା ପ୍ରାର୍ଥନା ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ପଡ଼ିଥିଲା ।
ଏ କ୍ଷେତ୍ରରେ ବିଭିନ୍ନ ଶିକ୍ଷକ ସଙ୍ଗଠନ ଏବେ ଆନ୍ଦୋଳନ ଚଳାଇଛନ୍ତି । ସେମାନେ ନିର୍ବାଚନ କାର୍ଯ୍ୟ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ସରକାର ସେମାନଙ୍କ ଦାବି ଶୁଣୁନାହାଁନ୍ତି କିମ୍ବା ସେମାନଙ୍କ ସହ ଆଲୋଚନା ମଧ୍ୟ କରୁନାହାଁନ୍ତି । ଫଳରେ ଶିକ୍ଷକମାନେ କ୍ଷୁବ୍ଧ ହୋଇ ନିର୍ବାଚନ କାର୍ଯ୍ୟରୁ ଓହରିବା ନିଷ୍ପତ୍ତିନେଇଛନ୍ତି । ଏ କ୍ଷେତ୍ରରେ ନିର୍ବାଚନ ଡ୍ୟୁଟିରେ ଯେଉଁ ଶିକ୍ଷକ ଓ ଅଧ୍ୟାପକମାନଙ୍କ ନାଁ ରହିଛି ସେମାନେ ଯଦି ନ ଯିବେ ତାଙ୍କୁ ମଧ୍ୟ ବେଲଗୁଣ୍ଠା ଇଂରାଜୀ ଅଧ୍ୟାପକଙ୍କ ଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଉଛି । ପୂର୍ବରୁ କେବେ ଏଭଳି ଘଟଣା ଦେଖାଯାଇ ନ ଥିଲା । ପୁଲିସ ଲଗାଇ ଘରୁ ଶିକ୍ଷକଙ୍କୁ ଉଠାଇ ଆଣିବା ଏବଂ ଜିଲ୍ଲାପାଳଙ୍କ ପାଖରେ ହାଜର କରାଇବା ଘଟଣାକୁ ଏକ ଅପମାନଜନକ ବିଷୟ ବୋଲି କୁହାଯାଉଛି ।

https://www.onakhabar.com/bed-teacher-strike-in-10-days/

Leave A Reply

Your email address will not be published.