OnaKhabar

ଏଥର କେତେ କଠୋର ହେବେ

0 0

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରା ଉତ୍ତର ଓଡ଼ିଶାକୁ ଫୋକସ କରି ଏଥର ତାଙ୍କ କାର୍ଯ୍ୟକ୍ରମ ରଖିଛନ୍ତି । ଏଥର ସେ ପୁଣି ଓଡ଼ିଶା ପାଇଁ ୪୫୦୦ କୋଟି ଟଙ୍କା ନବବର୍ଷର ଭେଟି ଧରି ଆସୁଛନ୍ତି । ଏହା ପୂର୍ବରୁ ଗତମାସ ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ୧୪୫୨୩ କୋଟି ଟଙ୍କାର ଭେଟି ଆଣିଥିଲେ । ପୁଣି ୧୬ ତାରିଖରେ ଆସୁଛନ୍ତି ସେଥିରେ ଫୋକସ ରହିଛି ପଶ୍ଚିମ ଓଡ଼ିଶା । ସେଥିପାଇଁ କେତେ ଭେଟି ଆଣୁଛନ୍ତି ତାହା ଏବେ ସ୍ପଷ୍ଟ ହୋଇନି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯ ହଜାର କୋଟି ଟଙ୍କାର ଭେଟି ଏହି ଦୁଇଟି ଗସ୍ତରେ ଓଡ଼ିଶା ପାଇଁ ଆଣିସାରିଛନ୍ତି । ପ୍ରଧାନମନ୍ତ୍ରୀ ଏବେ ଯେତେବେଳେ ଆସୁଛନ୍ତି ଆଉ ଖାଲି ହାତରେ ଓଡ଼ିଶାବାସୀଙ୍କୁ ଭେଟିବା ପାଇଁ ଆସୁନାହାଁନ୍ତି । କିଛି ନା କିଛି ପ୍ୟାକେଜ ଧରି ଆସୁଥିବା ଦେଖାଯାଉଛି । ଏକଥା କୁହାଯାଉଛି ପୁରା ଓଡ଼ିଶା ପାଇଁ ଏକ ବଡ଼ଧରଣର ପ୍ୟାକେଜ ସେ ଦେବାକୁ ଚାହୁଁଛନ୍ତି । ଆସନ୍ତା ନିର୍ବାଚନରେ ସେ ଓଡ଼ିଶାରୁ ଲଢ଼ିବା ପାଇଁ ଯୋଜନା ରହିଥିବା କଥା କୁହାଯାଉଥିବାରୁ ବୋଧହୁଏ ତାଙ୍କର ରାଜ୍ୟ ପ୍ରତି ଅଧିକ ଫୋକସ ବଢ଼ିଯାଇଛି ।
ମୋଦିଙ୍କ ଏହି ଗସ୍ତକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ମଧ୍ୟ ଚାଲିଛି । ବିଜେଡି ଓ କଂଗ୍ରେସ ମୋଦିଙ୍କ ଗସ୍ତକୁ ସମାଲୋଚନା କରୁଛନ୍ତି । କିନ୍ତୁ ମୋଦି ତାଙ୍କ କାର୍ଯ୍ୟ ଧାରାରେ ଅଟଳ ରହିଛନ୍ତି । ତାଙ୍କର ଏଥର ବାରିପଦା ଗସ୍ତ ସମୟରେ ବହୁ କେନ୍ଦ୍ରୀୟ ପ୍ରକଳ୍ପର ଶୁଭ ଦେବେ ଓ ଲୋକାର୍ପଣ କରିବେ । ଜାତୀୟ ରାଜପଥ ପ୍ରାଧୀକରଣର ୩ଟି ୪ ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଇଓସିଏଲ୍ର ପାରାଦପୀ- ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଭାରତୀୟ ରେଳପଥର ୪ଟି ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ହରିପୁର ଗଡ଼ ଓ ରଶିକରାୟ ମନ୍ଦିରର ସଂରକ୍ଷଣ ଓ ବିକାଶ କାର୍ଯ୍ୟକୁ ଉଦଘାଟନ କରିବେ । ୩ଟି ରାଜପଥ ପାଇଁ ୩୩୧୭.୭୬ କୋଟିର ଶୁଭ ଦେବେ । ମୋଦିଙ୍କ ଏହି ଗସ୍ତ ପାଇଁ ବାରିପଦାର ଛଉ ପଡ଼ିଆଠାରେ ବ୍ୟାପକ ପ୍ରସ୍ତୁତି ଚାଲିଛ । ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ବିଜେପି ନେତାମାନେ ପହଂଚି କ୍ଷେତ୍ର ପରିଦର୍ଶନ କରୁଛନ୍ତି । ମୋଦିଙ୍କ ପାଇଁ ପୁରା ପ୍ରସ୍ତୁତି ଜୋରଦାର ଚାଲିଛି । ବ୍ୟାପକ ଲୋକଙ୍କ ସମାବେଶ ପାଇଁ ମଧ୍ୟ ଉଦ୍ୟମ ହେଉଛି ।
ଏ କ୍ଷେତ୍ରରେ ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ମୋଦି ଗତଥର ଆସିଥିବା ବେଳେ ନବୀନଙ୍କ ନାଁ ନନେଇଥିଲେ ବି ଅନେକ ପ୍ରଶ୍ନ ଉଠାଇଥିଲେ । ଯେଉଁଥିରେ ନବୀନ ପଟ୍ଟନାୟକଙ୍କ ସରକାରର ବିଭିନ୍ନ ଅପାରଗତା ବିଷୟ ଦର୍ଶାଇଥିଲେ । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ବଢ଼ିଥିବା କଥା କହିଥିଲେ । ଓଡ଼ିଶାର ବିକାଶ ହେଉନାହିଁ ବୋଲି ଦର୍ଶାଇଥିଲେ । ସିଧାସଳଖ ନ ହେଲେ ବି ବୁଲେଇ, ବଙ୍କେଇ ନବୀନଙ୍କ ଆଡ଼କୁ ବାଣ ମାରି ଚିଟଫଣ୍ଡ ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଥିବା କଥା କହିଥିଲେ । ଚିଟ ଫଣ୍ଡ ଦୁର୍ନୀତି ଯେଉଁ ଓଡ଼ିଶାରେ ହୋଇଛି ସେଥିପାଇଁ ମଧ୍ୟ ସେ ଏହି ଢ଼ଙ୍ଗରେ ନବୀନଙ୍କୁ ଇସାରା କରିଥିଲେ ।
ଏଥର ମୋଦିଙ୍କ ଗସ୍ତ ପରେ ବିଜେଡି ଧାନର ସହାୟକମୂଲ୍ୟ ବୃଦ୍ଧି ନେଇ ଚାଷୀଙ୍କୁ ଧରି ଦିଲ୍ଲୀରେ ଧାରଣା ଦେବାକୁ ଯାଇଛି । ବିଜେଡିର ଧାରଣା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏଥିରେ ନବୀନ ପ୍ରଥମଥର ପାଇଁ ଧାରଣାରେ ବସିବେ ତାହା ହେଉଛି ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ । ଏକଥା ଯେତେବେଳେ ମୋଦିଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ଖୋଲାଖୋଲି ଭାବେ କହିସାରିଲାଣି ପ୍ରଧାନମନ୍ତ୍ରୀ ନିଶ୍ଚିତ ଏ ବିଷୟରେ ଅବଗତ ହୋଇସାରିଥିବେ । ଏଣୁ ଆସନ୍ତା କାଲି ଆସିବା ପରେ ତାଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ମୋଦି ଯେତେବେଳେ ତାଳଚେର ଓ ଝାରସୁଗୁଡ଼ା ଗସ୍ତରେ ଆସିଥିଲେ ସେତେବେଳେ ନବୀନ ଓ ତାଙ୍କ ସରକାରଙ୍କ ନା’ ଧରି ପୁରା ବର୍ଷିଥିଲେ । କିନ୍ତୁ ଖୋର୍ଦ୍ଧାରେ ସିଧାସଳଖ ନ କହି ବୁଲେଇ ବଙ୍କେଇ କହିଥିଲେ । ଏବେ ଯେତେବେଳେ ମୋଦିଙ୍କ ଆଭିମୁଖ୍ୟ ବିରୋଧରେ ନବୀନ ଯାଇ ଦିଲ୍ଲୀରେ ଛବି ବିଗାଡ଼ିବାକୁ ଉଦ୍ୟମ ରଖିଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଗୁରୁତ୍ୱ ବହୁ ବହନ କରୁଛି । ଏଣୁ ଝାରସୁଗୁଡ଼ା ଓ ତାଳଚେର ଭଳି ବର୍ଷୁଛନ୍ତି ନା ଖୋର୍ଦ୍ଧା ଭଳି ଧୀରେ ଆଉଁସି ଦେଇ ଚାଲିଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

https://www.onakhabar.com/modi-may-contest-from-puri/

Leave A Reply

Your email address will not be published.