OnaKhabar

ଜାନୁଆରୀ ୨୩ରୁ ୨୬ ସର୍ବଭାରତୀୟ ମୂତ୍ରରୋଗ ଶଲ୍ୟ ଚିକିତ୍ସକ ସମ୍ମିଳନୀ: ଉନ୍ମୋଚିତ ହେଲା ୟୁସିକନ-୧୯ର ଲୋଗ

402

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ମୂତ୍ର ରୋଗ ଶଲ୍ୟ ଚିକିତ୍ସକ ସମ୍ମିଳନୀ । ଏହା ଆସନ୍ତା ଜାନୁଆରୀ ୨୩ରୁ ୨୬ ତାରିଖଯାଏଁ ଚାଲିବ । ୟୁରୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଜାତୀୟ ସମ୍ପାନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଓ ବିଦେଶରୁ ୩ ହଜାରରୁ ଅଧିକ ମୂତ୍ରରୋଗ ଶଲ୍ୟ ଚିକିତ୍ସକ ଯୋଗ ଦେବେ । ସୋଆ ବିଶ୍ୱବିଦ୍ୟାଳୟ କନଭେନସନ ସେଣ୍ଟରଠାରେ ହେବାକୁ ଥିବା ଏହି ସମ୍ମିନଳୀ ପାଇଁ ଆୟୋଜକ ସୋସାଇଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ “ୟୁସିକନ୍-୧୯”ର ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟାରେ ସୋସାଇଟିର ବରିଷ୍ଠ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଲୋଗୋ ଉନ୍ମୋଚନ କରିଥିଲେ । ୟୁସିକନ୍ର ବରିଷ୍ଠ କର୍ମକର୍ତ୍ତା ବ୍ରିଗେଡିୟର୍ ଡା. ବାସୁଦେବ ରାଉତରାୟ, ଡା. ସତ୍ୟ ନାରାୟଣ ପଣ୍ଡା, ଡା. ଲକ୍ଷ୍ମୀକାନ୍ତ ସାହୁ, ଡା. ଦତ୍ତେ୍ୱଶ୍ୱର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।


୨୦ ବର୍ଷ ତଳେ ୧୯୯୯ ମସିହାରେ ପ୍ରଥମଥର ପାଇଁ ଏହି ମର୍ଯ୍ୟାଦାଜନକ ସର୍ବଭାରତୀୟ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହୋଇଥିଲା । ଏଥର ରାଜ୍ୟରେ ଦ୍ୱିତୀୟବାର ହେଉଥିବା ସମ୍ମିଳନୀର ଥିମ୍ ବା ଶୀର୍ଷକ ରଖାଯାଇଛି “ସାଧାରଣ ଲୋକଙ୍କ ସେବା ଓ ଉପକାରରେ ଆଧୁନିକ ମୂତ୍ର ରୋଗ ଶଲ୍ୟ ଚିକିତ୍ସା” । ସମ୍ମିଳନୀରେ ମୂତ୍ର ରୋଗ ଶଲ୍ୟ ଚିକିତ୍ସାର ସର୍ବାଧୁନିକ ପଦ୍ଧତି ସମ୍ପର୍କରେ ଆଲୋଚନା କରାଯିବା ସହ ନୂଆ ଗବେଷଣା ବାବଦରେ ସନ୍ଦର୍ଭ ପାଠ କରାଯିବ । ଏଥିସହ ବର୍ତ୍ତମାନ ଦେଶବ୍ୟାପୀ ମୂତ୍ର ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ଅତ୍ୟାଧୁନିକ ଚିକିତ୍ସା ସୁବିଧା କିପରି ସାଧାରଣ ଲୋକଙ୍କ ନିକଟରେ ସହଜରେ ଉପଲବ୍ଧ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ । ସମ୍ମମିଳନୀରେ ରୋବୋଟିକ, ଲାପ୍ରୋସ୍କୋପିକ୍, ଏଣ୍ଡୋସ୍କୋପିକ୍ ଆଦି ମୂତ୍ରରୋଗ ଚିକିତ୍ସାର ଅତ୍ୟାଧୁନିକ ପଦ୍ଧତି ଓ ଯନ୍ତ୍ରପାତିର ପ୍ରଦର୍ଶନ ନିମନ୍ତେ ଏକ ଟ୍ରେଡ ଫେୟାର ମଧ୍ୟ କରାଯାଉଛି ବୋଲି ୟୁନିକନ୍-୧୯ର ଅର୍ଗାନାଇଜିଂ ସେକ୍ରେଟାରୀ ପ୍ରଫେସର ଡା. ଦତ୍ତଶ୍ୱର ହୋତା ସୂଚନା ଦେଇଛନ୍ତି ।