OnaKhabar

ଓଡ଼ିଶା ଉପରେ ଏବେ ମୋଦିଙ୍କ ନଜର

76

ଭୁବନେଶ୍ୱର: ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବରିଷ୍ଠ ନେତାଙ୍କ ଫୋକସରେ ଓଡ଼ିଶା । ସେଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଖୋର୍ଦ୍ଧା ସମାବେଶ ପରେ ଜାନୁଆରୀ ୫ ତାରିଖରେ ଉତ୍ତର ଓଡ଼ିଶା ଓ ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମାସକ ଭିତରେ ମୋଦିଙ୍କର ଲଗାତାର ତିନୋଟି ଗସ୍ତକୁ ନେଇ ଏବେ ବିଜେପି ଶିବିର ବେଶ ଉତ୍ସାହିତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଓଡ଼ିଶା ଆସୁଥିବା କୁହାଯାଉଛି । ମିଶନ ୧୨୦ ପ୍ଲସକୁ ସଫଳ କରାଇବା ପାଇଁ ମୋଦି ଓ ଶାହ ପୂରା ଦମରେ ଲାଗିପଡ଼ିଥିବା କଥା ଆଲୋଚନା ହେଉଛି ।
ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ମୟୁରଭଂଜ ଜିଲ୍ଲା ଗସ୍ତରେ ଆସିବେ । ସେଠାରେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ଏକ ଜନସଭାକୁ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ଓଡ଼ିଶାର ଏହି କାର୍ଯ୍ୟକ୍ରମରେ ହେବାକୁ ଯାଉଥିବା ଜନସଭାରେ ବିଶେଷ କରି ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଲୋକସଭା କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଗସ୍ତ ସମୟରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହ ବଲାଙ୍ଗୀରରେ ଏକ ଜନସଭାକୁ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ।