OnaKhabar

ମନିଲାଣ୍ଡରିଂ ଅଡୁଆରେ ବୈଜୟନ୍ତ, ଫୌଜଦାରୀ ମାମଲା ନେଇ ଲୋକସଭାରେ ଦାବି କଲା ବିଜେଡି

0 24

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଗୁରୁତର ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ମନି ଲାଣ୍ଡରିଂ ଆଇନ ଉଲଂଘନ କରିବା ଓ ଆରବିଆଇ ନିୟମ ନ ମାନିବା ଘଟଣାରେ ତାଙ୍କ ବିରୋଧରେ କାହିଁକ କେନ୍ଦ୍ର ସରକାର ଫୌଜଦାରୀ ମାମଲା ରୁଜୁ କରି ତଦନ୍ତ କରି ନାହାଁନ୍ତିବୋଲି ବିଜେଡି ଲୋକସଭାରେ ପ୍ରଶ୍ନ ଉଠାଇଛି । ବୈଜୟନ୍ତଙ୍କୁ ନେଇ ବିଜେଡି କିଛିଦିନ ନୀରବ ରହିବା ପରେ ଏବେ ପୁଣି ସ୍ୱର ଉଠାଇଛି । ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଜେଡିର ଦାବି ଏବେ ଚର୍ଚ୍ଚାକୁ ଆସିଛି ।
ବୈଜୟନ୍ତଙ୍କ ବିରୋଧରେ ଜାତୀୟ ଗଣମାଧ୍ୟମରେ ମନିଲାଣ୍ଡରିଂ ଆଇନ ଉଲଂଘନ କରିଥିବା ନେଇ ଗୁରୁତର ଅଭିଯୋଗ ଆସିଥିଲା । ଏଥିରେ ବୈଜୟନ୍ତ ଓ ତାଙ୍କ ପତ୍ନୀ ଏବଂ ଜଣେ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଏହାକୁ ସେ ଖଣ୍ଡନ କରିଥିଲେ । ହେଲେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତିକରି ଆଜି ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ପ୍ରଶ୍ନ ଉଠାଇଛନ୍ତି । ଭର୍ତ୍ତୃହରି ଅଭିଯୋଗ କରିଛନ୍ତି ଯେ, ଗଣମାଧ୍ୟମରେ ପ୍ରକାଶ ପାଇଛି ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଅନୁମତି ନେଇଥିଲେ କି । ସେ ସମୟରେ ବୈଜୟନ୍ତ ଯଦି ଏନଆରଇ ଥିଲେ ଓ ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ ଫେରିବା ପରେ ସେ ଆରବିଆଇକୁ ଏ ନେଇ ସୂଚନା ଦେଇଥିଲେ କି । କାରଣ ଆଇନ ଅନୁସାରେ ଏହା ଏକାନ୍ତ ଆବଶ୍ୟକ । ବାହାମାସରେ ଆକାଉଣ୍ଟ ବନ୍ଦ କରିଲା ବେଳେ ବୈଜୟନ୍ତ ଏ ବିଷୟରେ ଆରବିଆଇକୁ ଅବଗତ କରିଥିଲେ କି ନାହିଁ । ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଣ୍ଟବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା । ବୈଜୟନ୍ତ ବାହାମାସ ଆକାଉଣ୍ଟରେ ଥିବା ଟଙ୍କା ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ତାହା ଜଣାଇବା ପାଇଁ ଭର୍ତ୍ତୃହରି ଦାବି କରିଛନ୍ତି । ଆଇନ ଅନୁସାରେ ଯଦି ଏ ସବୁ ସର୍ତ୍ତାବଳୀ ବୈଜୟନ୍ତ ପୂରଣ କରିନାହାଁନ୍ତି ତେବେ ତାଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ ହେବା ଉଚିତ ବୋଲି ଭର୍ତ୍ତୃହରି ଯୁକ୍ତି ରଖିଛନ୍ତି । ଭାରତରେ ଥିବା ବିଭିନ୍ନ ଆଇନ ଫରେନ ଏକ୍ସଚେଞ୍ଜ ଆଇନ ଉଲ୍ଲଂଘନ ଓ ମନିଲାଣ୍ଡରିଂର ଉଲ୍ଲଂଘନ ମାମଲାରେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେବା ଆବଶ୍ୟକ ବୋଲି ସେ ଦାବି ରଖିଛନ୍ତି ।
ଭର୍ତ୍ତୃହରି ଆହୁରି ଅଭିଯୋଗ କରିଛନ୍ତି ବିଜେପିର ଜଣେ ବରିଷ୍ଠ ଆଇନ ପ୍ରଣେତା ଗତକାଲି କହିଛନ୍ତି ଯେ, ବୈଜୟନ୍ତଙ୍କ ଏହି ଅଭିଯୋଗ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । କିନ୍ତୁ ରାଜ୍ୟ ସରକାରଙ୍କୁ କହିବା ପୂର୍ବରୁ ଏହି ଘଟଣାରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଜାଣିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଏହି ମାମଲା କଣ କେନ୍ଦ୍ର ସରକାରଙ୍କ ସଂସ୍ଥା ପକ୍ଷରୁ ତଦନ୍ତାଧିନ ରହିଛି କି ଏବଂ ଏହି ତଦନ୍ତ କେତେଦିନ ଲାଗିବ । ବିଜେପି ଯେତେବେଳେ ଓଡ଼ିଶା ସରକାରଙ୍କୁ ଦାୟୀ କରୁଛି ସେ କ୍ଷେତ୍ରରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଭର୍ତ୍ତୃହରି କହିଛନ୍ତିି ।

https://www.onakhabar.com/taxs-evasion-allegation-against-baijayanta/

Leave A Reply

Your email address will not be published.