OnaKhabar

ପହଂଚିଲା ସହିଦଙ୍କ ମରଶରୀର

77

ଭୁବନେଶ୍ୱର: ଜାମ୍ମୁ-କାଶ୍ମୀରର ପୁଲାମୱାରା ରାସ୍ତାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ଏଥିରେ ନିଆଳିର ମନୋଜ କୁମାର ବେହେରା ଓ ଜଗତସିଂହପୁରର ପ୍ରସନ୍ନ କୁମାର ସାହୁ ସହିଦ ହୋଇଛନ୍ତି । ବିମାନବନ୍ଦରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଲୋକଙ୍କର ପ୍ରବଳ ଗହଳି ଲାଗିରହିଥିଲା । ସହିଦଙ୍କ ପରିବାର ଓ ତାଙ୍ଗ ଗାଁର ବହୁସଂଖ୍ୟାର ଲୋକେ ଆସି ସେଠାରେ ପହଂଚିଥିଲେ । ବିମାନବନ୍ଦର ପରିସର ସମ୍ପୂର୍ଣ୍ଣ ଶୋକାକୂଳ ହୋଇ ପଡ଼ିଥିଲା । କାନ୍ଦବୋବାଳିରେ ଅଂଚଳ ଫାଟିପଡୁଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅମର ରହେ ବୋଲି ସ୍ଲୋଗାନ ଦେଉଥିଲା ବେଳେ ପାକିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ ମଧ୍ୟ କହୁଥିଲେ । ଏକ ସୁସଜ୍ଜିତ ଗାଡ଼ିରେ ସେମାନଙ୍କ ଗାଁକୁ ଶବ ନିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାର ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଗାଁ ମୁଣ୍ଡରେ ପହଂଚିବା କ୍ଷଣି ଏକ ବିରାଟ ଶୋଭାଯାତ୍ରାରେ ଉଭୟଙ୍କ ଶବକୁ ଘର ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରୁ ଶ୍ମଶାନଘାଟକୁ ନିଆଯାଇଥିଲା । ଶ୍ମଶାନରେ ତୋପସଲାମି ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିମାନବନ୍ଦରରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ସଙ୍ଗଠନର କର୍ମକର୍ତ୍ତାମାନେ ପହଂଚିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ ।
ସହିଦଙ୍କୁ ସମ୍ମାନ ଜଣାଇବା ପାଇଁ ଗାଁ ମାଟିରେ ଯାଇଁ ପହଂଚିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ନିଆଳିରେ ସହିଦଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ନାଉଗାଁ ଅଂଚଳରେ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।