OnaKhabar

ଫେବ୍ରୁଆରୀ ୭ରେ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ ସଂଘ

61

ଭୁବନେଶ୍ୱର: ଆଗାମୀ ଫେବ୍ରୁଆରୀ ୭ ତାରିଖରେ ବିଧାନସଭା ଘେରିବାକୁ ଯାଉଛି ପ୍ରାଥମିକ ଶିକ୍ଷକ ସଂଘ । ଏଥିବାଇଁ ସଂଘ ପକ୍ଷରୁ ରଣନୀତି ଚାଲିଛି ବୋଲି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ପ୍ରକାଶ କରିଛନ୍ତି ।
ଶ୍ରୀ ମହାରଣା କହିଛନ୍ତି ଯେ, ଓଡ଼ିଶାରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିଛି । ଶିକ୍ଷକମାନଙ୍କୁ ନିୟମିତ ଚାକିରି ମିଳୁନାହିଁ । ଶିକ୍ଷା ବ୍ୟବସ୍ଥା ଅତି ଦୟନିୟ ଭାବେ ଚାଲିଛି । ସମାନ କାମକୁ ସମାନ ଦରମା ନ ଦେଇ ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରାଯାଉଛି । ଶିକ୍ଷା ଅଧିକାର ଆଇନର ଧାରା ୨୭ରେ ଶିକ୍ଷକଶିକ୍ଷୟିତ୍ରୀମାନେ ୧୦ ବର୍ଷିଆ ଜନଗଣନା, ବିପର୍ଯ୍ୟୟ ପ୍ରଶମନ ଓ ନିର୍ବାଚନ କାମ ବ୍ୟତୀତ ଅନ୍ୟ କୌଣସି ଅଣଶିକ୍ଷା କାର୍ଯ୍ୟ ନ କରିବା ପାଇଁ ବାରଣ ଥିବାବେଳେ ସରକାର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ଔଷଧ ବଣ୍ଟନ, ପୋଷାକ ବଣ୍ଟନ, ଗୃହ ନିର୍ମାଣ, ଭୋଟ ତାଲିକା ସଂଶୋଧନ ଆଦି ଅଣିଶିକ୍ଷା କାର୍ଯ୍ୟରେ ଲଗାଉଛନ୍ତି । ଅନ୍ୟପକ୍ଷରେ ସରକାର ପ୍ରତିଶ୍ରୁତି ଦେଇ ମଧ୍ୟ ଶିକ୍ଷକମାନଙ୍କ ୭ମ ବେତନ କମିଶନରେ ଗ୍ରେଡ ପେ ୨୮୦୦ ଟଙ୍କା ଦେଉନାହାଁନ୍ତି । ଠିକା ଶିକ୍ଷକମାନେ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବାରୁ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଇନକ୍ରିମେଣ୍ଟ ଦେଇ ଗଣନା କରିବା ଓ ୨୦୦୫ ପୂର୍ବ ପ୍ରଚଳିତ ପେନସନ ବ୍ୟବସ୍ଥା ଲାଗୁ କରିବା ସହିତ ଶିକ୍ଷା ସହାୟକ ବଦଳି ନୀତି ୨୦୧୩କୁ ବଳବତ୍ତର ରଖିବାକୁ ସଂଘ ଦାବି କରିଛି । ଯଦି ସରକାର ଏହା ପୂରଣ ନକରନ୍ତି ତେବେ ଆସନ୍ତା ଫେବ୍ରୁଆରୀ ୧ରେ ବିଇଓ ଅଫିସ ଘେରାଉ, ୨ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ ଓ ୭ରେ ବିଧାନସଭା ଘେରାଉ କରାଯିବ ବୋଲି ଶ୍ରୀ ମହାରଣା ଚେତାବନୀ ଦେଇଛନ୍ତି । ବୈଠକରେ ଶିକ୍ଷକ ନେତା ପ୍ରଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିôଲେ ।