OnaKhabar

ନବ ଏବେଠୁ ନବୀନଙ୍କୁ ଧରି ବୁଲିଲେଣି

71

ଭୁବନେଶ୍ୱର: କଂଗ୍ରେସ ବିଧାୟକ ନବ ଦାସ ଯଦିଓ ବିଜେଡିକୁ ଯିବେ ବୋଲି ବୁଲେଇ ବଙ୍କେଇ ସୂଚନା ଦେଇସାରିଛନ୍ତି ହେଲେ ଏପର୍ଯ୍ୟନ୍ତ ଦଳ ଛାଡ଼ି ନାହାଁନ୍ତି । କିନ୍ତୁ ଏବେଠାରୁ କାନ୍ଧରୁ ରାହୁଲ ଗାନ୍ଧିଙ୍କୁ ଓହ୍ଲାଇ ଦେଇ ଏବେ ନବୀନ ପଟ୍ଟନାୟକଙ୍କୁ କାନେ୍ଧଇ ବୁଲିବା ଆରମ୍ଭ କରିଦେଇଛନ୍ତି । ନବଙ୍କୁ ଯେବେବି ପଚରାଯାଉଛି ଯେବେ ମିଶିବି ସେବେ ଜାଣିବେ ବୋଲି କହୁଛନ୍ତି । କିନ୍ତୁ କାର୍ଯ୍ୟକ୍ରମ ସବୁ ବିଜେଡି ପାଇଁ କରୁଛନ୍ତି । ଆଉ କଂଗ୍ରେସ ନାଁ ଧରୁନାହାଁନ୍ତି । ଏତେ କଥା ଜାଣିସାରିଲା ପରେ ବି କଂଗ୍ରେସ ମଧ୍ୟ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନାହିିଁ । ତଥାପି ଆଶାବାନ୍ଧି ଶେଷ ମୁହୂର୍ତ୍ତ ଯାଏଁ ନବଙ୍କଠୁ ରାଜନୀତିକ ମାଡ଼ ଖାଇବା ପର୍ଯ୍ୟନ୍ତ କଂଗ୍ରେସ ହାଇକମାଣ୍ଡ ଅପେକ୍ଷା କରିଛନ୍ତି ବୋଲି କୁହାଯାଉଛି ।
୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯାଉଛନ୍ତି । ସେହିଦିନ ନବ ବିଜେଡିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ନବ ଆଗରୁ ବାଟ କାଟି ସାରିଛନ୍ତି । ୨୫ ତାରିଖରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି କହିସାରିଛନ୍ତି । ହେଲେ କଥା ଉଠୁଛି ବର୍ତ୍ତମାନ ସୁଦ୍ଧା ନବ କଂଗ୍ରେସ ଛାଡ଼ି ନାହାଁନ୍ତି । କିମ୍ବା ସେ ତାଙ୍କ ଇସ୍ତଫା ପତ୍ର ପଠାଇ ନାହାଁନ୍ତି । ମାତ୍ର ଏବେଠାରୁ ନବୀନଙ୍କୁ ଧରି ବୁଲିବା ଆରମ୍ଭ କରିଛନ୍ତି । କୁହାଯାଉଥିଲା ନବ ୨୪ ତାରିଖ ପାଇଁ ବହୁ ବେଲୁନ ଉଡାଇବାକୁ ବରାଦ ଦେଇଛନ୍ତି । ଏହି ବେଲୁନରେ ତାଙ୍କର ନବୀନ ପଟ୍ଟନାୟକଙ୍କର ଓ ଶଙ୍ଖ ଚିହ୍ନର ଚିତ୍ର ରହିବ । ଏଥିନେଇ ସେ ବରାଦ ଦେଇଥିବା ପ୍ରାୟ ସ୍ପଷ୍ଟ ହୋଇଗଲାଣି । ଏବେ ଆଉ ଗୋଟିଏ ନୂଆ ଘଟଣା ପଦାକୁ ଆସିଛି । ଝାରସୁଗୁଡ଼ାରେ ନବ ଓ ନବୀନଙ୍କର ଫଟୋ ଲାଗିଛି । ନବୀନଙ୍କୁ ସ୍ୱାଗତ କରି ନବ ବ୍ୟାନରମାନ ଲଗାଇଛନ୍ତି । ଏହି ବ୍ୟାନରରେ ଅନ୍ୟ କାହାରି ଫଟୋ ସେ ରଖିନାହାଁନ୍ତି । ହାତ ଚିହ୍ନ କି ରାହୁଲ ଗାନ୍ଧି କି ନିରଂଜନ ପଟ୍ଟନାୟକ କାହାରି ପଟୋ ରଖିନାହାଁନ୍ତି । ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସେ ବିଜେଡିରେ ସାମିଲ ହେଲା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି । ବିଜେଡିର ଜଣେ ସଦସ୍ୟ ଭାବରେ ନବୀନଙ୍କ ଫଟୋ ଧରି ବୁଲୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଯଦି ତାଙ୍କର ସ୍ୱାଗତ କରିବାର କଥା ତେବେ ସେଥିରେ ହାତ ଚିହ୍ନ ରଖିଥିଲେ କିଛି ଆପତ୍ତି ନ ଥାନ୍ତା । କାରଣ କଂଗ୍ରେସର ସେ ହେଉଛନ୍ତି ବିଧାୟକ । ଏଣୁ ତାଙ୍କ ନିର୍ବାଚନମଣ୍ଡଳିକୁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱଭାବିକ ଭାବେ ବ୍ୟାନର ଓ ହୋଡିଂ ଲଗାଇବାରେ କିଛି ବାଧକ ନାହିଁ । ଦଳ ନେତା କି ଚିହ୍ନକୁ ବାଦ ଦେଇ ଯେଉଁ ଦଳକୁ ଯିବା ପାଇଁ ଚାହୁଁଛନ୍ତି ସେ ଦଳର ସୁପ୍ରିମୋଙ୍କ ଫଟୋ ଲଗାଇବା ଫଳରେ ତାଙ୍କ ମନୋଭାବକୁ ସେ ପରିପ୍ରକାଶ କରୁଛନ୍ତି । କିନ୍ତୁ ନୀତିଗତ ଦୃଷ୍ଟିରୁ ନବ ଏଭଳି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ କଂଗ୍ରେସରୁ ଇସ୍ତଫା ଦେବା କଥା । ଗୋଟିଏ ଦଳରେ ଥାଇ ଅନ୍ୟ ଦଳର ନେତାଙ୍କୁ ଧରି ଗୁରୁ କରି ବୁଲିବାର ଯଥାର୍ଥତା ଉପରେ ପ୍ରଶ୍ନ ଉଠୁଛି । ଅବଶ୍ୟ ରାଜନୀତିରେ ଆଉ ସେ ନୀତି ଓ ଆଦର୍ଶ ନାହିଁ । ଏକଥା କେବେଠାରୁ ନେତାମାନେ ଭୁଲିଗଲେଣି । ସମସ୍ତେ ଯେ ଏଭଳି ତାହା କହିବା ଠିକ ନୁହେଁ । ନବଙ୍କୁ ବିଜେଡିକୁ ଯିବା ପାଇଁ କଂଗ୍ରେସ ରୋକିନାହିଁ କିମ୍ବା ଅନ୍ୟ କେହି ତାଙ୍କୁ ମନା କରିନାହାଁନ୍ତି । ସେ ଜଣେ ସ୍ୱାଧୀନ ନାଗରିକ ଭାବରେ ନିଷ୍ପତ୍ତି ନେଇପାରିବେ । ଏଥିରେ ଦଳ ତାଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ପାରିବ ନାହିଁ । ଏ କ୍ଷେତ୍ରରେ ଗୋଟିଏ ଦଳରେ ଥାଇ ଅନ୍ୟ ନେତାଙ୍କ ଫଟୋ ଲଗାଇ ବୁଲିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ ବୋଲି କୁହାଯାଉଛି ।