OnaKhabar

ବିଜେଡି ବାଟରେ କଂଗ୍ରେସ କଂଟା

83

ଭୁନନେଶ୍ୱର: ରାଜ୍ୟ ରାଜନୀତିରେ ବିଜେଡି ବାଟରେ ବିଜେପି ନୁହେଁ କଂଗ୍ରେସ ଏବେ କଣ୍ଟା ସାଜିଛି । ବିଶେଷ କରି ଚାଷୀ ପ୍ରସଙ୍ଗକୁ ନେଇ ଯେଉଁଭଳି ଭାବରେ ରାଜନୀତିକ ଲଢ଼େଇ ଆରମ୍ଭ ହୋଇଛି ସେଥିରେ ରାଜ୍ୟର ଏଇ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଭିତରେ ପ୍ରତିଯୋଗିତା ଚାଲିଛି । ଏଥିରେ ବିଜେପି, ବିଜେଡିକୁ ପଛରେ ପକାଇ କଂଗ୍ରେସ ଆଗରେ ରହିଛି । ୩ ରାଜ୍ୟରେ କୃଷି ଋଣ ଛାଡ଼ କରିବା ସହ ଗୋଟିଏ ରାଜ୍ୟରେ ଋଣ ଛାଡ଼ ସହ ସହାୟକ ମୂଲ୍ୟ ବୃଦ୍ଧି କରି କଂଗ୍ରେସ ଚାଷୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏ କ୍ଷେତ୍ରରେ ରାଜ୍ୟ ବିଜେଡି ସରକାର ପାଇଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ବିଜେଡି ମୁଣ୍ଡରେ ଏକ ବଡ଼ଧରଣର ବୋଝ କଂଗ୍ରେସ ଲଦି ଦେଇଛି । ରାଜ୍ୟରେ ୧୯ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ପାଇଁ କଂଗ୍ରେସ ଏବେ ଯେଉଁ କୃଷିଋଣ ଛାଡ଼ ସହ ସହାୟକ ମୂଲ୍ୟ ବୃଦ୍ଧି ପଦକ୍ଷେପ ନେଇଛି ସେ କ୍ଷେତ୍ରରେ ଅନେକ ପ୍ରଶ୍ନ ଉଠିଛି । ଫଳରେ ବିଜେଡି ଏଭଳି ସ୍ଥିତିରେ ଏବେ ପହଂଚିଛି ଋଣ ଛାଡ଼ କଲେ ମଲା ନ କଲେ ବି ମଲା । ଋଣ ଛାଡ଼ ସହିତ ପୁଣି ସହାୟକମୂଲ୍ୟ ବୃଦ୍ଧି କଥା ମଧ୍ୟ ଆସିଯାଇଛି ।

ବିଜେଡି ପାଇଁ ପେନସନ ଭରସା

ବିଜେଡି ଆସନ୍ତା ୮ ତାରିଖରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଦିଲ୍ଲୀ ଯାଉଛି । ଧାନର କ୍ୱିଣ୍ଟାଲ ପିଛା ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ଦାବିରେ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଏବଂ କେନ୍ଦ୍ର ସରକାର ଚାଷୀଙ୍କ କଥା ବୁଝୁନାହାଁନ୍ତି ବୋଲି ଏକ ଧାରଣା ସୃଷ୍ଟି କରିବା ପାଇଁ ଦିଲ୍ଲୀ ଚାଲ ଅଭିଯାନ ଡାକରା ଦିଆଯାଇଛି । ବିଜେଡି ଯେତେବେଳେ ଏହି ଡାକରା ଦେଲା ସେତେବେଳେ ବହୁ ହଇଚଇ ସୃଷ୍ଟି ହେଲା । ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନେଇ ଚିନ୍ତାରେ ପଡ଼ିବେ । ସେତେବେଳେ ନିର୍ବାଚନ ହୋଇଥିବା ୫ ରାଜ୍ୟର ଫଳାଫଳ ଆସି ନ ଥିଲା । ଫଳାଫଳ ଆସିବା ପରେ ୩ ରାଜ୍ୟ କଂଗ୍ରେସ ଅକ୍ତିଆରକୁ ଚାଲିଗଲା । ବିଜେପି ସାଂଘାତିକ ଭାବେ ମାଡ଼ ଖାଇଲା । କେବଳ ଏତିକି ନୁହେଁ କ୍ଷମତା ଡୋରି ଧରୁଧରୁ କଂଗ୍ରେସ କୃଷି ଋଣ ଛାଡ଼ କଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ ହୋଇଛି । ଏଥିସହିତ ଛତିଶଗଡ଼ ସରକାର ଧାନର ସହାୟକ ମୂଲ୍ୟକୁ ୨୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଭଳି ପଦକ୍ଷେପ କଂଗ୍ରେସ କ୍ଷମତାକୁ ଆସୁ ଆସୁ ନେବା ପରେ ୧୯ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ଉପରେ ଦୋଷ ଲଦିବା ପାଇଁ ଯେଉଁ ଦିଲ୍ଲୀ ଡାକରା ଦେଇଛି ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ କେନ୍ଦ୍ର ଉପରେ ଦୋଷ ଲଦିଲେ ହଠାତ ତାକୁ ଗ୍ରହଣ କରିବା ସମସ୍ୟା ହେବ । ଯଦି ଅନ୍ୟ ରାଜ୍ୟମାନେ କରିପାରୁଛନ୍ତି ତେବେ ଓଡ଼ିଶା କାହିଁକି କରିପାରିବନି ବୋଲି ପ୍ରଶ୍ନ ଉଠିଲାଣି । ଅବଶ୍ୟ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପୁଣି କେନ୍ଦ୍ର ଉପରକୁ ଦୋଷ ଠେଲିବାକୁ ଉଦ୍ୟମ କରିଛନ୍ତି । ସହାୟକ ମୂଲ୍ୟ ରାଜ୍ୟମାନେ ବଢ଼ାଇପାରିବେ ନାହିଁ ବୋଲି କେନ୍ଦନ୍ର ସରକାରଙ୍କ ନିର୍ଦ୍ଦେଶନାମା ରହିଥିବା କଥା ଦ୍ୱାହି ଦେଉଛନ୍ତି । କିନ୍ତୁ ଯଦି କେନ୍ଦ୍ରର ନିର୍ଦ୍ଦେଶ ସତ୍ତେ୍ୱ ଅନ୍ୟ ରାଜ୍ୟ ପଦକ୍ଷେପ ନେଇ ପାରୁଛନ୍ତି ତେବେ ଓଡ଼ିଶା କାହିଁକି ନେବନାହିଁ ବୋଲି ମଧ୍ୟ କୁହାଯାଉଛି । ଫଳରେ ବିଜେଡି ବର୍ତ୍ତମାନ ଯାହାବି କଲେ ଅସୁବିଧାରେ ପଡ଼ିବ । ଏହି ସୁଯୋଗକୁ ନେଇ କଂଗ୍ରେସ ମଧ୍ୟ ବିଜେଡିକୁ ଅଡୁଆରେ ପକାଇବା ପାଇଁ ଗୋଟିଏ ପରେ ଗୋଟିଏ ଘୋଷଣା କରିବାରେ ଲାଗିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ବାରମ୍ବାର ଏହି କଥାକୁ ଦୋହରାଇବାରେ ଲାଗିଛନ୍ତି । ଏବେ କହିଲେଣି କ୍ଷମତାକୁ ଆସିବାର ୫ ଘଣ୍ଟା ଭିତରେ ଋଣ ଛାଡ଼ କରିବୁ । କେବଳ ଋଣ ନୁହଁ ଚାଷୀଙ୍କୁ ସୋଲାର ପମ୍ପ ଦେବେ ଓ ୫ ବର୍ଷ ଚାଷ କରିବା ପାଇଁ ଆର୍ôଥକ ସହାୟତା ମଧ୍ୟ ଯୋଗାଇ ଦେବେ । ସାମ୍ବାଦିକ ସମ୍ମିଳନୀ କରି, ଟ୍ୱିଟ କରି ନିରଂଜନ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି ।
ଏ କ୍ଷେତ୍ରରେ ବିଜେଡି ପାଇଁ ଯାହା କହିଲେ ବି ଓ ଯେତେ ସମସ୍ୟା ଦର୍ଶାଇଲେ ମଧ୍ୟ ଲୋକେ ଗ୍ରହଣ କରିବା ନେଇ ସନ୍ଦେହ ଦେଖାଦେଇଛି । ଯଦି ଋଣ ଛାଡ଼ କରୁଛନ୍ତି ତେବେ ରାଜ୍ୟ ଉପରେ ବିପୁଳ ପରିମାଣର ଆର୍ôଥକ ବୋଝ ପଡ଼ିବ । ବର୍ତ୍ତମାନ ରାଜ୍ୟର ଋଣଭାର ପ୍ରାୟ 93 ହଜାର କୋଟି ଟଙ୍କା ରହିଛି । କୃଷି ଋଣ ଯଦି ଛାଡ଼ କରାଯାଏ ଏଥିପାଇଁ ମଧ୍ୟ ହଜାର ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ । ଏଥିସହ ଯଦି ସହାୟକ ମୂଲ୍ୟ ବୃଦ୍ଧି କରାଯାଏ ଓ ଛତିଶଗଡ଼ ଭଳି ୨୫୦୦ ଟଙ୍କା କରାଯାଏ ତେବେ ଏ ବାବଦରେ କୁଇଣ୍ଟାଲ ପିଛା ୭୫୦ ଟଙ୍କା ବଢ଼ାଇବାକୁ ପଡ଼ିବ । ଏ ବାବଦରେ ମଧ୍ୟ ହଜାର ହଜାର କୋଟି ଖର୍ଚ୍ଚ କରିବାକୁ ପଡ଼ିବ । ଏତେ ପରିମାଣର ଅର୍ଥ ଦେବା ସରକାରଙ୍କ ପକ୍ଷେ ସମ୍ଭବପର ନୁହେଁ । ଆଉ ଯଦି ଏହି ସହାୟତା ଦିଆ ନଯାଉଛି ତେବେ ଆଗାମୀ ନିର୍ବାଚନରେ ଦଳ ପାଇଁ ସମସ୍ୟା ହୋଇପାରେ ବୋଲି କୁହାଯାଉଛି । ଏଣୁ ଋଣ ଛାଡ଼ କଲେ ଅଡୁଆରେ ଓ ନ କଲେ ବି ଅଡୁଆରେ ।

ଏ କ୍ଷେତ୍ରରେ ସରକାରଙ୍କ ପାଇଁ ଏହି ସମସ୍ୟାର ସମାଧାନ ନିମନ୍ତେ ସବୁଠାରୁ ସୁବିଧା ଜନକ ହେଉଛି ଚାଷୀଙ୍କ ଲାଗି ପେନସନ ଘୋଷଣା କରିବା । ଅଳ୍ପ ପରିମାଣର ପେନସନ ଘୋଷଣା କରି ଏ ସମସ୍ୟାରୁ ମୁକ୍ତି ପାଇପାରିବେ । ବାର୍ଦ୍ଧକ୍ୟଭତ୍ତାରେ ଅନେକ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି । ଏଣୁ କୃଷି ଋଣ ଛାନ ଓ ସହାୟକମୂଲ୍ୟ ବୃଦ୍ଧି ବାବଦରେ ଯାହା ଖର୍ଚ୍ଚ ହେବ ସେ ତୁଳନାରେ ଏ ବ୍ୟୟଭାର ସେଭଳି କିଛି ଅଧିକ ହେବ ନାହିଁ ବୋଲି କୁହାଯାଉଛି ।

https://www.onakhabar.com/govt-should-give-assistance-to-pethai-affected-farmers-said-niranjana/