OnaKhabar

ରାହୁଲଙ୍କ ଟାର୍ଗେଟ କିଏ? ନବୀନ ନା ମୋଦି

64

ଭୁବନେଶ୍ୱର : ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟ କଂଗ୍ରେସ ପକ୍ଷରୁ ଏଥିନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି । ରାହୁଲ ଓଡ଼ିଶା ଗସ୍ତରେ ଆସିଲେ କଣ କହିବେ ତାହା ଉପରେ ରହିଛି ମୁଖ୍ୟତଃ ନଜର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ରାହୁଲ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଗସ୍ତ ସମୟରେ କଂଗ୍ରେସକୁ ମୁଖ୍ୟତଃ ଟାର୍ଗେଟ କରିଥିଲେ । ଓଡ଼ିଶାରେ ବିଜେଡି ମୁଖ୍ୟ ଶତ୍ରୁ ହୋଇଥିଲେ ବି ମୋଦି ନବୀନଙ୍କୁ ପୂର୍ବଭଳି ଆଉ ଆଟାକ କରି ନ ଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବହୁ ଚର୍ଚ୍ଚା ହେଲା । ନବୀନଙ୍କ ପ୍ରତି ମୋଦିଙ୍କ କୋହଳ ମନୋଭାବ କଥା ଉଠିଲା ଓ ଏହା ପଛର ରହସ୍ୟମଧ୍ୟ ଆଲୋଚନା ହେଲା । ସେହିପରି କଂଗ୍ରେସ ଆସନ୍ତା ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖୁଛି । ୨୦୦୦ ମସିହାରୁ କଂଗ୍ରେସକୁ ନବୀନ କ୍ଷମତାରୁ ଦୂରେଇ ରଖି ଆସିଛନ୍ତି । ଏ କ୍ଷେତ୍ରରେ ରାହୁଲ ଯେତେବେଳେ ଆସୁଛନ୍ତି ସେ ଓଡ଼ିଶା କଂଗ୍ରେସ ଦଳର ସ୍ୱାର୍ଥ ପାଇଁ ନବୀନଙ୍କୁ ଟାର୍ଗେଟ କରୁଛନ୍ତି କି ନାହିଁ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । କାରଣ ନବୀନଙ୍କୁ ଯଦି ଟାର୍ଗେଟ ନ କରନ୍ତି ମୋଦିଙ୍କ ଭଳି ସେ ମଧ୍ୟ ଯଦି ତାଙ୍କୁ ପାଲଟା ସମାଲୋଚନା କରିବା ଆରମ୍ଭ କରନ୍ତି ତେବେ କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଯିବ । ନବୀନଙ୍କ ବିରୋଧରେ ସକାଳେ ସନ୍ଧ୍ୟା କଂଗ୍ରେସ ନେତାମାନେ ବର୍ଷୁଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିବା ଦେଖାଯାଉଛି । ପ୍ରତି ମୁହୂର୍ତ୍ତରେ ନିରଂଜନ ଟ୍ୱିଟ କରି ନବୀନଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଉଛନ୍ତି । ରାହୁଲଙ୍କ ସଭାକୁ ଟକ୍କର ଦେଇ ନବୀନ ତାଙ୍କ କାଳିଆ ଯୋଜନାର ଶୁଭାରମ୍ଭ ମଧ୍ୟ ଶୁକ୍ରବାର ରଖିଛନ୍ତି । କାଳିଆ ଯୋଜନାକୁ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରୁଛନ୍ତି । ଚାଷୀଙ୍କୁ ଋଣ ଛାଡ଼ ପାଇଁ ସେମାନେ ଦାବି କରୁଛନ୍ତି । ରାହୁଲ ମଧ୍ୟ ନିକଟରେ ଶେଷ ହୋଇଥିବା ୩ଟି ରାଜ୍ୟର ନିର୍ବାଚନ ପୂର୍ବରୁ ଋଣ ଛାଡ଼ କଥା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦଳ କ୍ଷମତାକୁ ଆସିଲା ପରେ ଋଣ ଛାଡ଼ କରାଯାଇଛି । ରାହୁଲ ଇତିମଧ୍ୟରେ ଘୋଷଣା କରିସାରିଲେଣି ଯେ, କେନ୍ଦ୍ରରେ କ୍ଷମତାକୁ ଆସିଲେ ସମଗ୍ର ଦେଶରେ ଚାଷୀଙ୍କ ଋଣ ଛାଡ଼ କରିବେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଋଣ ଛାଡ଼ ସପକ୍ଷରେ ନାହାଁନ୍ତି । ଏଣୁ ରାହୁଲ ଯେତେବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ସେତେବେଳେ ସେ କଣ କହୁଛନ୍ତି ଓ କାହାକୁ ଟାର୍ଗେଟ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିବା କଥା କୁହାଯାଉଛି ।
ରାହୁଲଙ୍କ ଗସ୍ତ ପାଇଁ କଂଗ୍ରେସ ପୁରା ଚଳଚଞ୍ଚଳ ହୋଇ ଉଠିଛି । ସଭାକୁ ସଫଳ କରିବା ପାଇଁ ସମସ୍ତ ନେତା ଲାଗି ପଡ଼ିଛନ୍ତି । ସବୁଠାରୁ କୌତୁହଳର ବିଷୟ ହେଉଛି ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରଠାରୁ ଆରମ୍ଭ କରି ଏଜି ଛକ, ଖଣ୍ଡଗିରି ଓ ସହରର ବିଭିନ୍ନ ଅଂଚଳରେ ନେତାମାନଙ୍କର କଟଆଉଟମାନ ଲଗାଯାଇଛି । ନେତାଙ୍କ ଭିତରେ ଏହି କଟଆଉଟ ଲଗାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସରତ ରାଉତ, କାହ୍ନଚରଣ ଲେଙ୍କା, ପ୍ରସାଦ ହରିଚନ୍ଦନ, କିଶୋର ପଟେଲ, ସାଂସଦ ରଂଜିବ ବିଶ୍ୱାଳ, ବିଧାୟକ ଚିରଂଜିବି ବିଶ୍ୱାଳ ଓ ଯୁବ ଛାତ୍ର କଂଗ୍ରେସ ନେତାମାନେ ରାହୁଲଙ୍କୁ ସ୍ୱାଗତ କରି ନିଜନିଜର ହୋଡିଂ ଓ କଟଆଉଟ ଲଗାଇଛନ୍ତି । ରାହୁଲ ବିମାନବନ୍ଦରରୁ ବାହାରିଲାକ୍ଷଣି ଏହି ନେତାମାନଙ୍କୁ ରାସ୍ତାରେ ଯିବା ବାଟରେ ଦେଖିପାରିବେ । ଆଉ ଏକ ହୋଡିଂ ଲଗାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁକେଶ ଅମ୍ବାନୀଙ୍କ ଫଟୋ ରହିଛି । ଏଥିରେ ୩୦ ହଜାର କୋଟି ଟଙ୍କା ମୋଦି ମୁକେଶଙ୍କୁ ଦେଇଥିବା କଥା ଉଲ୍ଲେଖ କରାଯାଇଛି । ଯୁବ କଂଗ୍ରେସ ପକ୍ଷରୁ ଏହି ହୋଡିଂମାନ ଲଗାଯାଇଛି । ନେତାଙ୍କ ଭିତରେ ସ୍ୱାଗତ ଜଣାଇବା ପାଇଁ କେତେଦୂର ପ୍ରତିଯୋଗିତା ତାହା ହୋଡିଂଗୁଡ଼ିକୁ ନ ଦେଖିଲେ ଜାଣିପାରିବ ନାହିଁ । ପିସିସି ସଭାପତି ନିଜେ ସଭାସ୍ଥଳକୁ ଯାଇ ବାରମ୍ବାର ସ୍ଥିତି ପରଖୁଛନ୍ତି । ସୁରକ୍ଷା ବ୍ୟବସ୍ଥା ନେଇ ତଦାରଖ ମଧ୍ୟ କରୁଛନ୍ତି । ରାହୁଲଙ୍କ ଏହି ଗସ୍ତକୁ ନେଇ ଦଳ ପୁରା ଜୋସରେ ଅଛି ବୋଲି କୁହାଯାଉଛି ।