OnaKhabar

ବିଜୁ କାର୍ଡ ଖେଳି ବିଜେପି-ବିଜେଡିକୁ ଦିଲୀପଙ୍କ ଟାର୍ଗେଟ

0 17

ଭୁବନେଶ୍ୱର: ବରିଷ୍ଠ ନେତା ଦିଲୀପ ରାୟ ନୂଆ ରାଜନୀତିକ ଚାଲ କିଛି ଦିନ ହେଲା ଚଳାଇଥିବା ଦେଖାଯାଇଛି । ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଭଳି କାର୍ଯ୍ୟ କରିଛନ୍ତି । ବିଜୁ କାର୍ଡ ଖେଳି ଉଭୟ ବିଜେଡି ଓ ବିଜେପିକୁ ମାଡ ଦେବା ପାଇଁ ଗୋଟି ଚାଳନା କରିଛନ୍ତି । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିବା ନେଇ ବହୁ ଆଗରୁ ଅନେକ ଦାବୀ କରାଯାଇଆସିଛି । କିନ୍ତୁ ଏହାକୁ କ୍ରମେ ସମସ୍ତେ ପ୍ରାୟ ପାସୋରୀ ଦେଲେଣି । ଏଥିପ୍ରତି କେହି ଗୁରୁତ୍ୱ ଦେଉଥିବା ଦେଖାଯାଉନାହିଁ । ହେଲେ ଦିଲୀପ ଏହି ପ୍ରସଙ୍ଗକୁ ଭୁଲି ନାହାନ୍ତି । ବିଜୁଙ୍କ ସହ ଏବେ ବି ଅଛନ୍ତି ଏକଥା ପ୍ରମାଣିତ କରିବା ପାଇଁ ବିଜୁବାବୁଙ୍କୁ ଭାରତ ରତ୍ନ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟକୁ ଚିଠି ଲେଖି ଅନୁରୋଧ କରିଥିଲେ । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତ ରତ୍ନ ତାଲିକା ପ୍ରକାଶ କରାଯାଇଛି । ଏଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଅନ୍ୟମାନଙ୍କୁ ଏହି ଉପାଧି ମିଳିଛି । ଯାହାକୁ ନେଇ ବିବାଦ ଚାଲିଛି । ଏହି ସ୍ଥିତିରେ ବିଜୁ ପଟ୍ଟନାୟକଙ୍କୁ ନ ମିଳିବା ଘଟଣାକୁ ନେଇ ଦିଲୀପ ପ୍ରଶ୍ନ ଉଠାଇଛନ୍ତି । ଦିଲୀପ ଏକ ପ୍ରେସ ଇସ୍ତହାର ଜାରି କରି ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ ନ କରାଯିବା ଏକ ଜାତୀୟ ଧୋକା ବୋଲି କହିଛନ୍ତି ।
କୁହାଯାଉଛି ବିଜେପି ଛାଡିଲା ପରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଟାର୍ଗେଟରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ଲୋକଙ୍କ ମନ ମୋଦି ବିରୋଧୀ କରିବା ପାଇଁ ଦିଲ୍ଲୀପ ଏକ ସେଣ୍ଟିମେଟାଲ କାର୍ଡ ଖେଳିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି କ୍ଷମତା ଦଖଲ କରିବାକୁ ଲ କ୍ଷ୍ୟ ରଖିଛି । ଓଡିଶା ଲୋକଙ୍କ ଦରଦୀ ମନୋଭାବ ବିଜୁ ପଟ୍ଟନାୟକଙ୍କ ପ୍ରତି ଏବେ ବି ରହିଛି । ଏଣୁ ମୋଦି ସରକାର ବିଜୁବାବୁକୁ ସମ୍ମାନ ଦେଉନଥିବା ବିଷୟ ଜଣେଇବା ପାଇଁ ଦିଲୀପ ଏହି କାର୍ଡ ଖେଳିଥିବା କୁହାଯାଉଛି । ରାଉରକେଲାରେ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ପସ୍ପିଟାଲ ନେଇ ଦିଲୀପ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଆସିଛନ୍ତି । ଏବେ ବିଜୁ ପଟ୍ଟନାୟକଙ୍କ ନାଁ ରେ ଆଉ ଏକ ମାଡ ଦେବାକୁ ଯୋଜନା କରିଛନ୍ତି ।
ସେହିପରି ବିଜୁବାବୁଙ୍କ ନାଁରେ ହୋଇଥିବା ଦଳ ବିଜୁ ଜନତା ଦଳ ପ କ୍ଷରୁ ଯେଉଁ କାର୍ଯ୍ୟ କରାଯିବା କଥା ତାହା କରାଯାଇନାହିଁ । ଭାରତ ରତ୍ନ ନ ମିଳିବା ପ୍ରତିବାଦରେ ବିଜେଡି ଯେଉଁ ଭୂମିକା ଗ୍ରହଣ କରିବା କଥା ଓ ମୋଦି ସରକାର ବିରୋଧରେ ଯେଭଳି ଆଭିମୁଖ୍ୟ ଗ୍ରହଣ କରିବା କଥା ସେଭଳି କରିନାହିଁ । ଏଘଟଣାକୁ ଏକ ପ୍ରକାରର ବିଜେଡି ଭୁଲି ଯାଇଥିବା ଲୋକଙ୍କ ପାଖରେ ଜଣେଇବା ପାଇଁ ଦିଲୀପ ବେଶ ଚତୁରତାର ସହ ଏକଥା ଉଠାଇଛନ୍ତି । ଦିଲୀପ ପ୍ରମାଣ କରିବାକୁ ଚାହାନ୍ତି ବିଜୁ ପଟ୍ଟନାୟକଙ୍କ ପାଇଁ ସେ ବେଶି ଚିନ୍ତିତ ।

ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଏକ ଜାତୀୟ ଧୋକା: ଦିଲିପ ରାୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଓଡ଼ିଶାବାସୀଙ୍କ ପ୍ରତି ଏକ ବଡ଼ ଧୋକା । ଦେଶ ତଥା ରାଜ୍ୟ ପାଇଁ ସ୍ୱାଧୀନତା ଆନ୍ଦୋଳନ ସମୟରୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବିସ୍ମରଣୀୟ ଅବଦାନ ରହିଥିବା ବେଳେ କେନ୍ଦ୍ର ସରକାର ତାହାକୁ ସ୍ୱୀକାର ନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜୁବାବୁଙ୍କ ବହୁ ବର୍ଷର ଘନିଷ୍ଠ ସହକର୍ମୀ ଦିଲିପ ରାୟ କହିଛନ୍ତି । ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପ୍ରସଙ୍ଗରେ ସେ ନିଜେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଓଡ଼ିଶାବାସୀଙ୍କ ଦାବି ଜଣାଇଥିଲେ । ଏ ସଂକ୍ରାନ୍ତରେ ଠିକଣା ସମୟରେ ଠିକଣା ଘୋଷଣା କରାଯିବ ବୋଲି ଶ୍ରୀ ମୋଦୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ମୋଦୀଙ୍କ ସରକାରର ଶେଷ ବର୍ଷରେ ବି ଏହି ପ୍ରତିଶ୍ରୁତି ପାଳିତ ହୋଇନାହିଁ । କେବଳ ଓଡ଼ିଶାର ବିକାଶ ନୁହେଁ, ଦେଶର ସ୍ୱାଧୀନତା ଆନ୍ଦୋଳନ, ଜାତୀୟ ରାଜନୀତି, ରାଷ୍ଟ୍ରୀୟ ସ୍ୱାର୍ଥରକ୍ଷା ପ୍ରସଙ୍ଗରେ ବିଜୁବାବୁଙ୍କ ଅବଦାନ କିମ୍ବଦନ୍ତୀ ହୋଇ ରହିଯାଇଥିବା ବେଳେ ତାଙ୍କୁ ଭାରତରତ୍ନ ପ୍ରଦାନ କରିଥିଲେ କେନ୍ଦ୍ର ସରକାର ଧନ୍ୟ ହୋଇଥାନ୍ତେ । ଏଥିରେ ବିଜୁବାବୁଙ୍କ ଅମ୍ଳାନ ବ୍ୟକ୍ତିତ୍ୱ ପ୍ରଭାବିତ ହୋଇନଥାନ୍ତା, ବରଂ ସାଢ଼େ ୪ କୋଟି ଓଡ଼ିଆଙ୍କ ସମେତ ଜାତୀୟ କ୍ଷେତ୍ରରେ ବିଜୁବାବୁଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସନ୍ତୋଷବ୍ୟକ୍ତ କରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ଏହି ସୁଯୋଗ ହାତଛଡ଼ା କରିଛନ୍ତି । ରାଉରକେଲାର ଆଇଜିଏଚ୍କୁ ମେଡ଼ିକାଲ କଲେଜ ହସ୍ପିଟାଲରେ ପରିଣତ କରିବା ଓ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସମେତ ପ୍ରଧାନମନ୍ତ୍ରୀଙ୍କ ଅନେକ ପ୍ରତିଶ୍ରୁତି ଯେପରି ମରିଚିକା ହୋଇ ରହିଯାଇଛି ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନରେ ଭୂଷିତ କରିବା ଲାଗି ମିଳିଥିବା ପ୍ରତିଶ୍ରୁତି ମଧ୍ୟ ସେହିପରି ମିଳେଇ ଯାଇଛି ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି । ଯେଉଁମାନେ ଏ କ୍ଷେତ୍ରରେ ବାଧକ ହୋଇଛନ୍ତି ସେମାନଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ବୋଲି ଉଲ୍ଲେଖ କରି ଭାରତରତ୍ନ ମିଳୁ କି ନ ମିଳୁ ବିଜୁବାବୁ କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ସବୁଦିନ ପାଇଁ ରହିଥିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.