OnaKhabar

ମହାରଥୀଙ୍କ ଉପରେ ନବୀନ କ୍ଷୁବ୍ଧ

80

ଭୁବନେଶ୍ୱର: ପିପିଲି ଦୁଷ୍କର୍ମ ପୀଡ଼ିତାଙ୍କ ମାମଲାରେ କୋର୍ଟଙ୍କ ରାୟ ଭିତ୍ତିରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ରଖିଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ମହାରଥୀଙ୍କ ସବୁ ଘଟଣାରେ ହାଲୁକା ମନ୍ତବ୍ୟ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପାଇଁ ବେଶ ଅଡୁଆ ପରିସ୍ଥିତି ଦେଖାଦେଇଛି । ମନ୍ତ୍ରୀଙ୍କ ମନ୍ତବ୍ୟ ସୋଶାଲ ମିଡ଼ିଆରେ ଭାଇରାଲ ହେବା ସହ ବିରୋଧୀ ଦଳର ମହିଳା ସଙ୍ଗଠନ ଓ ସାମାଜିକ ସଙ୍ଗଠନଗୁଡ଼ିକ ସ୍ୱର ଉଠାଇବା ପରେ ମୁଖ୍ୟମନ୍ତ୍ରୀ ଏ ନେଇ ଚିନ୍ତାରେ ପଡ଼ିଛନ୍ତି । କୁହାଯାଉଛି ନବୀନ ଏ ନେଇ ମହାରଥୀଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ଏପରି କି ତାଙ୍କୁ ତାଗିଦ କରିଥିବା କଥା ମଧ୍ୟ ଆଲୋଚନା ହେଉଛି । ନବୀନଙ୍କ ତାଗିଦା ପରେ ମହାରଥୀ ଗତକାଲି ରାତିରେ ରଖିଥିବା ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି । ହେଲେ ମହିଳା ସଙ୍ଗଠନମାନେ ତାଙ୍କ ବହିଷ୍କାର ଦାବିରେ ଅଡ଼ିବସିଛନ୍ତି । ଆଗକୁ ଆନ୍ଦୋଳନ ଜୋରଦାର କରିବେ ବୋଲି ଧମକ ଦେଇଛନ୍ତି । ମହାରଥୀଙ୍କ ଦୁଃଖ ପ୍ରକାଶ ପରେ ଓ କ୍ରାଇବ୍ରାଞ୍ଚ ତଳକୋର୍ଟର ରାୟ ବିରୋଧରେ ହାଇକୋର୍ଟକୁ ଯିବ ବୋଲି ଘୋଷଣା କରିବା ପରେ ମଧ୍ୟ ବିରୋଧୀଦଳ ଓ ମହିଳା ସଙ୍ଗଠନ ସନ୍ତୁଷ୍ଟ ହୋଇନାହାଁନ୍ତି । ସେମାନଙ୍କର ଦାବି ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା କରନ୍ତୁ । ହେଲେ ଅସନ୍ତୁଷ୍ଟ ନବୀନ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି ।


କୁହାଯାଉଛି ନବୀନ ରାଗୀ ନ ଥିଲେ ମହାରଥୀ କେବେହେଲେ ଦୁଃଖ ପ୍ରକାଶ କରି ନଥାନ୍ତେ । ଅତୀତରେ ମଧ୍ୟ ସେ ଏହିଭଳି ମତ ରଖି ଦୁଃଖ ପ୍ରକାଶ କରିଛନ୍ତି ଓ ଏହି ପିପିଲି ଘଟଣାରେ ମନ୍ତ୍ରୀପଦ ମଧ୍ୟ ହରାଇଛନ୍ତି । ତଥାପି ସେ ତାଙ୍କର ସ୍ୱଭାବ ପରିବର୍ତ୍ତନ କରୁନାହାଁନ୍ତି । ମହିଳାଙ୍କ ସମ୍ପର୍କରେ ମାପିଚୁପି ମତ ରଖିôବା ବଦଳରେ ସବୁବେଳେ ନାଟକବାଜି କରିବା ଦ୍ୱାରା ନିଜେ ଅଡୁଆରେ ପଡୁଛନ୍ତି ସେଥିରେ ସରକାର ମଧ୍ୟ ଅସୁବିଧାରେ ପଡୁଛନ୍ତି । ଏବେ ନବୀନ ସମଗ୍ର ଦେଶରେ ମହିଳାଙ୍କ ସଂରକ୍ଷଣ କଥା ଉଠାଇ ଏକ ଶୀର୍ଷସ୍ଥାନରେ ରହିଛନ୍ତି । ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟାତ ଦେବା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ସେ ମହିଳାଙ୍କ ଉତଥାନ ପାଇଁ କାର୍ଯ୍ୟ କରୁଥିଲା ବେଳେ ତାଙ୍କର ଜଣେ କ୍ୟାବିନେଟ ସହଯୋଗୀ ମହିଳାଙ୍କ ଦୁଃଖରେ ସମବେଦନା ଜଣାଇବା ବଦଳରେ ତାତ୍ସଲ୍ୟକରି ମତ ରଖିବା ଘଟଣା ନବୀନଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ଏ ନେଇ ବିଜେପି- କଂଗ୍ରେସ ମହିଳାମାନେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି । କୁହାଯାଉଛି ଏ ସବୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ଏକ ସଭାରେ ମହାରଥୀଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ଗତକାଲି ଡିପ୍ଲୋମା ଇଂଜିନିୟର୍ସ ଆସୋସିଏସନର ପ୍ଲାଟିନମ ଜୁବଲି ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯାଇଥିଲେ । ଶ୍ରୀ ମହାରଥୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । କୁଆଡ଼େ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ପହଂଚୁ ପହଂଚୁ ଆସନରେ ବସିବା ପରେ ମହାରଥୀଙ୍କୁ ଡାକି ବହୁ ସମୟ ଧରି କଣ କହୁଥିବା ଦେଖାଯାଇଥିଲା । କୁହାଯାଉଛି ନବୀନ କେବେହେଲେ ସଭାମଂଚରେ ବସି ଦୀର୍ଘ ସମୟ ଧରି ତାହା ସହ ଆଲୋଚନା କରିବା କେବେ ଦେଖାଯାଇ ନ ଥିଲା । ଗତକାଲି ପୂର୍ବାହ୍ନରେ ବିଜେପି କଂଗ୍ରେସ ମହିଳାମାନେ ମହାରଥୀଙ୍କ ବାସଭବନ ଘେରାଉ କରିଥିଲେ, ଟମାଟୋ ଓ ଅଣ୍ଡା ମାଡ଼ କରିଥିଲେ । ଏଥି ସହିତ ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏଣୁ ଦେଇଥିବା ମନ୍ତବ୍ୟକୁନେଇ ମହାରଥୀ ଫାଙ୍କି ଚାଲିଥିଲେ । ବୋଧହୁଏ ଏହି କାର୍ଯ୍ୟକ୍ରମରେ ନବୀନଙ୍କ ତାଗିଦ ପରେ କାର୍ଯ୍ୟକ୍ରମରୁ ଫେରି ଗଣମାଧ୍ୟମକୁ ଡାକି ଦେଇଥିବା ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିଥିଲେ ।
ନବୀନ ଯେଉଁଭଳି ଭାବରେ ବିରକ୍ତଭାବ ପ୍ରକାଶ କରିଛନ୍ତି, ସେଥିରେ କୁଆଡ଼େ ମହାରଥୀ ବେଶ ଛାନିଆ ହୋଇ ରହିଛନ୍ତି । କାରଣ ପିପିଲି ଗଣଦୁଷ୍କର୍ମ ଘଟଣାରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏପରି ଜଣେ ମହିଳାଙ୍କର ଦୁଇଜଣ ସ୍ୱାମୀ କଥା କହି ବିବାଦରେ ଫସିବା ପରେ ନବୀନଙ୍କ ତାଗିଦ କ୍ରମେ ତାଙ୍କୁ ଭୁଲ ସ୍ୱୀକାର କରିବାକୁ ପଡ଼ିଥିଲା । ବାରମ୍ବାର ସେ ଏଭଳି ମତ ରଖି ସରକାରଙ୍କ ପାଇଁ ବିବାଦ ସୃଷ୍ଟି କରୁଥିବାରୁ ନବୀନ କେତେବେଳେ ଯେ ପୁଣି ଖଣ୍ଡା ଚଳାଇବେ ଓ ମହାରଥୀଙ୍କ ମୁଣ୍ଡ ଗଡ଼ିବ ତାହା କହିହେଉନାହିଁ ବୋଲି ଆଲୋଚନା ହେଉଛି ।

https://www.onakhabar.com/maharathi-issue-but-aparajita-target-government/