OnaKhabar

ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ମନାକଲେ ନବୀନ

58

ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳର କୌଣସି ସଂପ୍ରସାରଣ ବା ଅଦଳବଦଳ ହେବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ପଷ୍ଟ ମନା କରିଦେଇଛନ୍ତି । ଫଳରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଥିଲା । ନିୟମ ଅନୁସାରେ ୧୪୭ ବିଧାନସଭା ସଦସ୍ୟ ଥିବାରୁ ନବୀନ ମନ୍ତ୍ରୀମଣ୍ଡଳରେ ୨୨ ଜଣଙ୍କୁ ନେଇ ପାରିବେ । କିନ୍ତୁ ସେ ୨୧ ଜଣଙ୍କୁ ଧରି ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ଗୋଟିଏ ପଦବୀ ଖାଲି ରଖିଥିଲେ । ସେବେଠାରୁ କିଛି ଆଲୋଚନା ହେଉଥିଲା ଯେ, ଯେକୌଣସି ମୁହୂର୍ତ୍ତରେ ଜଣଙ୍କୁ ସାମିଲ କରିପାରନ୍ତି । ସେହି ଆଶାରେ କିଛି ଆଶାୟୀ ମଧ୍ୟ ଆଶା ବାନ୍ଧି ବସିଥିଲେ । ଦୀର୍ଘ ସମୟ ଧରି ନବୀନ କୌଣସି ପଦକ୍ଷେପ ନେଲେ ନାହିଁ । ଏହାପରେ ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଗଲା । ତାଙ୍କ ହାତରେ ଥିବା କୃଷି ଓ ସମବାୟ ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଥିଲେ । ପ୍ରଦୀପ ମହାରଥୀଙ୍କୁ କୃଷି ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଡାକ୍ତର ରାଉତଙ୍କ ବିଦା ହେବା ପରେ ମନ୍ତ୍ରୀମଣ୍ଡଳରେ ଦୁଇଟି ପଦବି ଖାଲି ହେଲା । ହେଲେ ନବୀନ କୌଣସି ସଂପ୍ରସାରଣ କଲେ ନାହିଁ କି ଅଦଳବଦଳ କଲେ ନାହିଁ । ଏବେ ମନ୍ତ୍ରୀମଣ୍ଡଳରୁ ମହାରଥୀଙ୍କ ବିଦା ହେବା ପରେ ଖାଲି ସଂଖ୍ୟା ୩କୁ ବଢ଼ିଲା । ତାଙ୍କ ହାତରେ ଥିବା ବିଭାଗକୁ କୃଷି ବିଭାଗ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରମେଶ ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସାଧାରଣ ନିର୍ବାଚନ ପାଇଁ ସମୟ ପାଖେଇ ଆସିଲାଣି । ଏପ୍ରିଲରେ ନିର୍ବାଚନ ହେବା ନେଇ ସୂଚନା ମିଳୁଛି । ନଚେତ ଜୁନରେ ହେବ । ନିର୍ବାଚନର ୪୫ ଦିନ ପୂର୍ବରୁ ଆଚାରଣବିଧି ଲାଗୁ ହେବ । ଏଣୁ ସେ ଏପ୍ରିଲରେ ହେଉ କି ଜୁନରେ ହେଉ ମନ୍ତ୍ରୀମଣ୍ଡଳ ବର୍ତ୍ତମାନ ସଂପ୍ରସାରଣ କଲେ କିଛି ଫାଇଦା ହେବନାହିଁ । କାରଣ ସମୟ ଆଉ ସେତେନାହିଁ ଜଣେ ନୂଆ ମନ୍ତ୍ରୀ ଆସି ଦାୟିତ୍ୱ ନେଲେ ବିଭାଗ ବୁଝିଲାବେଳକୁ ସମୟ ଚାଲିଯାଇଥିବ । ନବୀନ ତାଙ୍କ ନିଜ ଲୋକଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରି ଦଳୀୟ କାର୍ଯ୍ୟରେ ଲଗାଇଥିବାରୁ ଏକ୍ଷେତ୍ରରେ ଅନ୍ୟ କାହାକୁ ଆଣି ମନ୍ତ୍ରୀ ପଦରେ ବସାଇଲେ ସମସ୍ୟା ସୃଷ୍ଟି କରିପାରେ । ଫଳରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ସେପରି କୌଣସି ସୂଚନା ଦେଖାଯାଉନଥିଲା । କିନ୍ତୁ କିଛି ଗଣମାଧ୍ୟମ ସଂପ୍ରସାରଣ ନେଇ ଚର୍ଚ୍ଚା ଆରମ୍ଭ କରିବାରୁ ଏହାକୁ ନେଇ ଚାଲିଥିଲା ରାଜନୀତି । ବାସ୍ତବତାକୁ ଅନୁଧ୍ୟାନ ନକରି କେବଳ ଖବର ପାଇଁ ପଦକ୍ଷେପ ନେବାଦ୍ୱାରା ଶେଷରେ ନିରାଶ ହେବାକୁ ପଡ଼ିଲା । ଯେତେବେଳେ ଅଧିକ ସମୟ ଥିଲା ସେତେବେଳେ ସଂପ୍ରସାରଣ କରାଯାଇନଥିଲାବେଳେ ଏବେ ସମୟ ପାଖେଇ ଆସିଲା ବେଳକୁ ସଂପ୍ରସାରଣ କରାଯିବା ନେଇ ଭାବିବା ଠିକ ନଥିଲା ବୋଲି କୁହାଯାଉଛି ।