OnaKhabar

କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧିରେ ବିଜେଡ଼ି-ବିଜେପି ଆତଙ୍କିତ: ନିରଞ୍ଜନ

56

ଭୁବନେଶ୍ୱର : ସମଗ୍ର ଦେଶରେ କଂଗ୍ରେସ ପ୍ରତି ସାଧାରଣ ଜନତା ଆସ୍ଥା ପ୍ରକଟ କରିବା ଏବଂ ଏହାର ନୀତି ଆଦର୍ଶକୁ ସମର୍ଥନ ଜଣାଇବା ଘଟଣାରେ ଓଡ଼ିଶାରେ ଶାସକ ବିଜେଡ଼ି ଏବଂ ତା’ର ବଡ଼ଭାଇ ବିଜେପି ଆତଙ୍କିତ ହୋଇ ପଡ଼ିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏକ ବିବୃତ୍ତିରେ ସେ କହିଛନ୍ତି ଯେ କର୍ଣ୍ଣାଟକରେ ସଂଖ୍ୟାଗରିଷ୍ଠ ନଥାଇ ବିଜେପି ସରକାର ଗଠନ କରିବାକୁ ଯେଉଁଭଳି କୌଶଳର ଆଶ୍ରୟ ନେଇଥିଲା ତାହାର ପରିଣତି ପରବର୍ତ୍ତୀ ସମୟରେ ଭୋଗିବାକୁ ହେଲା । ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଜନସାଧାରଣ
କଂଗ୍ରେସକୁ ସମର୍ଥନ ଜଣାଇଲେ । ଏହି ତିନିଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କଲା । ଏଥିସହିତ ନିର୍ବାଚନ ପୂର୍ବରୁ କଂଗ୍ରେସ କୃଷକ ଖଟିଖିଆଙ୍କୁ ଦେଇଥିବା ପ୍ରତିଶ୍ରୁତି ଅବିଳମ୍ବେ କାର୍ଯ୍ୟକାରୀ କଲା । କୃଷକମାନଙ୍କର ଋଣ ଛାଡ଼ ସହିତ ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଗଲା । ଏହାଦେଖି ବିଜେଡ଼ିରେ ଭାଳେଣି ପଡ଼ିଲା ଏବଂ ତରବରିଆ ଭାବେ ସେମାନେ କାଳିଆ ଯୋଜନା ଘୋଷଣା କଲେ । ଚାଷଜମିକୁ କିଭଳି ପାଣି ମାଡ଼ିବ, ଚାଷୀଙ୍କୁ କିଭଳି ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ମିଳିବ ସେ ବ୍ୟବସ୍ଥା ନକରି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ କୃଷକଙ୍କର ବିକାଶ ନିମନ୍ତେ ବିଜେଡ଼ି ଏକ ବିଫଳ ପ୍ରୟାସ କରୁଛି । ଜରୁରୀକାଳୀନ ପାଣ୍ଠିରୁ ଏହି ଯୋଜନା ପାଇଁ ଟଙ୍କା ଉଠାଇଥିବାରୁ ଏହା ଏବେ କାଠଗଡ଼ାରେ ବିଚାରାଧୀନ ରହିଛି । ନିକଟରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶକୁ ଭଣ୍ଡୁର କରିବାକୁ ଉଭୟ ବିଜେପି ଓ ବିଜେଡ଼ି ପକ୍ଷରୁ କରାଯାଇଥିବା ପ୍ରଚେଷ୍ଠା ମଧ୍ୟ ବିଫଳ ହୋଇଛି । ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଲୋକ ରାହୁଲଙ୍କ ସମାବେଶରେ ପହଞ୍ଚିଥିଲେ । ଏହି ସମାବେଶର ସଫଳତା ବିଜେଡ଼ି-ବିଜେପିକୁ ବିବ୍ରତ କରିଛି । ଏହାକୁ ନେଇ ସେମାନେ ବିଭିନ୍ନ ପ୍ରକାର ଭ୍ରମାତ୍ମକ ବିବୃତ୍ତି ଦେଇ ଚାଲିଛନ୍ତି । ଦିଲ୍ଲୀରେ ନବୀନ ରାହୁଲଙ୍କ ବିବୃତ୍ତିକୁ ବକ୍‍ବାସ କହି ସତ୍ୟକୁ ଲୁଚେଇବାକୁ ପ୍ରୟାସ କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ଦୁର୍ବଳ ସ୍ଥିତିକୁ ସଜାଡ଼ିବା ପାଇଁ ଶାହା ଆସୁଛନ୍ତି । ଉକ୍ତ ସମାବେଶରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୨୬୦୦ ଟଙ୍କା ପ୍ରଦାନ ସହିତ ସରକାର ଗଠନର ୧୦ଦିନ ମଧ୍ୟରେ ଋଣ ଛାଡ଼ କରିବା ପାଇଁ କରିଥିବା ଘୋଷଣା ବିଜେଡ଼ି-ବିଜେପିକୁ ଚିନ୍ତାରେ ପକାଇଛି । ସେଥିପାଇଁ କେନ୍ଦ୍ର ସରକାର କୃଷକଙ୍କ ପାଇଁ କିଛି ଯୋଜନା ଘୋଷଣା କରିବାକୁ ଯାଉଛନ୍ତି । କେବଳ ଘୋଷଣା ପ୍ରଚାର ସର୍ବସ୍ୱ ହୋଇ ପଡ଼ୁଥିବା ବିଜେପିର ଏଭଳି ଘୋଷଣା ଚାଷୀଙ୍କ ପାଇଁ କଟା ଘା’ରେ ଚୂନ ଦେବା ଭଳି ହେବ । ଏହା ଓଡ଼ିଶାରେ ଚାଷୀମାନେ ଭଲ ଭାବେ ବୁଝି ସାରିଛନ୍ତି । ଶୋଇଥିବା ବିଜେଡ଼ି ଓ ବିଜେପି ସରକାର ନିର୍ବାଚନ ବେଳେ ରାତି ଅଧିଆ ଯୋଜନା ଘୋଷଣା କରି ଆଉଥରେ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ରାଜ୍ୟରେ ଚାଷୀ ଆତ୍ମହତ୍ୟା, ଗରିବୀ କାରଣରୁ ବାହାରକୁ ଦାଦନ ଯିବା, ରେସନ କାର୍ଡ଼ ବନ୍ଧକ ରଖିବା ଘଟଣା ଘଟୁଥିବାବେଳେ ଭାଗଚାଷୀଙ୍କୁ ହକ୍‍ ମିଳୁନାହିଁ ଏଭଳି କ୍ଷେତ୍ରରେ କେତେଦିନ ଆଉ ଭଣ୍ଡାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।