OnaKhabar

ତୁଣ୍ଡ ପାଇଁ ପୁଣି ଗଡିବ ମୁଣ୍ଡ

73

ଭୁବନେଶ୍ୱର: ତୁଣ୍ଡରେ ଲଗାମ ନଦେଇ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଡ. ଦାମୋଦର ରାଉତ ବିଦା ହେବା ପରେ ସେହିଭଳି ଏବେ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଦା ହେବାର ଦ୍ୱାର ଦେଶରେ ପହଞ୍ଚିଛନ୍ତି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଉ ପାଖରେ ପୂରାଉ ନାହାନ୍ତି ବୋଲି ଏକ ଧାରଣା ସୃଷ୍ଟି ହେଲାଣି । ପିପିଲି ପିଡ଼ୀତାଙ୍କ ଘଟଣାରେ କୋର୍ଟ ରଖିଥିବା ରାୟ ଉପରେ ମତ ରଖି ଶ୍ରୀ ମହାରଥୀ ଏବେ ବିବାଦରେ ଫସିଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ଅଧିକ ସୃଷ୍ଟି ହୋଇଛି । ବିଜେପି ଓ କଂଗ୍ରେସ ମହିଳାମାନେ ବିଭିନ୍ନ ଆନ୍ଦୋଳନ ଜାରି ରଖିଛନ୍ତି । ଏପରିକି କେତେକ ସଂଗଠନ ବି ଏନେଇ ସ୍ୱର ଉଠାଇଛନ୍ତି । ମନ୍ତ୍ରୀ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ ବି ସଂଗଠନ ଗୁଡ଼ିକ ତାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି । ଏହି ଦୁଃଖ ପ୍ରକାଶ ସେମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ଅତୀତରେ ଏହି ପିପିଲି ପୀଡ଼ିତାଙ୍କ ଘଟଣା ଯେତେବେଳେ ଘଟିଲା ସେତେବେଳେ ଶ୍ରୀ ମହାରଥୀ ବିବାଦୀୟ ହୋଇପଡ଼ିଥିଲେ । ଶେଷର ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ଏବେ ରାୟ ଆସିବା ପରେ ସମାନ ଅବସ୍ଥା ତାଙ୍କ ପାଇଁ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ଦୂରେଇ ଦେଇଥିବାରୁ ସେ ମନ୍ତ୍ରୀମଣ୍ଡଳରୁ ବାଦ ପଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ପୀଡ଼ିତାଙ୍କ ଘଟଣାରେ ଅପରାଧୀମାନେ ପ୍ରମାଣ ବିନା ଖସିବା ପରେ ଏହାକୁ ନେଇ ଶ୍ରୀ ମହାରଥୀ ଯେଉଁ ମନ୍ତବ୍ୟ ଦେଲେ ତାହା କଟା ଜାଗାରେ ଚୂନ ସଦୃଶ ହେଲା । ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ଓ ସତ୍ୟର ଜୟ ହେଲା ବୋଲି ମହାରଥୀ କହିଥିଲେ । ଏହି ଘଟଣାରେ ଅପରାଧୀ ଖସିବା ପରେ ପୀଡ଼ିତାଙ୍କୁ କିଭଳି ନ୍ୟାୟ ମିଳିଲା ତାହା ବୁଝା ପଡ଼ିଲାନାହିଁ । କେବଳ ଶ୍ରୀ ମହାରଥୀ ହିଁ ବୁଝି ପାରିଲେ । ଯାହାକୁ ନେଇ ଏବେ ଆନ୍ଦୋଳନ ମୁଣ୍ଡ ଟେକିଛି । କଂଗ୍ରେସ ମହିଳାମାନେ ମହରାଥୀଙ୍କ ବାସଭବନ ଘେରାଉ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ବାହାରି ବିକ୍ଷୋଭ କରିଥିଲାବେଳେ ମଙ୍ଗଳବାର ନବୀନ ନିବାସ ଘେରାଉ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ମହିଳା ସଂଗଠନ ମହାରଥୀଙ୍କ ଇସ୍ତଫା ଦାବି କରି ଲମ୍ବା ଆନ୍ଦୋଳନର ତାଲିକା ରଖିଛନ୍ତି ।
ମହିଳା କଂଗ୍ରେସ ପକ୍ଷରୁ ଯେତେବେଳେ ମହାରଥୀଙ୍କ ଘର ଘେରାଉ କରାଗଲା ସେତେବେଳେ ସେ ଏହି ଘଟଣାକୁ ହଲକା ଭାବେ ନେଇ ଉଡ଼ାଇଦେଲେ । କିନ୍ତୁ ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଇଂଜିନିୟରମାନଙ୍କ ଏକ କାର୍ଯ୍ୟକ୍ରମରେ ମହାରଥୀ ଅତିଥି ଥିଲେ । ସେହି ସଭାରେ ନବୀନ ପହଞ୍ଚିବା କ୍ଷଣି ମହାରଥୀଙ୍କ ଉପରେ କିଛି ସମୟ ଧରି ବିରକ୍ତ ହୋଇଥିଲେ । ନବୀନ ଏତେ ରାଗିଥିଲେ ଯେ ସଭାକାର୍ଯ୍ୟ ନସରୁଣୁ ତାଙ୍କ ଭାଷଣ ପରେ ଚାଲି ଆସିଥିଲେ । ବୋଧହୁଏ ମହାରଥୀଙ୍କ ସହ ବସିବା ପାଇଁ ସେ ଚାହୁଁ ନଥିଲେ । ଏହି କାର୍ଯ୍ୟକ୍ରମରୁ ଫେରି ମହାରଥୀ ରଖିଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ । ହେଲେ ତାଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ବଦଳରେ ନବୀନଙ୍କ ନାରୀ ଶସକ୍ତି କରଣ ଓ ବିକାଶକୁ ନେଇ ମହିଳା ସଂଗଠନ ଗୁଡ଼ିକ ପ୍ରଶ୍ନ ଉଠାଇଲେ ।
ସୋମବାର କାଳିଆ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଭାବରେ ଯୋଜନାର ମୁଖ୍ୟ ବିଭାଗ ହୋଇଥିବାରୁ ଶ୍ରୀ ମହାରଥୀ ଉପସ୍ଥିତ ରହିବା କଥା । କିନ୍ତୁ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଅଫିସରଙ୍କ ଗହଣରେ କାର୍ଯ୍ୟକ୍ରମର ଶୁଭ ଦେଇଥିଲେ । ଶ୍ରୀ ମହାରଥୀଙ୍କ ଏହି ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ସହ ବସିବା ପାଇଁ ଚାହୁଁ ନାହାନ୍ତି । କୁହାଯାଉଛି କାର୍ଯ୍ୟକ୍ରମକୁ ନଆସିବା ପାଇଁ ଶ୍ରୀ ମହାରଥୀଙ୍କୁ କୁଆଡେ ଜଣାଇ ଦିଆଯାଇଥିଲା । ଏପରିକି ଅଡୁଆ ପରିସ୍ଥିତିର ସମ୍ମୁଖୀନ ନହେବା ପାଇଁ ମୁଖ୍ୟମନ୍ତ୍ରୀ ବାହାରେ କାର୍ଯ୍ୟକ୍ରମକୁ ମଧ୍ୟ ନିଜକୁ ଦୂରେଇ ରଖିଛନ୍ତି । ଆଇନଜୀବୀ ସମ୍ମିଳନୀ ଓ ଆମ ସହରରେ ଏଲଇଡି ଲାଇଟ ଲାଗିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦେବାକୁ ଥିଲେ ମଧ୍ୟ ଗଲେ ନାହିଁ । କାଳେ କୌଣସି କାର୍ଯ୍ୟକ୍ରମରେ କିଛି ଅପ୍ରୀତିକର ପରିସ୍ଥିତି ବିରୋଧୀଙ୍କ ପକ୍ଷରୁ ସୃଷ୍ଟି ହୋଇପାରେ ବା ଗଣମାଧ୍ୟମ ଏନେଇ କୌଣସି ପ୍ରଶ୍ନ କରିପାରନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜକୁ ଦୂରେଇ ରଖିଥିବା କଥା କୁହାଯାଉଛି । ମହାରଥୀଙ୍କ ମନ୍ତବ୍ୟ ସବୁବେଳେ ସରକାରଙ୍କୁ ଅଡୁଆରେ ପକାଉଛି । ଦାମଙ୍କ ଭଳି ସେ ମଧ୍ୟ ତୁଣ୍ଡରେ ଲଗାମ ନଦେଇ ସମସ୍ୟା ସୃଷ୍ଟି କରୁଥିବାରୁ ନବୀନ ତାଙ୍କୁ ଖୁବଶୀଘ୍ର ଦୂରେଇ ଦେଇପାରନ୍ତି ବୋଲି ଚାରିଆଡ଼େ ଏବେ ଆଲୋଚନା ଚାଲିଛି ।

https://www.onakhabar.com/maharathi-beg-apology-on-pipili-issue/