OnaKhabar

ଧାର୍ଯ୍ୟ ସମୟ ପୂର୍ବର ମଣ୍ଡି ବନ୍ଦ ଧାନର ଅଭାବୀ ବିକ୍ରିକୁ ଉସକାଉଛନ୍ତି ସରକାର: ନିରଞ୍ଜନ

105

ଭୁବନେଶ୍ୱର : ଓଡ଼ିଶା ସରକାର ଧାନ ଖରିଦ କରିବାକୁ ଖୋଲା ଯାଇଥିବା ମଣ୍ଡିଗୁଡ଼ିକୁ ଦୁଇମାସ ପୂର୍ବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇତିମଧ୍ୟରେ ସେଠାରେ ଚାଷୀମାନେ ହଜାର ହଜାର କୁଇଣ୍ଟାଲ ଧାନ ଧରି ପଡ଼ି ରହିବା ସହିତ ସେମାନଙ୍କ ଦ୍ୱାରା ଉତ୍ପାଦିନ ଧାନ ଖରିଦ୍‍ କରିବାକୁ ସରକାରକୁ ଯୋଡ଼ ହସ୍ତରେ ନିବେଦନ କରୁଛନ୍ତି । ହେଲେ ସରକାର ସେମାନଙ୍କ କଥା ଶୁଣୁ ନାହାନ୍ତି । ଏହା ଫଳରେ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବେ ଏବଂ ପ୍ରକୃତ ମୂଲ୍ୟ ନପାଇ ଋଣ ବୋଝ ପରିଶୋଧ କରି ନପାରି ଆତ୍ମହତ୍ୟା ପନ୍ଥାକୁ ବାଛି ନେବେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏକ ପ୍ରେସ୍‍ ବିବୃତ୍ତିରେ ସେ କହିଛନ୍ତି ଯେ ୨୦୧୮- ୧୯ ଖରିଫ ଋତୁରେ ରାଜ୍ୟ ସରକାର ୫୫ ଲକ୍ଷ ଟନ୍‍ ଧାନ ଖରିଦ୍‍ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ୨୦୧୮ ନଭେମ୍ବରରେ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ ଶେଷ ହେବା କଥା । କିନ୍ତୁ ଚଳିତ ବର୍ଷ ଆଜି ସୁଦ୍ଧା ପ୍ରାୟ ୫୦ ଲକ୍ଷ ଧାନ ସଂଗ୍ରହ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଯାହା ସତ୍ୟତା ଜଣାନାହିଁ । ଏହା ସହିତ ସରକାର
ଦୁଇମାସ ପୂର୍ବରୁ ଅର୍ଥାତ୍‍ ଫେବୃଆରୀ ଶେଷ ସୁଦ୍ଧା ମଣ୍ଡିଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ମଣ୍ଡିରେ ଧାନବସ୍ତା ସହିତ ଫସି ରହୁଥିବା କୃଷକମାନେ ସେମାନଙ୍କ ଧାନ କିଣିବାକୁ ନେହୁରା ହେଉଥିଲେ ମଧ୍ୟ ସରକାରୀ ସଂସ୍ଥା ଗୁଡ଼ିକ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ନାହିଁ କିମ୍ବା ରାଜ୍ୟ ସରକାର ତା’ ଉପରେ ବୋନସ ଦେଲେ ନାହିଁ । ଏବେ ଓଡ଼ିଶାରେ ଚାଷୀ ମାନେ ଧାନ କୁଇଣ୍ଟାଲ ପିଛା ୧୫୦୦ରୁ ୧୬୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଅଥଚ ଛତିଶଗଡ଼ରେ ଧାନ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆମ ରାଜ୍ୟରେ ଚାଷୀମାନେ ଧାନର ଉଚିତ ମୂଲ୍ୟ ପାଉନଥିବାବେଳେ ସରକାର ମଣ୍ଡିଗୁଡ଼ିକୁ ଦୁଇମାସ ପୂର୍ବରୁ ବନ୍ଦ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ସରକାର ଚାଷୀମାନଙ୍କୁ ଧାନର ଅଭାବୀ ବିକ୍ରି ପାଇଁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ଅଧିକ ଖରାପ ହୋଇପଡ଼ିବ ଏବଂ ସେମାନେ ଆତ୍ମହତ୍ୟା ଭଳି ଅବାଞ୍ଛିତ ନିଷ୍ପତ୍ତି ନେବା ଆଶଙ୍କା ରହିଛି । ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି ପାଇଁ ନବୀନ ପଟ୍ଟନାୟକ ସରକାର ସଂପୂର୍ଣ୍ଣ ଦାୟୀ ରହିବେ । ସେ ଦାବିକରି କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ସମସ୍ତ ଧାନ ଖରିଦ ନକଲେ କଂଗ୍ରେସ ଚାଷୀଙ୍କ ସ୍ୱାର୍ଥରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ । ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେଲେ ରାଜ୍ୟର ଚାଷୀଙ୍କ ମୁହଁରେ ହସ୍‍ ଫୁଟିବ, କୃଷକଙ୍କ ପାଇଁ ଗ୍ୟାରେଣ୍ଟି କାର୍ଡ଼ରେ ଉଲ୍ଲେଖ କରାଯାଇଥିବା ପ୍ରତିଶ୍ରୁତି
ମୁତାବକ ଧାନର ସହାୟକ ମୂଲ୍ୟ ୨୬୦୦ ଟଙ୍କା ବୃଦ୍ଧି ହେବ । କୃଷି ଋଣ ଛାଡ଼ କରିବ, ଚାଷୀଙ୍କ ଜଳସେଚନ ପାଇଁ ସୌରଶକ୍ତି ଚାଳିତ ପମ୍ପସେଟ ଯୋଗାଇ ଦିଆଯିବ ଓ ୫ ବର୍ଷ ପାଇଁ ଆର୍ôଥକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।