OnaKhabar

ଶାହାଙ୍କ ବକ୍ତବ୍ୟ ହାସ୍ୟସ୍ପଦ:ବିଜେଡି

66

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କର ସାଲେପୁର ଠାରେ ଦେଇଥିବା ଉଦ୍‍ବୋଧନ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ଭାଙ୍ଗିଯାଇଥିବା ମନୋବଳକୁ ଉଦ୍ଧାର କରିବାର ଏକ ପ୍ରୟାସ । ବିଜୁ ଜନତା ଦଳ ଭାବିଥିଲା, ଆଜି ଶ୍ରୀ ଶାହା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ଓଡ଼ିଶାର ଯେଉଁ ରାଜନୈତିକ ଦଳମାନେ ଦାବି କରିଆସିଥିଲେ, ତା’ଉପରେ ମତ ରଖିବେ । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ପାଳନ କରିନାହିଁ, ତା’ଉପରେ ମତ ରଖିବେ ଏବଂ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିର ଅର୍ଥ, ଯାହା କେନ୍ଦ୍ର ସରକାର କାଟିଦେଇଛନ୍ତି, ତା’ଉପରେ ନିଜର ମତ ରଖିବେ । କିନ୍ତୁ ଏହା ଦେଖିବାକୁ ମିଳିଲା ନାହିଁ । ଅପରପକ୍ଷରେ ବିଜେଡି ଓ କଂଗ୍ରେସ ଏକ ମୁଦ୍ରାର ଦୁଇ ପାଶ୍ୱର୍ ବୋଲି ସେ ଦେଇଥିବା ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । କଂଗ୍ରେସ ମତପୋଷଣ କରୁଛି ଯେ ବିଜେପି ଓ ବିଜେଡିର କୌଣସି ସଂପର୍କ ରହିଛି । ଅପରପକ୍ଷରେ ବିଜେପି ଦାବି କରୁଛି ଯେ ବିଜେଡି ଓ କଂଗ୍ରେସର କୌଣସି ସଂପର୍କ ରହିଛି । ବାସ୍ତବରେ ବିଜେଡିର ସଂପର୍କ କେବଳ ଓଡ଼ିଶାର ଜନସାଧାରଣଙ୍କ ସହିତ ରହିଛି । ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ରହିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାମାନଙ୍କରେ ତାଙ୍କର ଲୋକପ୍ରିୟତାକୁ ପ୍ରତିପାଦିତ କରୁଛି ଓ ବିଜେପି ମନରେ ଭୟ ସଂଚାର କରୁଛି । ଓଡ଼ିଶା ଦ୍ରୁତଗତିରେ ପ୍ରଗତିପଥରେ ଚାଲୁଛି ଏବଂ କେନ୍ଦ୍ର ସରକାର ବିଜେଡି ଶାସିତ ରାଜ୍ୟ ଉପରେ ପୁରସ୍କାର ପରେ ପୁରସ୍କାର ଅଜାଡ଼ି ଚାଲିଛନ୍ତି । ତାହା ୨୦ଲକ୍ଷ ବିଜୁ ପକ୍କାଘର ନିର୍ମାଣ ହେଉ ବା ନୂତନ ୪୧ ହଜାର କିମି ଗାଁ ରାସ୍ତା ହେଉ, ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରଶିକ୍ଷଣ ଦେବାର ହେଉ ବା ରାଜ୍ୟରେ ୨୫ ପ୍ରତିଶତ ଦାରିଦ୍ର‌୍ୟ ଦୂରୀକରଣ ଏବଂ କୃଷିକର୍ମଣ ପୁରସ୍କାର ହେଉ, ଉଭୟ କେନ୍ଦ୍ର ସରକାର ଓ ତାଙ୍କର କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ବିଷୟରେ ବାରମ୍ବାର ପ୍ରଶଂସା କରିଆସିଛନ୍ତି । ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଠାରେ ୬୪୦୦ କୋଟି ଟଙ୍କା, ଯାହା ରାଜ୍ୟର ପ୍ରାପ୍ୟ, କିନ୍ତୁ କେନ୍ଦ୍ର ସରକାର ବକେୟା ଆକାରରେ ପକାଇ ରଖିଛନ୍ତି ସିନା, ରାଜ୍ୟକୁ ଦେଉନାହାନ୍ତି, ତା’ର ସମୀକ୍ଷା କରିଥିଲେ । ଓଡ଼ିଶାରେ ପାନୀୟ ଜଳ ବାବଦକୁ ରାଜ୍ୟ ସରକାର ନିଜର ବଜେଟ୍‍ରୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରି ସୁବିଧା ଯୋଗାଉଥିଲା ବେଳେ କେନ୍ଦ୍ର ସରକାର ମାତ୍ର ୧୮୦ କୋଟ ଟଙ୍କା ଏ ବାବଦରେ ମଞ୍ଜୁରୀ କରିଛନ୍ତି ଓ ସେଥିରୁ କେବଳ ୮୦ କୋଟି ଟଙ୍କା ଆଜି ପର୍ଯ୍ୟନ୍ତ ଓଡ଼ିଶା ପାଇଛି । ସ୍ମାର୍ଟସିଟି ଦାରିଦ୍ର‌୍ୟ ଦୂରୀକରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ରାଜ୍ୟକୁ ୨୦୦ କୋଟି ଟଙ୍କା ଦେବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ କେବଳ ୬ କୋଟି ଟଙ୍କା ଦେଇଛନ୍ତି । ମହାନଦୀ, ପୋଲାଭରମ୍‍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି, ୩୩ଟି ଯୋଜନାର ଅର୍ଥକାଟ୍‍ ଏବଂ ଆଇଏପି, ବିଆର୍‍ଜିଏଫ୍‍ ଓ କେବିକେ ଯୋଜନା ଭଳି ୮ଟି ଯୋଜନାକୁ ବନ୍ଦ କରିବା ଆଦି ପ୍ରସଂଗଗୁଡିକ ପ୍ରାଞ୍ଜଳ ଭାବରେ ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ପ୍ରକାଶିତ କରୁଛି । ଓଡ଼ିଶାର ଜନସାଧାରଣ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବେ ବୋଲି ମନ ସ୍ଥିର କରିସାରିଛନ୍ତି । ଏହି ବାସ୍ତବିକତାକୁ ସ୍ୱୀକାର କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ବିଜେପି ପ୍ରସ୍ତୁତ ରହିବାକୁ ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।