OnaKhabar

ଜୟ-ବିଜୟଙ୍କୁ ଦାମଙ୍କ କଟାକ୍ଷ

0 26

ଭୁବନେଶ୍ୱର: ନିର୍ବାଚନ ସମୟ କ୍ରମେ ପାଖେଇ ଆସିବାରେ ଲାଗିଛି । କିନ୍ତୁ ବିଜୁ ଅନୁଗତମାନଙ୍କୁ ଡାକ୍ତର ଦାମୋଦର ରାଉତ ଏକାଠି କରିବା ନେଇ ରଖିଥିବା ଲକ୍ଷ୍ୟ ଫେଲ ମାରିଛି । ଫଳରେ ସେ ଏବେ ହତାଶ ହୋଇ ପଡ଼ିଲେଣି । ଆଉ ଆଶା ରଖିପାରୁ ନାହାଁନ୍ତି । ସେଥିପାଇଁ ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀପ ରାୟଙ୍କୁ କଟାକ୍ଷ କରିଛନ୍ତି । କ୍ଷମତା ପାଇବା ଆଶାରେ ଏମାନେ ସବୁ ଅପମାନକୁ ଭୁଲିଯାଉଥିବା କଥା ଡାକ୍ତର ରାଉତ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଏମାନଙ୍କର ଆନ୍ତରିକତା ନ ଥିବା କଥା ଡାକ୍ତର ରାଉତ ଏବେ ଅନୁଭବ କରୁଛନ୍ତି । ନୂଆ ଆଞ୍ଚଳିକ ଦଳ ସେ ଗଠନ କରିଥିଲେ ମଧ୍ୟ ବିଜୁ ଅନୁଗତମାନଙ୍କୁ ଏକାଠି କରି ଦାୟିତ୍ୱ ଦେବା ପାଇଁ ଚାହୁଁଥିଲେ ବି ସେଥିରେ ସଫଳ ହୋଇପାରି ନାହାଁନ୍ତି । ବିଜେଡି ବିଜୁ ଅନୁଗତଙ୍କୁ ଏକାଠି କରାଇ ଦେଉ ନ ଥିବା ମଧ୍ୟ ଡାକ୍ତର ରାଉତ ଅଭିଯୋଗ କରିଛନ୍ତି । ଏଥିରେ ଅନୁଗତମାନେ ବି ଫସିଥିବା କଥା ବି ସେ କହିଛନ୍ତି ।
ଏକ ଘରୋଇ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ଅବସରରେ ଡାକ୍ତର ରାଉତ କହିଛନ୍ତି ବିଜୁ ଅନୁଗତମାନଙ୍କୁ ମୁଁ ଏକାଠି କରିବାକୁ ଲାଗିଛି । ସେମାନେ ରାଜି ହେଉ ନ ଥିବାରୁ ମୁଁ କଣ କରିବି । ମୁଁ ବାଧ୍ୟ ହୋଇ ଗୋଟେ ଦଳ କରି ନିର୍ବାଚନ କମିଶନରଙ୍କ ପାଖରେ ରଖିଛି । ଦଳର ନାଁ ରଖାଯାଇଛି ଜନତାକ୍ରାନ୍ତି ଦଳ । ନିର୍ବାଚନ କମିଶନରଙ୍କ ପାଖରେ ବର୍ତ୍ତମାନ ସେ ପ୍ରକ୍ରୀୟା ମଧ୍ୟରେ ରହିଛି । ଏହି ଦଳରେ ମୁଁ ନିଜେ ସାମିଲ ନାହିଁ କିନ୍ତୁ ଭଲ ଭଲ ଲୋକଙ୍କୁ ନେଇ ମୁଁ ଦଳ ଗଢ଼ିଛି । ଏଥିରେ ବିଜୁ ଅନୁଗତମାନଙ୍କୁ ନେଇଛି ଅନ୍ୟ କାହାକୁ ନେଇ ନାହିଁ । ହେଲେ ସେମାନେ ଏଭଳି ନାଁ କରା ଲୋକ ନୁହଁନ୍ତି । ସେମାନେ ସମସ୍ତେ ଶଙ୍କଳ୍ପବଦ୍ଧ ବ୍ୟକ୍ତି । ସମୟ ନ ଥିବାରୁ ଦଳ ଆଗେ କରାଯାଇଛି । ଏହି ଦଳକୁ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ସମସ୍ତେ ଆସିବେ । ଆଉ ମୁଁ ମଧ୍ୟ ସେଥିରେ ରହିବି । ହେଲେ ମୁଁ ସଭାପତି କି କିଛି ହେବା ପାଇଁ କି ଇଚ୍ଛୁକ ନୁହେଁ । ତାଙ୍କରି ଭିତରୁ କେହି ଦଳର ଦାୟିତ୍ୱ ନିଅନ୍ତୁ । ମୁଁ କିନ୍ତୁ ବୁଲି ବୁଲି ପ୍ରଚାର କରିବି ନବୀନ ପଟ୍ଟନାୟକ ସରକାର ବିରୋଧରେ । କିନ୍ତୁ ବିଜୁ ଅନୁଗତମାନଙ୍କୁ ବିଜେଡି ଏକାଠି କରାଇ ଦେଉନି । ଏଥିପାଇଁ ପଇସା ମଧ୍ୟ ଖର୍ଚ୍ଚ କରୁଛି ଓ ନାନା ଚକ୍ରାନ୍ତ ମଧ୍ୟ ଚଳାଇଛି ।
ମୋର ମିଶନ ହେଉଛି ଓଡ଼ିଶାରୁ ନବୀନ ପଟ୍ଟନାୟକ ସରକାରର ପତନ ହେବା ଆବଶ୍ୟକ । ସେଥିପାଇଁ ଯାହା କରିବା କଥା ମୁଁ କରିବି । ମୁଁ ଅନ୍ୟ କୌଣସି ଦଳରେ ମିଶିବି କି କଣ କରିବି ସେ ପ୍ରକ୍ରୀୟା ଆଉ ନାହିଁ । ମୋ ପେଡ଼ିରେ ବିଷଧର ସାପ ଅଛନ୍ତି । ତା ଚୋଟରେ ନବୀନ ପଟ୍ଟନାୟକ ସରକାର ନିଶ୍ଚୟ ଆହତ ହେବ ଓ କ୍ଷତବିକ୍ଷତ ହେବ ଏବଂ ଆବଶ୍ୟକ ପଡ଼ିଲେ ମୃତ୍ୟୁବରଣ କରିବ । ଏହି ପ୍ରକ୍ରୀୟା ସବୁ ଦିନ ଚାଲିଛି । ଡାକ୍ତର ରାଉତ କହିଛନ୍ତି ସାଧାରଣ ଜୀବନରେ ରହିବାକୁ ହେଲେ ଏକ ଦଳ ଅନିର୍ବାଯ୍ୟ ନୁହେଁ । କିନ୍ତୁ ରାଜନୀତି କରିବାକୁ ହେଲେ ଦଳ ଆବଶ୍ୟକ ।
ବିଜୁ ଅନୁଗତମାନେ ମନ ଭିତରେ ବେଶ ଯନ୍ତ୍ରଣା ଅନୁଭବ କରୁଛନ୍ତି । କିନ୍ତୁ ସେମାନଙ୍କର ଆଶା କ୍ଷମତାରେ ରହୁଛି । ସେଥିପାଇଁ ସବୁ ଅପମାନକୁ ଓ ସବୁ ତିରସ୍କାରକୁ ସେମାନେ ଚନ୍ଦନ ଭଳି ଦେହରେ ବୋଳି ହୋଇ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ସେଥିପାଇଁ ଏକାଠି ହୋଇ ପାରୁନାହାଁନ୍ତି । ଏହା ଛଡ଼ା ଆଉ କିଛି କାରଣ ନାହିଁ । ନବୀନ ପଟ୍ଟନାୟକ କାହାକୁ କହିଥିଲେ ଏହାର ହୃଦୟଟା ଅଛି ବିଜେପିରେ ଶାରୀରଟା ଅଛି ମୋ ଦଳରେ । ସେଥିପାଇଁ ତାକୁ ଦଳରୁ ବାହାର କରିଦେଲେ । କାହାକୁ କହିଲେ ୟାକୁ ମୁଁ ଦୁର୍ନୀତିରେ ଛାଇ ଭିତରେ ଦେଖୁଛି, ତାକୁ ଦଳରୁ ବାହାର କରିଦେଲେ ।
ବିଜେଡିରୁ ଗଲେ ବି ମୁଁ ରାଜନୀତିରେ ଅଛି । ବିଜୁ ପଟ୍ଟନାୟକ କହିଥିଲେ ନିର୍ବାଚନ ରାଜନୀତିରେ ହାର ଜିତିରେ କିଛି ଅର୍ଥନାହିଁ । ଏହା ଏକ ପ୍ରକ୍ରୀୟା ମାତ୍ର । ମୁଁ ଏକ ପ୍ରକ୍ରୀୟା ଭିତରେ ଆସିଛି, ରାଜନୀତିରେ ଅଛି । ଚାରି ଦଶନ୍ଧିରୁ ଅଧିକ କାଳ ହେଲାଣି ମୁଁ ଆଉ ଓହରିବାର ବାଟ ନାହିଁ । ଏଣୁ ବିଧାୟକ ହେଲି ନ ହେଲି ସେଥିପାଇଁ ମୁଁ ଚିନ୍ତା କରେନି । ବିଜେଡି ରାଜ୍ୟରୁ ଯିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଡାକ୍ତର ରାଉତ କହିଛନ୍ତି ।

https://www.onakhabar.com/two-national-party-joint-in-naveen-dama/

Leave A Reply

Your email address will not be published.