OnaKhabar

ଶୀତରେ ଥରୁଛି ରାଜ୍ୟ, ୩ ଯାଏଁ ସ୍ଥିତି ସମାନ ରହିବ

68

ଭୁବନେଶ୍ୱର: ଶୀତର ପ୍ରକୋପରେ ଥରୁଛି ରାଜ୍ୟ | ଗଲା ସପ୍ତାହେ ହେଲା ରାଜ୍ୟରେ ପ୍ରବଳରୁ ପ୍ରବଳ ଶୀତ ଅନୁଭୂତ ହେଉଥିବାର ଦେଖିବାକୁ ମିଳୁଛି । ତେବେ ରାଜ୍ୟର ସବୁଠାରୁ ଅଧିକ ଅନୁଭୂତ ହେଉଥିବା ଜିଲ୍ଲା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଥିବା ବେଳେ କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ରାଜ୍ୟର ଅଧିଂକାଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଶନିବାର ୧୩ଟି ସ୍ଥାନରେ ପାରଦ ୧୧ ଡିଗ୍ରୀ ତଳେ ଥିଲା । ଆସନ୍ତା ୨ରୁ ୩ ଦିନ ଯାଏ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କନ୍ଧମାଳରେ ଏବେ ହାଡ଼ଭଙ୍ଗା ଶୀତ ହେଉଛି । ଘରୁ ବାହାରକୁ ବାହାରିଲେ ଥରି ଉଠୁଛି ଦେହ । ଜିଲ୍ଲା ସଦରମହକୁମା ଫୁଲବାଣୀରେ ୭ ଡିଗ୍ରୀ ଛୁଇଁଛି ପାରଦ । ସେହିପରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରା ୮ ଡିଗ୍ରୀକୁ ଖସି ଆସିଛି । ପ୍ରବଳ କୁହୁଡ଼ି ସାଙ୍ଗକୁ କୋହଲା ପାଗ ଜନଜୀବନକୁ ପ୍ରଭାବିତ କରିଛି । ସନ୍ଧ୍ୟା ହେଲେ ଲୋକେ ଘରେ ନିଆଁରେ ସେକି ହେଉଛନ୍ତି । କୋରାପୁଟରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଦିନ ପ୍ରାୟ ୧୦ଟା ଯାଏ ସହର କୁହୁଡ଼ି ଆଚ୍ଛାଦିତ ହୋଇ ରହୁଛି। ଏପରିକି ରାସ୍ତାରେ ୨ରୁ ୩ ମିଟର ଆଗକୁ କିଛି ଦେଖାଯାଉନାହିଁ । ତେବେ ଏପରି ଶୀତକୁ ଲୋକେ ଯେତିକି ଉପଭୁକ୍ତ ହେଉଛନ୍ତି ସେତିକି ଲୋକେ ଅସହୟ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି |

https://www.onakhabar.com/heavy-cold-in-odisha/