OnaKhabar

୧୭ ଲୋକସଭା ଆସନରେ ବିଜେଡି ଦେବ ନୂଆ ମୁହଁ! (1)

0 23

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କେଉଁମାନେ ପ୍ରାର୍ଥୀ ହେବେ ଓ କେଉଁମାନଙ୍କୁ ବାଦ ଦିଆଯିବ ସେ ନେଇ ଦଳ ପକ୍ଷରୁ କସରତ ମଧ୍ୟ ଲାଗିଛି । ବର୍ତ୍ତମାନ ଯାହା ଆଲୋଚନା ହେଉଛି ସେଥିରେ ୨୧ ଲୋକସଭା ଆସନ ମଧ୍ୟରୁ ୨୦ଟି ଗତ ନିର୍ବାଚନରେ ଦଳ ଅକ୍ତିଆର କରିଥିବାରୁ ଏଥର ମଧ୍ୟ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା ରଖାଯାଇଛି । ଏଥିଲାଗି ଗତଥର ଜିତିଥିବା ୨୦ଜଣ ସାଂସଦଙ୍କୁ ଏଥର ସମସ୍ତଙ୍କୁ ପ୍ରାର୍ଥୀ ନ କରିବା ପାଇଁ କୁହାଯାଉଛି । ୨ରୁ ୩ଟି ଆସନରେ ସାଂସଦଙ୍କୁ ପୁନଶ୍ଚ ପ୍ରାର୍ଥୀ କରାଯିବା ପାଇଁ ଯୋଜନା ରଖାଯାଇଥିଲା ବେଳେ ଆଉ ସବୁ ଆସନରେ ପ୍ରାର୍ଥୀ ବଦଳିବେ । ୧୭ରୁ ୧୮ ଆସନରେ ପ୍ରାର୍ଥୀ ପରିବର୍ତ୍ତନ ଅବସମ୍ଭାବୀ ବୋଲି ଜଣାପଡ଼ିଛି । ୨ରୁ ୩ ଜଣ ପ୍ରାର୍ଥୀ ଲୋକସଭା ଅପେକ୍ଷା ବିଧାନସଭାରେ ଲଢ଼ିବାପାଇଁ ଚାହୁଁଛନ୍ତି ।
ଯାହା ଜଣାପଡ଼ିଛି ବା ଆଲୋଚନା ହେଉଛି ସେଥିରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ଜଗତସିଂହପୁର, ବ୍ରହ୍ମପୁର, ଆସିକା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ବରଗଡ଼, କେନ୍ଦୁଝର ଓ ଢେଙ୍କାନାଳରେ ନୂଆ ପ୍ରାର୍ଥୀ ଦିଆଯିବ । କଟକ, ବଲାଙ୍କୀର ଓ ପୁରୀ ଲୋକସଭା ଆସନର ପ୍ରାର୍ଥୀ ଅପରିବର୍ତ୍ତିତ ରହିବ । କନ୍ଧମାଳର ପ୍ରାର୍ଥୀ ବିଧାନସଭା ଆସିବାକୁ ଚାହୁଁଛନ୍ତି । ସେହିପରି କୋରାପୁଟ ଓ ନବରଙ୍ଗପୁର ପ୍ରାର୍ଥୀ ମଧ୍ୟ ବିଧାନସଭା ପାଇଁ ଆଗ୍ରହୀ । ସୁନ୍ଦରଗଡ଼ ଦଳ ଗତଥର ଜିତି ନ ଥିଲେ ମଧ୍ୟ ସେଠାରେ ଏଥର ନୂଆ ପ୍ରାର୍ଥୀ ଦେବା ପାଇଁ ଚିନ୍ତା କରାଯାଉଛି ।
ମୟୂରଭଞ୍ଜ ଲୋକସଭା ଆସନରେ ଦଳର ସାଂସଦ ଥିବା ରାମଚନ୍ଦ୍ର ହାଂସଦା ଚିିଟଫଣ୍ଡ ଦୁର୍ନୀତିରେ ଫସି ଗିରଫ ହୋଇ ଜେଲ ଯାଇଥିବାରୁ ଦଳ ତାଙ୍କୁ ନିଲମ୍ବିତ କରିଛି । ସେ ନିଜେପୁଣି ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ ବି ସେଠାରେ ଦଳ ନୂଆ ପ୍ରାର୍ଥୀ ଦେବାକୁ ଚିନ୍ତା କରିଛି । ଜେଏମଏମରୁ ଆସି ବିଜେଡିରେ ଯୋଗ ଦେଇଥିବା ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି ।
ବାଲେଶ୍ୱର ଲୋକସଭା ଆସନରେ ଦଳର ପ୍ରାର୍ଥୀ ରବୀନ୍ଦ୍ର ଜେନା ମଧ୍ୟ ଚିଟଫଣ୍ଡ ଦୁର୍ନୀତିରେ ଫସିଛନ୍ତି । ସେ ଗିରଫ ହୋଇ ନ ଥିଲେ ବି ଆଗୁଆ ଜାମିନରେ ରହିଛନ୍ତି । ସେ ବିଧାନସଭା ଆସନରୁ ଲଢ଼ିବା ପାଇଁ ଆଗ୍ରହୀ ଅଛନ୍ତି । ତାଙ୍କୁ ଦଳ ପ୍ରାର୍ଥୀ ନ କରିବା ସମ୍ଭାବନା ରହିଛି । ସେ ଯଦି ଏମପି ପ୍ରାର୍ଥୀ ନ ହୁଅନ୍ତି ତେବେ ସେ ଅରୁଣ ଦେ’ଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପ୍ରତି ଆଗ୍ରହ ଥିବା କଥା କୁହାଯାଉଛି । ଏକଥା ଜାଣି ତାଙ୍କ ବାଟକୁ ବନ୍ଦ କରିବା ପାଇଁ ଅରୁଣ ଦେଙ୍କୁ ପ୍ରାର୍ଥୀ କରିବା ଲାଗି ଶ୍ରୀ ଜେନା ଚାଲ ଚଳାଇଛନ୍ତି । ସେ ବାଲେଶ୍ୱର ସଦର ବିଧାନସଭା ଆସନରୁ ଲଢ଼ିବାକୁ ଚାହୁଁଥିବାରୁ ଅରୁଣ ଦେଙ୍କ ସହାୟତା ତାଙ୍କୁ ଏକାନ୍ତ ଆବଶ୍ୟକ । ଏଥିଲାଗି ସେ ଏହି ଚାଲ ଖେଳିଛନ୍ତି ।
ଭଦ୍ରକ ଲୋକସଭା ଆସନର ଦଳୀୟ ସାଂସଦ ଅଜୁର୍ନ ଚରଣ ସେଠୀଙ୍କୁ ଦଳ ଏଥର ଆଉ ପ୍ରାର୍ଥୀ କରିବ ନାହିଁ । ସେ ଏକଥା ଜାଣି ତାଙ୍କ ପୁଅ ଅଭୁମନ୍ୟୁ ସେଠୀଙ୍କ ପାଇଁ ଲବି ଚଳାଇଛନ୍ତି । କିନ୍ତୁ ସ୍ଥାନୀୟ ବିଧାୟକମାନେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ହେଲେ ଲୋକସଭା ଆସନର ପ୍ରାର୍ଥୀ ହେବା ଲକ୍ଷ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଉତର-ପୂର୍ବାଂଚଳ ଜୋନର କଲିକତାଠାରେ ଥିବା ନିର୍ଦ୍ଦେଶକ ବିଜୟ ମଲ୍ଲିକ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଛନ୍ତି । ଏଣୁ ଦଳ ତାଙ୍କ ପାଇଁ ଆଗ୍ରହୀ ଥିବା କଥା କୁହାଯାଉଛି ।
ଯାଜପୁର ଲୋକସଭା ଆସନରେ ଦଳର ସାଂସଦ ରିତା ତରାଇଙ୍କୁ ଏଥର ପରିବର୍ତ୍ତନ କରାଯିବ । ତାଙ୍କ ସ୍ଥାନରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥାନୀୟ କିଛି ନେତା ଚାହୁଁଛନ୍ତି । ବର୍ତ୍ତମାନ ଦଳରେ ଏକ ପ୍ରକାର ବୁଝାଶୁଝା କରୁଥିôବା ନେତାବି ଏହା ଚାହୁଁଛନ୍ତି ।
କେନ୍ଦ୍ରାପଡ଼ା ଲୋକସଭା ଆସନରେ ଦଳର ସାଂସଦ ଥିବା ବୈଜୟନ୍ତ ପଣ୍ଡା ଆଉ ଦଳରେ ନାହାଁନ୍ତି । ସେଠାରେ ଦଳ ନୂଆ ପ୍ରାର୍ଥୀ ଦେବ । ଏଥିପାଇଁ ଦଳ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କୁ ଆଣି ପ୍ରାର୍ଥୀ କରିବା ପାଇଁ ଯୋଜନା କରିଥିଲା । କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ସଫଳ ହେଲା ନାହିଁ । ଏଣୁ ରାଜ୍ୟ ସଭା ସାଂସଦ ପ୍ରତାପ କେଶରୀ ଦେବଙ୍କ ନାଁ ଚର୍ଚ୍ଚାକୁ ଆସିଛି । ହେଲେ ସେ ଆଳି ବିଧାନସଭା ଆସନରୁ ଲଢ଼ିବା ପାଇଁ ଚାହୁଁଛନ୍ତି । ଜିତିକି ଆସିଲେ ମନ୍ତ୍ରୀ ହେବାର ତାଙ୍କର ସମ୍ଭାବନା ଅଧିକ । ସେଥିପାଇଁ ସେ ଆଉ ଲୋକସଭାକୁ ଯିବାକୁ ଚାହୁଁ ନ ଥିବା କୁହାଯାଉଛି ।
ଅବଶିଷ୍ଟ ତାଲିକା ଆସନ୍ତା କାଲି…

Leave A Reply

Your email address will not be published.