OnaKhabar

ସୌମ୍ୟଙ୍କୁ ଦାମଙ୍କ ସିଧା କଟାକ୍ଷ

56

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଓ ନେତା ଭାବେ ଡା. ଦାମୋଦର ରାଉତ ବେଶ ପରିଚିତ । ବିଜେଡିରୁ ବିଦା ହେବା ପରେ ଓ ନୂଆ ଦଳ ଗଠନ କରି ସେଥିରୁ ଦୂରେଇ ଯିବା ପରେ ଏବେ କକ୍ଷଚୁକ୍ତ ତାରକା ଭଳି ବୁଲୁଛନ୍ତି । କିନ୍ତୁ ତାଙ୍କ ସାଣିତ ମତ ଓ ବକ୍ତବ୍ୟ ଏବେ ବି ଜାରି ରହିଛି । ଡ. ରାଉତ ଏବେ ନେତାମାନେ କିଭଳି ଫାଇଦା ପାଇଁ ସ୍ଥଳ ବିଶେଷରେ ମତ ପରିବର୍ତ୍ତନ କରନ୍ତି ସେ ବିଷୟ ଉଲ୍ଲେଖ କରିବାକୁ ଯାଇ ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବା ସହ କଟାକ୍ଷ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୌମ୍ୟ ବାବୁଙ୍କ ଟିଭି ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଅତିଥିଭାବେ ଡ. ରାଉତଙ୍କୁ ଡକାଯାଇଥିଲା । ତାଙ୍କରି ସ୍ଥାନରେ ତାଙ୍କରି ଲୋକଙ୍କ ସାମ୍ନାରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଲା ବେଳେ ଡ. ରାଉତ ସିଧା ସବୁ ଲୋକଙ୍କ ଆଗରେ ସୌମ୍ୟରଂଜନ କିଭଳି ଭାବରେ ତାଙ୍କ ନୀତି ଓ ଆଦର୍ଶକୁ ରାଜନୀତି ପାଇଁ ପଦଦଳିତ କରିଛନ୍ତି ତାହା ସେ ଉଲ୍ଲେଖ କରିଥିଲେ । ରାଜ୍ୟ ରାଜନୀତିର ଚାଣକ୍ୟ ଭାବେ ପରିଚିତ ଥିବା ସ୍ୱର୍ଗତ ଡ. ହରେକୃଷ୍ଣ ମହତାବ କହିଥିବା ଏକ କଥାକୁ ଆଧାର କରି ଡ. ରାଉତ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅତି କଦର୍ଯ୍ୟ ଭାବରେ ସମାଲୋଚନା କରିଛନ୍ତି । ରାଜନୀତି ପାଇଁ ବା ବିଜେଡିକୁ ଆସି ସାଂସଦ ହେବା ପାଇଁ ସୌମ୍ୟ ବାବୁ ସବୁକିଛି ଭୁଲି ଯାଇଛନ୍ତି । ୧୮ବର୍ଷ ଧରି ଯେଉଁ ମୁଖ୍ୟମନ୍ତ୍ରୀ ଓ ବିଜେଡିର କାର୍ଯ୍ୟଧାରା ବିରୋଧରେ ତାଙ୍କ ଗଣମାଧ୍ୟମରେ ମତ ରଖିଆସୁଥିଲେ ଏବଂ କହି ଆସୁଥିଲେ ଏବେ ସେ ସଂପୂର୍ଣ୍ଣ ଓଲଟି ଯାଇଛନ୍ତି । ସେହି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ସଫଳ କାହାଣୀ ପ୍ରସାର କରିବା ପାଇଁ ଆଗେଇ ଆସିଛନ୍ତି ଓ ଦଳୀୟ ଲୋକଙ୍କୁ ମଧ୍ୟ ପ୍ରବର୍ତ୍ତାଉଛନ୍ତି । ଏଭଳି ତଳସ୍ତରକୁ ଖସି ହୀନ ରାଜନୀତି କରିବାକୁ ସେ ଚାହାଁନ୍ତି ନାହିଁ । ମରିଯିବେ ପଛେ ଏତେ ତଳସ୍ତରକୁ ଖସି ପାରିବେ ନାହିଁ । ଓଡ଼ିଶାରେ ବର୍ତ୍ତମାନ ସରକାରରେ ଯେଉଁ ଦୁର୍ନୀତି, ଅନ୍ୟାୟ ଓ ଭ୍ରଷ୍ଟାଚାର ଚାଲିଛି ତାହା ବିରୋଧରେ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିବେ ବୋଲି ଖୋଲାଖୋଲି କହିଛନ୍ତି ।
କନକ ଟିଭି ଚ୍ୟାନେଲରେ ଡ. ରାଉତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ତମ ମାଲିକ (ସୌମ୍ୟରଂଜନ ପଟ୍ଟନାୟକ) କହୁଥିଲେ ଡ. ରାଉତ ଆମ ଟିଆରପି ବଢ଼ାଉଛନ୍ତି । ସବୁବେଳେ କହୁଥିଲେ । ସେ ୧୮ବର୍ଷ କାଳ ଏବେ ମୁଁ ଯାହା କହୁଛି, ସେୟା କହୁଥିଲେ । ହଠାତ କେମିତି ଓଲଟା କଥା କହିଲେ । କାଲି ବି କହିଛନ୍ତି ଓଡ଼ିଶାର ବିକାଶ କଥା ନେଇ ଲୋକଙ୍କ ପାଖରେ ପହଞ୍ଚାଅ । ଡ. ହରେକୃଷ୍ଣ ମହତାବ ଯେତେବେଳେ ବଞ୍ଚିଥିଲେ ସେ ଥରେ ଥଟ୍ଟାରେ କହିଲେ ସ୍ଥଳ ବିଶେଷରେ ମତ ପରିବର୍ତ୍ତନକୁ ରାଜନୀତି କୁହାଯାଏ । ବର୍ତ୍ତମାନ ସେଇ କଥାଟା ପ୍ରମାଣ ହେଲା ସ୍ଥଳ ବିଶେଷରେ ରାଜନୀତି କଲେ ଲାଭ ମିଳିଥାଏ । ସ୍ଥଳ ବିଶେଷରେ ମତ ପରିବର୍ତ୍ତନ କରିବାର ମୋର ଅଭିପସା ନାହିଁ । କେବେ କରିନାହିଁ କି କରିବି ନାହିଁ । ଗୋଟିଏ ମିଶନ ଅଛି ଦୁର୍ନୀତି, ଭ୍ରଷ୍ଟାଚାର ବିଷ ବଳୟ ଭିତରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଆବଶ୍ୟକ ପଡ଼ିଲେ ଦଧିଚି ଭଳି ଅସ୍ଥି ଦାନ କରିବି ବୋଲି ସେ କହିଛନ୍ତି । । ଏଥିସହ ଡ.ରାଉତ ଏହି ଅବସରରେ ତାଙ୍କ ସହଯୋଗୀ ବିଜୁ ଅନୁଗାମୀ ମାନଙ୍କୁ ନୂଆ ଦଳ ଗଠନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କୌଣସି ପଦ ପଦବୀରେ ରହିବାକୁ ଚାହୁଁ ନାହାନ୍ତି । କିନ୍ତୁ ସେ ସହଯୋଗ କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି । ଡ. ରାଉତ କହିଛନ୍ତି ‘ମୋର ସହଯୋଗୀ ମାନଙ୍କୁ ଓ ବନ୍ଧୁମାନଙ୍କୁ ମୁଁ ଅପେକ୍ଷା କରିଛି । ତାଙ୍କ ବିବେକକୁ ପଚାରି ନିଷ୍ପତ୍ତି ନିଅନ୍ତୁ, ମୁଁ କ’ଣ କହିବି । ମୁଁ କିଛି ହେବାକୁ ଚାହୁଁନି ।’

https://www.onakhabar.com/dr-rout-has-given-most-important-remark/