OnaKhabar

ବାପ-ପୁଅଙ୍କ ଲଢ଼େଇ

0 19

ଭୁବନେଶ୍ୱର: ପାରାଦୀପରେ ବାପ-ପୁଅଙ୍କ ଭିତରେ ଲଢ଼େଇ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ବାପ-ପୁଅଙ୍କ ରାଜନୀତି କେବଳ ପାରାଦୀପ ନୁହେଁ ପୁରା ଜଗତସିଂହପୁର ଜିଲ୍ଲାକୁ ପ୍ରଭାବିତ କରିବାରେ ଲାଗିଛି । ଚର୍ଚ୍ଚାରେ ଥିବା ଏହି ବାପ-ପୁଅ ହେଉଛନ୍ତି ଡ. ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ । ନୂଆବର୍ଷକୁ ଅଭିନନ୍ଦନ ଜଣାଇବା ପାଇଁ ଏବେ ପାରାଦୀପ ଅଂଚଳରେ ବାପ-ପୁଅଙ୍କ ଅଲଗା ଅଲଗା ବ୍ୟାନର ଲଗାଯାଇଛି । ଦୁଇ ଜଣଙ୍କର ବ୍ୟାନର ପୁଣି ପାଖାପାଖି ରହିଛି । ଡ. ରାଉତ ଗୋଟେ ପଟେ କହିଆସୁଛନ୍ତି ତାଙ୍କ ପୁଅ ଅଶୋକ ଦାସ ଓ କଳ୍ପତରୁ ଦାସଙ୍କ ପୁଅ ଭଳି ନୁହଁନ୍ତି । କିନ୍ତୁ ଡ. ରାଉତଙ୍କ ପୁଅ ତାଙ୍କଠାରୁ ଅଲଗା ହୋଇ ରାଜନୀତି ଆରମ୍ଭ କରିଛନ୍ତି । ବାପାଙ୍କ ସହ ଯୋଡ଼ି ହୋଇ ନିଜର ରାଜନୈତିକ ଭବିଷ୍ୟତକୁ ଅନ୍ଧକାର କରିବା ପାଇଁ ପୁଅ ଚାହୁଁନାହାନ୍ତି । ସେଥିପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଏବଂ ବିଜେଡିରେ ସେ ଅଛନ୍ତି ବୋଲି ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟାନର ଲଗାଇଛନ୍ତି ।
ଚର୍ଚ୍ଚାରେ ଥିବା ଏହି ବାପ-ପୁଅଙ୍କ ବ୍ୟାନରରେ ଗୋଟିଏ ଜିନିଷ ଏକାଠି ଅଛି । ଡ. ରାଉତଙ୍କ ବ୍ୟାନରରେ ବିଜୁ ପଟ୍ଟନାୟକ ରହିଛନ୍ତି । ପୁଅର ବ୍ୟାନରରେ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଅଛନ୍ତି ଏବଂ ସେ ବିଜେଡିର ବୋଲି ଜାଣିବା ପାଇଁ ଶଙ୍ଖ ଚିହ୍ନକୁ ରଖିଛନ୍ତି । ଉଭୟଙ୍କ ବ୍ୟାନରରେ ବିଜୁ ପଟ୍ଟନାୟକ ସ୍ଥାନ ପାଇଛନ୍ତି । ଏପରିକି ବାପ-ପୁଅ ନିଜ ନିଜ ବ୍ୟାନରରେ ଛିଡ଼ା ହୋଇ ରହିଛନ୍ତି । ବାପଙ୍କ ବ୍ୟାନରରେ ଲେଖାଯାଇଛି ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଗୁରୁଜନ ଭାଇ ଓ ଭଉଣୀମାନଙ୍କୁ ନୂତନ ବର୍ଷ ୨୦୧୯ର ଅଭିନନ୍ଦନ । ପାରାଦୀପର ସ୍ୱାଭିମାନ ପୁଣି ଏକ ଲଢ଼େଇ । ଡ. ଦାମୋଦର ରାଉତ ବିଧାୟକ । ପୁଅର ବ୍ୟାନରରେ ଲେଖାଯାଇଛି ପାରାଦୀପ ନିର୍ବାଚନମଣ୍ଡଳୀର ସମସ୍ତ ଗୁରୁଜନ ଭାଇ ଓ ଭଉଣୀମାନଙ୍କୁ ନୂତନ ବର୍ଷ ୨୦୧୯ର ଅଭିନନ୍ଦନ । ସମ୍ବିତ ରାଉତରାୟ (ବାପି) ରାଜ୍ୟ ସଂପାଦକ, ବିଜୁ ଜନତା ଦଳ । ଏହି ବ୍ୟାନର ଗଣମାଧ୍ୟମକୁ ଆସିଲା ପରେ ଚର୍ଚ୍ଚା ଜୋର ଧରିଛି । ଉଭୟ ପାରାଦୀପ ଗୁରୁଜନ ଭାଇ ଓ ଭଉଣୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାହିଁଛନ୍ତି ।
ଡ. ରାଉତ ସକାଳୁ ସନ୍ଧ୍ୟା ନବୀନ ପଟ୍ଟନାୟକଙ୍କୁ ଗାଳି କରି ଚାଲିଥିଲାବେଳେ ପୁଅ ସମ୍ବିତ ନବୀନଙ୍କ ପଛେ ପଛେ ରହିବା ପାଇଁ ଚାହୁଁଛନ୍ତି । ବିଜେଡି ସଙ୍ଗଠନ ସହ ସମ୍ବିତ ଜଡିତ ହେବାକୁ ଉଦ୍ୟମ ଜାରି ରଖିଛନ୍ତି । ବାପାଙ୍କ ସହ ନରହି ତାଙ୍କ ନିଜ ରାଜନୈତିକ ଭବିଷ୍ୟତ ଗଢ଼ିବା ପାଇଁ ବିଜେଡିରେ ରହିବାକୁ ଚେଷ୍ଟା ଚଳାଇଛନ୍ତି । ଡ. ରାଉତ ପାରାଦୀପରୁ ପୁଣି ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି । ଏକ୍ଷେତ୍ରରେ ବିଜେଡି ସମ୍ବିତଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହୁଁ ନାହିଁ । ବୋଧହୁଏ ସମ୍ବିତ ପ୍ରାର୍ଥୀ ହେଲେ ଡ. ରାଉତ ଜିତି ଯାଇପାରନ୍ତି । ସେଥିପାଇଁ ଦଳ ସମ୍ବିତଙ୍କ ବଦଳରେ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି । କିନ୍ତୁ ସମ୍ବିତଙ୍କ ଇଚ୍ଛା ସେ ପାରାଦୀପରୁ ଲଢ଼ିବେ । ହେଲେ ଦଳ ପାରାଦୀପ ପାଇଁ ତାଙ୍କୁ ପ୍ରାଜେକ୍ଟ କରୁନି । ଦେବାଶିଷଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାର ସୂଚନା ଦେବାରେ ଲାଗିଛି ଦଳ । ଏକ୍ଷେତ୍ରରେ ବାପ-ପୁଅ ଲଢ଼େଇ କେତେ ଦୂର ଆଗକୁ ଯାଉଛି ତାହା ଭବିଷ୍ୟତ କହିବ । ଆସନ୍ତା ନିର୍ବାଚନରେ ଯଦି ସମ୍ବିତଙ୍କୁ ଦଳ ପ୍ରାର୍ଥୀ ନକରେ ସେ ଦେବାଶିଷଙ୍କ ପାଇଁ ବାପାଙ୍କ ବିରୋଧରେ ପ୍ରଚାର କରିବାକୁ କେତେଦୂର ଆଗଭର ହେବେ ତାହା ବଡ଼ ପ୍ରଶ୍ନ ବୋଲି କୁହାଯାଉଛି । କାରଣ ବାପାଙ୍କ ସହ ରହି ସମ୍ବିତ ନିଜର ସଂଗଠନ ମଧ୍ୟ ସେଠାରେ ସୃଷ୍ଟି କରିଛନ୍ତି । ସମ୍ବିତଙ୍କ ବିନା ଇସାରାରେ ସେମାନେ ଦେବାଶିଷଙ୍କୁ ସମର୍ଥନ କେତେଦୂର ଦେବେ ତାହା ମଧ୍ୟ ସନ୍ଦେହ ରହିଛି ବୋଲି ଆଲୋଚନା ହେଉଛି ।

https://www.onakhabar.com/dr-rout-has-given-most-important-remark/

Leave A Reply

Your email address will not be published.