OnaKhabar

ଚାଷୀଙ୍କ ଘରେ କଳା କନା ବୁଲାଇବା ପରେ ‘କାଳିଆ’ର ସାହାରା ନେଉଛନ୍ତି କଳାପାହାଡ଼ମାନେ: ବିଜେପି

460

ଭୁବନେଶ୍ୱର : ଓଡ଼ିଆ ଚାଷୀଙ୍କ ଘରେ କଳା କନା ବୁଲାଇବା ପରେ ‘କାଳିଆ’ର ସାହାରା ନେଉଛନ୍ତି କଳା ପାହାଡ଼ମାନେ ବୋଲି ରାଜ୍ୟରେ କାଳିଆ ଯୋଜନା ଉଦ୍ଘାଟନ ଅବସରରେ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଯଦି କୃଷକଙ୍କ ପାଇଁ ଆନ୍ତରିକତା ଥାନ୍ତା ତାହାହେଲେ ବଜେଟରେ ବା ପରେ ଅତିରିକ୍ତ ବଜେଟରେ ବ୍ୟୟବରାଦ କରି ଚାଷୀଙ୍କ ପାଇଁ ଯୋଜନା ତିଆରି କରାଯାଇପାରିଥାନ୍ତା । ତାହା ନକରି ଏବେ କଂଟିଜେନ୍ସ ଫଣ୍ଡରୁ ଅର୍ଥ ଆଣି ଯୋଜନା ଚଲାଇବାର ଅର୍ଥ କେବଳ ତରବରିଆ ଭାବେ ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଦୂର ଦୃଷ୍ଟି ବିହୀନ ପଦକ୍ଷେପ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 ବଜେଟ୍ ବା ଅତିରିକ୍ତ ବଜେଟ୍ ବଦଳରେ କଂଟିଜେନ୍ସି ଫଣ୍ଡ ବ୍ୟବହାର ଏକ ତରବରିଆ ପଦକ୍ଷେପର ପ୍ରମାଣ
 ଭାଗଚାଷୀ ଚିହ୍ନଟ ହୋଇନଥିବାବେଳେ ଏହି ଯୋଜନା ଚିଠା ଲେଖି ପିଠା ଖାଇବା ସଦୃଶ୍ୟ
 ଯୋଜନା କ୍ରିୟାନ୍ୱୟନ ପାଇଁ ଗାଇଡ଼୍ ଲାଇନ୍ରେ ସ୍ପଷ୍ଟତା ନାହିଁ

ରାଜ୍ୟରେ ୭୦ ଲକ୍ଷ ଚାଷୀ ପରିବାର ଥିବାବେଳେ ଅଧାରୁ କମ୍ ପରିବାରକୁ ଏହି ଯୋଜନାରେ ସାମିଲ ପାଇଁ କାହିଁକି ସରକାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ଭାଗଚାଷୀ ଚିହ୍ନଟ ହୋଇନାହାଁନ୍ତି । ଯୋଜନା କ୍ରିୟାନ୍ୱୟନ ପାଇଁ ଗାଇଡ଼୍ ଲାଇନ୍ରେ ସ୍ପଷ୍ଟତା ନାହିଁ । ଏହି ଯୋଜନାର ଲାଭ ପ୍ରକୃତ ଚାଷୀକୁ ଯିବ ନା ରାଜନୈତିକ ସ୍ୱାର୍ଥ ପାଇଁ ଦଳୀୟ ଆଧାରରେ ଚିଠା କରି ପିଠା ଖାଇଦେବାର ଷଡ଼ଯନ୍ତ୍ର ଏହାର ଜବାବ ଓଡ଼ିଶା ଚାଷୀ ମାଗୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ମିଥ୍ୟା ତଥ୍ୟର ସୌଦାଗର ନବୀନ ପଟ୍ଟନାୟକ ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିବାର ମିଛ ଦାବି କରିଥିବାବେଳେ ଓଡ଼ିଆ ଚାଷୀଙ୍କ ରୋଜଗାର ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ଚାଷ ଜମିରେ ଜଳସେଚନ ପହଂଚିନି, ଶୀତଳ ଭଣ୍ଡାର ନାହିଁ, କୃଷିଜାତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟ ମିଳୁନି, ମିଲର ଏବଂ ସରକାର ମଧୁଚନ୍ଦ୍ରିକାରେ ମଣ୍ଡି ଖୋଲୁନି ଯେଉଁଥିପାଇଁ ଚାଷୀ ଆଜି ହତାସ ଅବସ୍ଥାରେ ଅଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ମାସ ଧରି କାଳିଆ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଇବାବୁ ଏଭଳି ସରକାରୀ ଯୋଜନା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟପାଳଙ୍କୁ ଭେଟି ଅବଗତ କରାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।