OnaKhabar

ଶ୍ରୀମନ୍ଦିର ବିବାଦ: ପ୍ରାପ୍ୟ ବନ୍ଦ ପାଇଁ ପ୍ରଶାସନର ଚେତାନବୀ

57

ଭୁବନେଶ୍ୱର: ଶ୍ରୀମନ୍ଦିରରେ ବାରମ୍ବାର ଶ୍ରୀଜିଉଙ୍କ ନୀତି ବିଭ୍ରାଟ ହେବା ଫଳରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଠୋର ଆଭିମୁଖ୍ୟ ପୋଷଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଠାକୁରଙ୍କ ନୀତିକାନ୍ତିରେ ସୁଧାର ଆଣିବା ପାଇଁ ଫତୁଆ ଜାରି କରାଯାଇଛି । ସେବାୟତଙ୍କ ସହ ବାରମ୍ବାର ବୁଝାମଣା କରିବା ସତ୍ତେ୍ୱ ଏହାର କୌଣସି ସୁଫଳ ନମିଳିବାରୁ ପ୍ରଶାସନ ବାଧ୍ୟହୋଇ ଏଭଳି ପଦକ୍ଷେପ ନେଇଥିବା କଥା କୁହାଯାଉଛି । ପ୍ରତିଦିନ ନୀତି ନିର୍ଘଣ୍ଟ ମୁତାବକ ସେବାକୁ ଆସୁଥିବା ସେବାୟତଙ୍କ ପାଳିଆ ପୁରସ୍କାର ଏବଂ ସମସ୍ତ ପ୍ରାପ୍ୟ ପାଉଣାକୁ ବନ୍ଦ କରି ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜାନୁଆରୀ ୩ ତାରିଖରେ ଏହି ଫତୁଆ ଜାରି କରିଛି । ପ୍ରଶାସନର ଚିଠି ନମ୍ବର ୮୭ରେ ଚେତେଇ ଦିଆଯାଇଛି ଯେ, ନୀତିରେ ଯୋଗଦେବା ତଥା ନୀତି ବିଳମ୍ବ କରୁଥିବାରୁ ସେବାୟତଙ୍କ ପାଳିଆ ପୁରସ୍କାର କାଟି ରଖାଯିବ । ଅନ୍ୟ ପ୍ରାପ୍ୟ ପାଉଣାକୁ ସଂପୂର୍ଣ୍ଣ ସୁଚିତ ରଖାଯିବ ବୋଲି ଚେତାବନୀ ଚିଠିରେ ରହିଛି । ଏହି ଚିଠିର ନକଲ ଶ୍ରୀମନ୍ଦିର ସମସ୍ତ ନିଯୋଗକୁ ପଠାଯାଇଛି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦୈନିକ ସେବାରେ ନିୟୋଜିତ ସେବାୟତଙ୍କ ଉପସ୍ଥିତି, ନୀତି ଅନୁପାଳନ ସମୟର ବ୍ୟକ୍ତିଗତ ରେକର୍ଡକୁ କମ୍ପ୍ୟୁଟରାଇଜଡ ଡକ୍ୟୁମେଣ୍ଟ କରାଯାଉଛି । ନୀତି ଅନୁପାଳନ ତଥା ବିଳମ୍ବ ହେଲେ ୧୫ ମିନିଟ ବିଳମ୍ବ ପାଇଁ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର, ଅଧଘଣ୍ଟା ବିଳମ୍ବ ପାଇଁ ଅଧା ପାଳିଆ ପୁରସ୍କାର ଓ ଏକ ଘଣ୍ଟା ବିଳମ୍ବ ପାଇଁ ସେହିଦିନ ସଂପୂର୍ଣ୍ଣ ପାଳିଆ ପୁରସ୍କାରକୁ କାଟି ଦିଆଯିବ । ଅନ୍ୟ ଅର୍ଥରେ ଏହି ହାରରେ ସେବାୟତମାନେ ପାଳିଆ ପୁରସ୍କାର ଉପାର୍ଜନ ହରାଇବେ । ସର୍ବୋପରି ଏହି ବର୍ଗର ସମସ୍ତ ସେବାୟତ ସେମାନଙ୍କର ଅନ୍ୟ ସମସ୍ତ ପ୍ରାପ୍ୟକୁ ପ୍ରଶାସନ ସ୍ଥଗିତ ରଖିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଏହି ଚିଠି ନିଯୋଗ ଗୁଡ଼ିକରେ ପହଞ୍ଚିବା ପରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ବିଶେଷ କରି କେତେ ବଳିମ୍ବ କେଉଁ ନୀତି ହେଲା ତାହାର ନିଦାନ କିଏ କରିବ, ପ୍ରତିଦିନ ନିର୍ଦ୍ଧାରିତ ନୀତି ଅନୁପାଳନ ବେଳେ ପ୍ରଶାସନର କିଏ ରହିବ, ବର୍ତ୍ତମାନ ରାତି ୩ଟାରେ ଦ୍ୱାରଫିଟା ନୀତି ନିର୍ଘଣ୍ଟ କରିଛି ପ୍ରଶାସନ । ପ୍ରଶାସନିକ ଅଧିକାରୀମାନେ ଏହି ସମୟରେ ଉପସ୍ଥିତ ରହିବେ ତ? ପ୍ରଶାସନର ନୀତିକୁ ପ୍ରଶାସନ ନିଜେ ଅନୁପାଳନ କରିବାର ଅନେକ ଉଦାହରଣ ରହିଛି । ଏମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେବାୟତମାନେ ପ୍ରଶ୍ନ କରିଛନ୍ତି । ଏହି ଚିଠିକୁ ନେଇ ସେବାୟତ ଓ ପାଳିଆ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏହା ଆଗାମୀ ଦିନରେ ବିବାଦ ଆଣିପାରେ ବୋଲି ସେମାନେ କହିବା ଆରମ୍ଭ କଲେଣି ।