OnaKhabar

ଶଙ୍ଖ ମୁହାଁ ପ୍ରକାଶ ଓ ଯୋଗେଶ

0 15

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଏବେ ହଇଚଇ ସୃଷ୍ଟି ହୋଇଛି । ଦଳର ହାଇକମାଣ୍ଡର ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଥିଲା ବେଳେ ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ିବା ଖବର ଆସିବାରେ ଲାଗିଛି । ଦଳ ପାଇଁ ଏହା ଭଲ ସଂକେତ ନୁହେଁ ବୋଲି କୁହାଯାଉଛି । ବିଧାୟକ ନବ ଦାସଙ୍କ ରାସ୍ତାରେ ଆଉ ଦୁଇଜଣ ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂ ଯାଉଥିବାର ସୂଚନା ମଧ୍ୟ ମିଳୁଛି । ନବଙ୍କ ଭଳି ଯୋଗେଶ ଲୋକଙ୍କ ଉପରେ ତାଙ୍କ ମିଶ୍ରଣ ନିର୍ଭର କରେ ବୋଲି କହି ଖସିବାକୁ ବସିଥିଲା ବେଳେ ପ୍ରକାଶ ହାଇକମାଣ୍ଡ କଥା କହି ଝୁଲାଇ ରଖିଛନ୍ତି । ଆଉ କିଛି ବିଧାୟକ ବି ଯିବାର ଅଛି । ବିଜେଡି ଯୋଗାଯୋଗରେ କଂଗ୍ରେସର ଏକାଧିକ ବିଧାୟକ ଥିବାର ସୂଚନା ମିଳୁଛି ।
ନବ ଦାସ ବର୍ତ୍ତମାନ ଦଳର କାର‌୍ୟ୍ୟକାରୀ ସଭାପତି ଅଛନ୍ତି । ସେ କେବଳ ବିଧାୟକ ନାହାଁନ୍ତି । ଏଣୁ ଜଣେ କାର‌୍ୟ୍ୟକାରୀ ସଭାପତି ଦଳ ଛାଡ଼ିବା ଖରାପ ସଂକେତ ଦେବ । କିନ୍ତୁ ନବ ଛାଡ଼ିବା କଥା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ନବଙ୍କ ଭଳି ପୂର୍ବରୁ ପ୍ରକାଶ ବେହେରା ଓ ଯୋଗେଶ ସିଂଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ଚାଲିଛି । ବିଜେଡିରେ ମିଶିବା ନେଇ ଉଭୟ ଯୋଗାଯୋଗରେ ଥିବା କୁହାଯାଉଛି । ପ୍ରକାଶଙ୍କୁ ଯେଉଁଦିନ ଦଳର ଜିଲ୍ଲାସଭାପତି ଦାୟିତ୍ୱରୁ ହଟାଇ ଦିଆଗଲା ସେବେଠାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ଭିତରେ ସେ ବିଜେଡି ସହ ଯୋଗାଯୋଗ ରଖିବା ଆରମ୍ଭ କରିଛନ୍ତି । ଏବେ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ଗସ୍ତକୁ ଦେଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଚାରିଆଡ଼େ ବୁଲି ରାଜ୍ୟ ସରକାର କିଛି କରିନାହାଁନ୍ତି ବୋଲି ପ୍ରଚାର କରୁଛନ୍ତି । ୧୮/୧୯ ବର୍ଷ ଧରି କ୍ଷମତାରେ ରହି ବିଜେଡି ଓଡ଼ିଶାର ବିକାଶ କରିନାହିଁ ବରଂ ରାଜ୍ୟକୁ ଅଧିକ ଦାରିଦ୍ର‌୍ୟ ଭିତରକୁ ନେଇଛି ଏବଂ ଦୂର୍ନୀତି ଓ ଭ୍ରଷ୍ଟାଚାର ବଢ଼ିଛି ବୋଲି ନିରଂଜନ କହିଛନ୍ତି । ପିସିସି ସଭାପତି ଏଭଳି କଥା କହୁଥିଲା ବେଳେ ତାଙ୍କରି ଦଳର ବିଧାୟକ ପ୍ରକାଶ ବେହେରା ଭିନ୍ନମତ ରଖୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭଲ ସାର୍ଟିଫିକେଟ ଦେଉଛନ୍ତି ।
ପ୍ରକାଶ କହିଛନ୍ତି ୨୦ ବର୍ଷ ହେଲା ବିଜେଡି ଭଲ ସ୍ଥିତିରେ ଅଛି । ଆଜି ମଧ୍ୟ ଭଲ ସ୍ଥିତିରେ ଅଛି । କିନ୍ତୁ ଆମେ ଆମ ଜାଗାରେ ଅଛୁ । ଆସନ୍ତା ନିର୍ବାଚନ ଲଢ଼ିବା ସମ୍ପର୍କରେ କହିଛନ୍ତି ଦଳର ହାଇକମାଣ୍ଡ କଣ ଚାହୁଁଛନ୍ତି ତାହା ହେଉଛି ବଡ଼ କଥା । ଯଦି ସେମାନେ ଚାହିଁବେ ତାହାହେଲ ମୁଁ ଲଢ଼ିବି । ଦଳ ହାଇକମାଣ୍ଡ ଯାହା ଚାହିଁବେ ମୁଁ କରିବି । ମୁଁ ନିଜେ ତ ଛିଡ଼ା ହୋଇପାରିବି ନାହିଁ କି ମୋର ସ୍ୱାଧୀନ ଭାବେ ଛିଡ଼ା ବେହାର ନାହିଁ । ଦଳ ହାଇକମାଣ୍ଡ ଯାହା ଚାହିଁବେ ତାହା କରିବି ବୋଲି କହିଛନ୍ତି । ଗଣମାଧ୍ୟମ ପକ୍ଷରୁ ତାଙ୍କୁ ଯେତେ ପଚରାଯାଇଥିଲେ ବି କେଉଁ ହାଇକମାଣ୍ଡ କଥା ସେ କହୁଛନ୍ତି ତାହା ସେ ସ୍ପଷ୍ଟ କଲେନାହିଁ । କଂଗ୍ରେସ ହାଇକମାଣ୍ଡ ନା ବିଜେଡି ହାଇକମାଣ୍ଡ କାହା କଥା ସେ କହୁଛନ୍ତି ଏ ପ୍ରଶ୍ନର ବି ଉତ୍ତର ଦେଲେନାହିଁ । ବାରମ୍ବାର ହାଇକମାଣ୍ଡ ଶବ୍ଦ ବ୍ୟବହାର କଲେ ହେଲେ କେଉଁ ଦଳର ହାଇକମାଣ୍ଡ ବୋଲି ପ୍ରଶ୍ନ କରିବାକୁ ନ ଚାହିଁବା ଅର୍ଥ ତାଙ୍କ ଲକ୍ଷ୍ୟ ବୁଝା ପଡ଼ିଯାଉଛି ବୋଲି କୁହାଯାଉଛି । ସେ ଚାହିଁଥିଲେ କଂଗ୍ରେସ ହାଇକମାଣ୍ଡ କହିବା ପାଇଁ କୌଣସି ବାଧା ନ ଥିଲା । ଏ କଥା ନ କହିବା ଅର୍ଥ ପ୍ରକାଶ ବି ଶଙ୍ଖ ଫୁଙ୍କିବା ପାଇଁ ଆଗ୍ରହୀ ଥିବା ଜଣାପଡୁଛି ।
ସେହିପରି ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂ ମଧ୍ୟ କଂଗ୍ରେସରୁ ଆସନ୍ତା ନିର୍ବାଚନ ଲଢ଼ିବେ ବୋଲି ଖୋଲାଖୋଲି କହୁନାଁନ୍ତି । ଯୋଗେଶ କହିଛନ୍ତି ଏବେ ମୁଁ କଂଗ୍ରେସ ଛାଡ଼ିନି । କଂଗ୍ରେସରେ ଅଛି । ଦୁଇ ଦୁଇଥର ମୋତେ ସୁନ୍ଦରଗଡ଼ବାସୀ ନିର୍ବାଚିତ କରିଛନ୍ତି । ମୋତେ ତାଙ୍କର ଆର୍ଶୀବାଦ ଦେଇଛନ୍ତି । ଏଣୁ ସୁନ୍ଦରଗଡ଼ବାସୀ ଯଦି ଅନ୍ୟ ଦଳକୁ ଯିବା ପାଇଁ ପରାମର୍ଶ ଦେବେ ତେବେ ମୁଁ ସେଦିଗରେ ନିଶ୍ଚୟ ଚିନ୍ତା କରିବି ବୋଲି ଯୋଗେଶ କହିଛନ୍ତି ।

Leave A Reply

Your email address will not be published.